ମାଲକାନଗିରି, ୧୮/୧୦ : ଏମଭି ୮ ହତ୍ୟାକାଣ୍ଡ ଘଟଣାର ପୁଲିସ ପର୍ଦ୍ଦାଫାସ କରିଛି । ଅଭିଯୁକ୍ତକୁ ଗିରଫ କରିବା ସହ ସୁନା ମୁଦି, ମୋଟର ସାଇକେଲ, ମୋବାଇଲ ଜବତ କରିଛି ପୁଲିସ । ମାଲକାନଗିରି ଥାନାସ୍ଥ ଏମ୍.ଭି. ୮ରେ ଗତ ୧୪ତାରିଖ ରାତିରେ ଜଣେ ବ୍ୟକ୍ତିଙ୍କୁ ଗଳା କାଟି ହତ୍ୟା କରିଥିବା ମାମଲାରେ ମାଲକାନଗିରି ପୋଲିସ ଜଣଙ୍କୁ ଗିରଫ କରିଛନ୍ତି ।
ଏ ସମ୍ବନ୍ଧରେ ଆଜି (ଶୁକ୍ରବାର )ମାଲକାନଗିରି ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍.ଡି.ପି.ଓ ସଚିନ ପଟେଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ଏମ୍.ଭି.୭ଗ୍ରାମର ବିଧାନ ମଣ୍ଡଳ ଓ ଏମ୍.ଭି. ୮ଗ୍ରାମର ମିଲନ ମଜୁମଦାର ଦୁହେଁ ପରସ୍ପରକୁ ବହୁ ବର୍ଷରୁ ଚିହ୍ନା ପରିଚୟ ଥିବାବେଳେ ଗତ ୧୫ଦିନ ତଳେ ଏହି ଦୁଇ ଜଣ ମିଶି ମଦ୍ୟପାନ କରୁଥିବା ସମୟରେ ବିଧାନ ମଣ୍ଡଳଙ୍କ ସ୍ତ୍ରୀଙ୍କ ସମ୍ବନ୍ଧରେ ମିଲନ ମଜୁମଦାର ଅଶ୍ଲିଳ ମନ୍ତବ୍ୟ ଦେଇଥିଲେ ଓ ପରବର୍ତ୍ତି ସମୟରେ ମିଲନ ମଜୁମଦାର ବିଧାନଙ୍କ ଘର ଆଖପାଖରେ ମଧ୍ୟ ବୁଲୁଥିବା ଦେଖିବାକୁ ପାଇଥିଲେ।
ପରେ ସେ ମିଲନଙ୍କ ଉପରେ ସନ୍ଦେହ କରି ତାଙ୍କୁ ଜୀବନରେ ମାରି ଦେବା ନିମନ୍ତେ ଯୋଜନା କରି ଗତ ସୋମବାର ଦିନ ରାତିରେ ମିଲନଙ୍କୁ ଘରୁ ଫୋନ ଯୋଗେ ଡାକି ମଦ୍ୟ ପାନ କରିବା ପାଇଁ ପାଖ ପଡିଆକୁ ନେଇଥିଲେ । ସାଥିରେ ଏକ ଧାରୁଆ ଅସ୍ତ୍ର ମଧ୍ୟ ନେଇଥିଲେ । ମଦ୍ୟପାନ କରୁଥିବା ସମୟରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ମିଲନଙ୍କ ଗଳା କାଟି ହତ୍ୟା କରିଥିଲେ। ଏଥିସହ ମିଲନଙ୍କ ହାତର ସୁନା ମୁଦି, ମୋଟର ସାଇକେଲ ନେଇ ଯିବା ସହ ମିଲନଙ୍କ ମୋବାଇଲ ଓ ବିଧାନଙ୍କ ମୋବାଇଲକୁ ନିକଟରେ ଥିବା ଏକ ପୋଖରୀରେ ଫିଙ୍ଗି ଦେଇଥିଲ । ମାଲକାନଗିରି ଥାନା ଅଧିକାରୀ ରିଗାନ୍ କିଣ୍ଡୋଙ୍କ ନେତୃତ୍ୱ ଏକ ସ୍ୱତନ୍ତ୍ର ପୁଲିସ ଟିମ ଗଠନ କରାଯାଇ ଜୋରଦାର ତଦନ୍ତ ଆରମ୍ଭ କରି ଦେଇଥିଲେ।
ସବୁ ଆଡେ ଜାଲ ବିଛାଇ ପୁଲିସ କୌଶଳ କ୍ରମେ ଅଭିଯୁକ୍ତ ବିଧାନକୁ ଗିରଫ କରିବାରେ ସଫଳ ହୋଇଥିଲେ । ଆଜି ଗିରଫ ବିଧାନ ମଣ୍ଡଳକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଏସ୍ଡ଼ିପିଓ ଶ୍ରୀ ପଟେଲ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ।