ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପରେ ଏବେ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି। ଏହି ସମୟ ମଧ୍ୟରେ ମହାୟୁତି ସରକାରଙ୍କ ଶପଥ ଗ୍ରହଣ ସମାରୋହକୁ ଭବ୍ୟ ବନାଇବା ପାଇଁ ପ୍ରୟାସ କରାଯାଉଛି । ଏଠାରେ ସୂଚନାଥାଉକି ଯେ, ମହାୟୁତି ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଡିସେମ୍ବର ୫ ରେ ହେବ, ଯାହାକି ମୁମ୍ବାଇର ଆଜାଦ ପାର୍କରେ ଅନୁଷ୍ଠିତ ହେବାକୁ ଯାଉଛି। ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ମୋଟ ୭୦ ରୁ ଅଧିକ ଭିଭିଆଇପି ନେତା ଯୋଗଦେବେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡା, ରାଜପଥ ଏବଂ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କ ସମେତ ଅନେକ କ୍ୟାବିନେଟ ସହକର୍ମୀଙ୍କୁ ନିମନ୍ତ୍ରଣ ଦିଆଯାଇଛି।
ଏହା ବ୍ୟତୀତ ମହାରାଷ୍ଟ୍ରର ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀ ମାନଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି । ତେବେ ଏହି ଶପଥ ଗ୍ରହଣ ସମାରୋହର ବିଶେଷ କଥା ହେଉଛି ଦେଶର ୪ ଶହ ସାଧୁ ସନ୍ଥଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି। ଏହା ବ୍ୟତୀତ ବିଭିନ୍ନ ସମାଜର ପ୍ରତିନିଧୀଙ୍କ ନିକଟକୁ ନିମନ୍ତ୍ରଣ ମଧ୍ୟ ପଠାଯାଇଛି । ମହାରାଷ୍ଟ୍ରର ସମସ୍ତ କନସୁଲେଟ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି ।
ଏହି ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ନିମନ୍ତ୍ରିତ ହୋଇଥିବା ସାଧୁମାନଙ୍କ ମଧ୍ୟରେ ଜଗତଗୁରୁ ନରେନ୍ଦ୍ରଚାର୍ଯ୍ୟ ମହାରାଜ, ଗୋବିନ୍ଦଦେବ ଗିରି ଜୀ ମହାରାଜ, ବାଗେଶ୍ୱର ବାବା, ମହାମଣ୍ଡଳେଶ୍ବର ସ୍ବାମୀ ବିଶ୍ୱଶବରାନନ୍ଦ ଜୀ ମହାରାଜ, ଜୈନ ସାଧୁ ଲୋକେଶ ମୁନି ଜୀ, ବଞ୍ଜରା ସାଧୁ, ଶିଖ୍ ସାଧୁ, ବୌଦ୍ଧ ସାଧୁମାନେ ରହିବେ। ଏହା ବ୍ୟତୀତ ମହାରାଷ୍ଟ୍ରର ସମସ୍ତ ପ୍ରମୁଖ ମନ୍ଦିରର ମୁଖ୍ୟ ପୁରୋହିତ ମାନଙ୍କୁ ନିମନ୍ତ୍ରଣ ମିଳିଛି, ଯେଉଁମାନଙ୍କ ଭିତରେ କାଶୀ ବିଶ୍ୱନାଥ ମନ୍ଦିରର ମୁଖ୍ୟ ପୁରୋହିତ ଏବଂ ମହାକାଳ ମନ୍ଦିରର ମୁଖ୍ୟ ପୁରୋହିତଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଛି।