ନୂଆଦିଲ୍ଲୀ: ସମ୍ଭଲ ହିଂସାରେ ନୂଆ ମୋଡ । ୨୪ ନଭେମ୍ବରରେ ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରେ ହୋଇଥିବା ହିଂସାକାଣ୍ଡରେ ପୋଲିସକୁ ଏକ ନୂଆ ପ୍ରମାଣ ମିଳିଛି। ଏହି ହିଂସାକାଣ୍ଡରେ କେବଳ ପଥର ମାଡ଼ କରାଯାଇ ନଥିଲା, ଦଙ୍ଗାକାରୀମାନେ ଗୁଳିମାଡ଼ ବି କରିଥିଲେ। ଯାହାର ପ୍ରମାଣ ପଡ଼ିଛି ପୁଲିସ ହାତରେ। ମଙ୍ଗଳବାର ପୋଲିସ ଓ ଫରେନ୍ସିକ ଟିମ୍ ସର୍ଚ୍ଚ ଅପରେସନ କରି ଘଟଣା ସ୍ଥଳରୁ ପାକିସ୍ଥାନ ଓ ଆମେରିକା ନିର୍ମିତ ବନ୍ଧୁକର କ୍ୟାଟ୍ରେଜ ଜବତ କରିଛନ୍ତି।
ଏନେଇ ସମ୍ଭଲର ଆଡିସନଲ ଏସପି ଶ୍ରିଶ ଚନ୍ଦ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି “ନଭେମ୍ବର ୨୪ ତାରିଖରେ ସ୍ୟାହି ଜାମା ମସଜିଦର ସର୍ଭେ ବେଳେ ହୋଇଥିବା ହିଂସାକାଣ୍ଡର ତଦନ୍ତ ପାଇଁ ଗତ ମଙ୍ଗଳବାର ଫରେନସିକ ଟିମ କୋଟ ଗାର୍ଭୀରେ ପହଞ୍ଚିଥିଲା। ଯାଞ୍ଚ ସମୟରେ ନିକଟସ୍ଥ ଡ୍ରେନରୁ ମୋଟ ଛଅଟି କ୍ୟାଟ୍ରେଜ ମିଳିଥିଲା। ତା’ ମଧ୍ୟରୁ ଗୋଟିଏ ଖାଲି କ୍ୟାଟ୍ରେଜ ପାକିସ୍ତାନ ଗୋଳାବାରୁଦ କାରଖାନାରେ ନିର୍ମୀତ ହୋଇଥିବାର ପ୍ରମାଣ ମିଳିଛି।”
ମିଳିଥିବା ମୋଟ ୬ଟି କ୍ୟାଟ୍ରେଜ ମଧ୍ୟରୁ ଗୋଟିଏ କ୍ୟାଟ୍ରେଜରେ ପିଓଏଫ(ପାକିସ୍ତାନ ଗୋଳାବାରୁଦ କାରଖାନା)ର ଲଗୋ ରହିଛି। ଏହା ଏକ ୯ଏମଏମର କ୍ୟାଟ୍ରେଜ, ଯେଉଁଥିରେ ଥିବା ସମସ୍ତ ଗୁଳି ଫୁଟି ସାରିଥିଲା। ଏହା ପାକିସ୍ତାନରେ ନିର୍ମିତ ହୋଇଥିବାରୁ ସନ୍ଦେହର ପରିସରକୁ ଆସିଛି। ଅନ୍ୟପଟେ ଆଉ ଏକ ୯ଏମଏମର କ୍ୟାଟ୍ରେଜ ମିଳିଛି ଯେଉଁଥିରେ ଦୁଇଟି ତାରା ଚିହ୍ନ ରହିଛି। ତେଣୁ ଏହା ଆମେରିକାରେ ନିର୍ମିତ ହୋଇଥିବାର ବୋଲି ପୁଲିସ ସନ୍ଦେହ କରୁଛି। ଏହାସହ ୧୨-ବୋର ଓ ୩୨-ବୋରର ଦୁଇଟି ଲେଖାଏ ଫୁଟନ୍ତା ଗୁଳି ମଧ୍ୟ ଜବତ ହୋଇଛି। ବର୍ତ୍ତମାନ ପୋଲିସ ବିଭାଗ ପୌରପାଳିକା ସହାୟତାରେ ମେଟାଲ ଡିଟେକ୍ଟର ଦ୍ୱାରା ସର୍ଚ୍ଚ ଅପରେସନ ଜାରି ରଖିଛି ବୋଲି ମୁରାଦାବାଦର ଡିଭିଜନାଲ କମିଶନର ଅଞ୍ଜନେୟ ସିଂ କହିଛନ୍ତି।
ଏହି ହିଂସା ଘଟଣାକୁ ଏସଆଇଟି ଟିମ ପୁଙ୍ଖାନୁଫୁଙ୍ଖ ଭାବେ ଯାଞ୍ଚ କରୁଛି। ପ୍ରମାଣ ନଷ୍ଟ ହେବାର ଆଶଙ୍କା ଥିବାରୁ ପୌରପାଳିକା ନିଗମ ହିଂସା ଘଟିଥିବା ସ୍ଥାନରେ ସଫେଇ କାମ ବନ୍ଦ ରଖିଛି। ଅନ୍ୟପଟେ ସ୍ଥିତି ପରଖିବାକୁ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ସମ୍ଭଲ ଯାଉଥିବା ବେଳେ ଅଧାବାଟରେ ପୁଲିସ ଅଟକାଇବା ସହ ସେମାନଙ୍କୁ ଫେରାଇ ଦେଇଛି।
ସୂଚନା ଥାଉକି, ଏକ ଆବେଦନର ଶୁଣାଣି କରି ସିଭିଲ ସିନିଅର ଡିଭିଜନ ଚନ୍ଦୌସୀ ଅଦାଲତ ସ୍ୟାହୀ ଜାମା ମସଜିଦର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସର୍ଭେର ପ୍ରଥମ ଦିନ ଠିକ୍ଠାକ୍ ଯିବା ପରେ ଦ୍ୱିତୀୟ ଦିନରେ ଅଧିକାରିମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ହିଂସାକାଣ୍ଡ ଆରମ୍ଭ ହୋଇଥିଲା। ଏହି ହିଂସାରେ ୪ ଜଣଙ୍କ ମୃତ୍ୟୁ ହେବା ସହ ୨୦ ପୋଲିସ କର୍ମୀ ଆହତ ହୋଇଥିଲେ। ମାମଲା ସୁପ୍ରିମ କୋର୍ଟ ଯିବା ପରେ ମସଜିଦ ଯାଞ୍ଚ ଆଦେଶ ଉପରେ ରୋକ ଲଗାଇଛନ୍ତି ସୁପ୍ରିମ କୋର୍ଟ।