ମୁମ୍ବାଇ,୦୪/୧୨: ସବୁ କଳ୍ପନା ଜଳ୍ପନାର ଅନ୍ତ । ଯାହା ଅନୁମାନ କରାଯାଉଥିଲା ତାହା ହେଲା । ମହାରାଷ୍ଟ୍ରକୁ ମିଳିଲେ ନୂଆ ମୁଖ୍ୟମନ୍ତ୍ରୀ । ମହାରାଷ୍ଟ୍ର ନୂଆ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାବିସ୍ । ବିଜେପି କୋର କମିଟି ବୈଠକରେ ଫଡନାବିସଙ୍କ ନାଁରେ ମୋହର ବାଜିଛି । ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାବିସ୍ ।
ଦୀର୍ଘ ଦିନର ଚର୍ଚ୍ଚା ପରେ ମହାରାଷ୍ଟ୍ର ମହାନାଟକରୁ ପରଦା ଉଠିଛି । ସିଏମ ସସପେନ୍ସରେ ପୂର୍ଣ୍ଣଚ୍ଛେଦ ପଡିଛି । ବିଜେପି ନେତା ଦେବେନ୍ଦ୍ର ଫଡନାବିସ୍ ମହାରାଷ୍ଟ୍ର ନୂଆ ହୋଇଛନ୍ତି। ଆଜି ଅନୁଷ୍ଠିତ ମହାୟୁତି ବୈଠକରେ ଦେବେନ୍ଦ୍ରଙ୍କ ନାମରେ ମୋହର ବାଜିଛି । ସର୍ବସମ୍ମତି କ୍ରମେ ବିଜେପି ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି ଦେବେନ୍ଦ୍ର ଫଡନାବିସ୍ । ବିଜୟ ରୁପାଣୀ ବିଜେପି ବିଧାୟକ ଦଳର ନେତା ଭାବେ ଦେବେନ୍ଦ୍ର ଫଡନାବିସଙ୍କ ନାମ ଘୋଷଣା କରିଛନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଆଶିଷ ସେଲାରଙ୍କୁ ମହାରାଷ୍ଟ୍ର ବିଜେପି ଶାଖାର ସଚେତକ ଦାୟିତ୍ବ ଦିଆଯାଇଛି ।
Devendra Fadnavis unanimously elected as the Leader of Maharashtra BJP Legislative Party. pic.twitter.com/015hrTDxtn
— ANI (@ANI) December 4, 2024
୨୦୧୯ରେ ଏକ ଭିଡିଓ କ୍ଲିପ ୨୦୨୪ ନିର୍ବାଚନରେ ଭାଇରାଲ ହେଉଥିଲା ଯେଉଁଥିରେ ଫଡନାବିସ୍ କହିଥିଲେ 'ସମନ୍ଦର ହେଁ ଲୋଟକର ୱାପସ ଆଏଗେଁ' । ବାସ୍ତବରେ ଏହା ସତ ହୋଇଛି । ତୃତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାବିସ୍ । ସିଏମ ନାମ ଘୋଷଣା ହେବା ପରେ ନାଗପୁରରେ ଦେବେନ୍ଦ୍ରଙ୍କ ବାସଭବନ ଆଗରେ ସେଲିବ୍ରେସନ ଆରମ୍ଭ ହୋଇଛି ।
କିପରି ମାନିଲେ ସିନ୍ଦେ- ଗତାକାଲି ମହାରାଷ୍ଟ୍ରର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିୟମିତ ଚିକିତ୍ସା ଯାଞ୍ଚ ପାଇଁ ଏକ ଘରୋଇ ଡାକ୍ତରଖାନାରେ ପହଞ୍ଚିଥିଲେ । ସେଠାରୁ ଫେରିବାର କିଛି ଘଣ୍ଟା ପରେ ବିଜେପି ନେତା ଦେବେନ୍ଦ୍ର ଫଡନାବିସ୍ ତାଙ୍କ ସରକାରୀ ବାସଭବନ 'ବର୍ସା'ରେ ପହଞ୍ଚିଥିଲେ। ଗତ ସପ୍ତାହରେ ଦିଲ୍ଲୀରେ ବରିଷ୍ଠ ବିଜେପି ନେତୃତ୍ୱଙ୍କୁ ଭେଟିବା ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ମୁହାଁମୁହିଁ ବୈଠକ ଥିଲା । ସିନ୍ଦେଙ୍କ ଦଳ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ମହାୟୁତି ମିଳିତ ମେଣ୍ଟର ଏକ ପ୍ରମୁଖ ଅଂଶୀଦାର । ନଭେମ୍ବର ୨୦ ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଶାସକ 'ମହାୟୁତି'ର ବୃହତ ବିଜୟ ପରେ ମହାରାଷ୍ଟ୍ରର ନୂତନ ସରକାର ଆସନ୍ତାକାଲି ଶପଥ ଗ୍ରହଣ କରିବେ।