ମାଲକାନଗିରି, ୧୮/୧୦ : ଜିଲ୍ଲା ହସ୍ପିଟାଲରେ ନର୍ସଙ୍କ ଦାଦାଗିରି ଦେଖିବାକୁ ମିଳିଛି । ତାଙ୍କୁ ଡାକିବାରୁ ରାଗି ଯାଇ ରୋଗୀଙ୍କ ମୋବାଇଲ ଫୋପାଡ଼ି ଭାଙ୍ଗିବା ସହିତ ନିଜ ସ୍ୱାମୀଙ୍କ ଦ୍ୱାରା ମାଡ଼ ଦେଇ ଥିବା ରୋଗୀଙ୍କ ସମ୍ପର୍କୀୟ ଗଣ ମାଧ୍ୟ୍ୟମ ନିକଟରେ ଅଭିଯୋଗ କରିଛନ୍ତି। ଏପରି ଦବଙ୍ଗଗିରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ।
ସୂଚନା ଅନୁସାରେ ଆଜି ସକାଳେ ମାଲକାନଗିରି ମୁନିସିପାଲିଟି କଲୋନୀର ରାଜା ବାଘ ନାମକ ଜଣେ ଯୁବକ ନିଜ ଭଉଣୀ ଅଞ୍ଜୁ ବାଘକୁ ନେଇ ଜିଲ୍ଲା ସଦର ଚିକିତ୍ସାଳୟକୁ ଚିକିତ୍ସା ଲାଗି ଯାଇଥିଲେ । ଅଞ୍ଜୁଙ୍କ ପେଟ ବଥା ହେଉଥିବାରୁ ଡାକ୍ତର ତୁରନ୍ତ ତାଙ୍କୁ ଚତୁର୍ଥ ମହଲାରେ ଥିବା ମେଡିସିନ୍ ୱାର୍ଡ଼ରେ ଆଡମିସନ ହେବା ଲାଗି ରେଫର କରିଥିଲେ । ହେଲେ ରୋଗୀଙ୍କୁ ନେଇ ସେଠାରେ ପହଞ୍ଚିଲାବେଳକୁ କୌଣସି ସ୍ବାସ୍ଥ୍ୟ କର୍ମୀ ଉପସ୍ଥିତ ନ ଥିଲେ । ନିକଟରେ ଥିବା ଅନ୍ୟ ଏକ ରୁମରେ ଜଣେ ନର୍ସ ଆରାମରେ ବସି ମୋବାଇଲ ଦେଖିବାରେ ବ୍ୟସ୍ତ ରହିଥିବାବେଳେ ରୋଗୀଙ୍କ ସଂପର୍କୀୟ ତାଙ୍କୁ ଅନେକ ଥର ଡାକିଥିଲେ । ହେଲେ ନର୍ସ ଜଣକ ମୋବାଇଲ ଦେଖିବାରେ ଏତେ ବ୍ୟସ୍ତ ଥିଲେ ଯେ ମୋତେ ବିରକ୍ତ କାହିଁକି କରୁଛ ବୋଲି କହି ରୋଗୀଙ୍କ ସଂପର୍କୀୟ ହାତରେ ଧରିଥିବା ମୋବାଇଲ ଛଡାଇ ନେଇ କଚାଡି ଭାଙ୍ଗି ଦେଇଥିଲେ ।
କେବଳ ଏତିକି ନୁହେଁ ଘଟଣା ପରେ ନିଜ ସ୍ବାମୀଙ୍କୁ ଫୋନରେ ଡାକି ଡାକ୍ତରଖାନା ଭିତରେ ରୋଗୀଙ୍କ ସଂପର୍କୀୟଙ୍କୁ ଧକ୍କା ମରାଇଥିବାର ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି ଡାକ୍ତର ବ୍ରଜବନ୍ଧୁ ଦାଶଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଘଟଣା ସମ୍ପର୍କରେ ତଦନ୍ତ କରାଯିବ, ରୋଗୀଙ୍କ ପ୍ରତି ନର୍ସଙ୍କ ଉତ୍ତମ ବ୍ୟବହାର ହେବା ଉଚିତ । ତଦନ୍ତ ପରେ ଅଭିଯୋଗର ସତ୍ୟାସତ୍ୟ ଥିଲେ ସମ୍ପୃକ୍ତ ନର୍ସଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମଓ ଶ୍ରୀ ଦାଶ କହିଛନ୍ତି।