ରାୟଗଡ଼ା, ୧୮/୧୦ : ଚଳନ୍ତା ଟ୍ରେନରେ ଚଢିବା ବେଳେ ଅଘଟଣ। କରବା ଏକ୍ସପ୍ରେସ୍ରେ ଚାପି ହୋଇ ମା' ଓ ୪ ବର୍ଷର ଶିଶୁକନ୍ୟା ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି।
ସୂଚନାନୁଯାୟୀ, ରାୟଗଡ଼ା ଜିଲ୍ଲା ସିଙ୍ଗାପୁରୁ ରୋଡ ରେଳ ଷ୍ଟେସନରେ ଅଘଟଣ ଘଟିଛି। ଚଳନ୍ତା ଟ୍ରେନରେ ଚଢିବା ବେଳେ ରତିକା ଚନ୍ଦନା ନାମକ ଜଣେ ମହିଳା ଓ ତାଙ୍କର ୪ ବର୍ଷର ଶିଶୁକନ୍ୟା କରବା ଏକ୍ସପ୍ରେସ୍ରେ ଚାପି ହୋଇ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଆରପିଏଫ୍ ପ୍ରଥମେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରିଛନ୍ତି।
ଉଭୟ ମାଆ ଓ ଝିଅ ଟିଟଲାଗଡ ଅଞ୍ଚଳର। ସ୍ୱାମୀ ଚୈତନ୍ୟ ଚନ୍ଦନା ସ୍ତ୍ରୀ ପିଲାଙ୍କୁ ଧରି ଟିଟିଲାଗଡ଼ କାନିଝୁରିରୁ ଗତ ଦୁଇଦିନ ତଳୁ ରାୟଗଡା ପେଣ୍ଟା ପଞ୍ଚାୟତ ଅନ୍ତର୍ଗତ ଜିଞ୍ଜିଲିବାଡ଼ି ସମ୍ପର୍କୀୟଙ୍କ ଦଶା କାର୍ଯ୍ୟରେ ଯୋଗ ଦେବା ନିମନ୍ତେ ଆସିଥିଲେ। ଆଜି ଫେରିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ମା' ରତିକା ଚନ୍ଦନାଙ୍କର ଦୁଇଟି ହାତ ଏବଂ ଗୋଟିଏ ଗୋଡ଼ କଟି ଯାଇଥିବା ବେଳେ ବାମ ଗୋଡ଼ ଭାଙ୍ଗି ଯାଇଛି। ୪ ବର୍ଷର ଶିଶୁକନ୍ୟା ହସ୍ତିନା ଚନ୍ଦନାଙ୍କର ଡାହାଣ ହାତ ଓ ଗୋଡ଼ କଟିଯାଇଛି।