ନୂଆଦିଲ୍ଲୀ,୦୪/୧୨: ଜଳପଥରେ ଶତ୍ରୁକୁ ଚମକା ଦେଉଥିବା ସେହି ରିୟଲ ହିରୋଙ୍କୁ ସମ୍ମାନ ଦେବା ପାଇଁ ପ୍ରତିବର୍ଷ ଡିସେମ୍ବର ୪ ତାରିଖକୁ ଭାରତୀୟ ନୌସେନା ଦିବସ ଭାବେ ପାଳନ କରାଯାଏ । ସମଗ୍ର ଦେଶରେ ଏହି ଦିନଟିକୁ ବେଶ୍ ଉତ୍ସାହର ସହ ପାଳନ କରାଯାଏ । କରାଚି ଉପରେ ଆକ୍ରମଣ ସ୍ମୃତିରେ ଆଜିର ଦିବସକୁ ପାଳନ କରୁଛି ନୌସେନା । ଭାରତୀୟ ନୌସେନା ବାହିନୀକୁ ସମ୍ମାନ ଦେବା ଏବଂ ସେମାନଙ୍କ ଅବଦାନକୁ ପ୍ରଶଂସା କରିବ ନେଇ ଏହା ହେଉଛି ଏକ ବିଶେଷ ଦିନ । ଦେଶର ପ୍ରତିରକ୍ଷାରେ ନୌସେନା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସମୁଦ୍ରକୁ ଲାଗି ରହିଥିବା ସୀମାବର୍ତ୍ତୀ ଅଞ୍ଚଳରେ ଦିନରାତି ସଜାଗ ରହି ଦେଶକୁ ଶତ୍ରୁ ମୁହଁରୁ ରକ୍ଷା କରିଥାନ୍ତି ନୌବୀର । କରାଚି ଉପରେ ଆକ୍ରମଣ ସ୍ମୃତିରେ ନୌସେନା ଦିବସ ପାଳନ ହୋଇଥାଏ ।
ଭାରତୀୟ ନୌସେନା ଦିବସ ୨୦୨୪ର ଥିମ୍- ପ୍ରତିବର୍ଷ ଭାରତୀୟ ନୌସେନା ତାର ରଣନୀତି ଉଦ୍ଦେଶ୍ୟ ଅନୁସାରେ ଥିମ୍ ବା ବିଷୟବସ୍ତୁ ଚୟନ କରିଥାଏ । ଥିମ୍ ଅନୁସାରେ ରକ୍ଷା ତତ୍ପରତା ଏବଂ ସମୁଦ୍ରୀ ସୁରକ୍ଷା ସାମିଲ ରହିଛି । ୨୦୨୪ରେ ଭାରତୀୟ ନୌସେନା ଦିବସ ବିଷୟବସ୍ତୁ ରହିଛି 'ସ୍ବଦେଶୀ ଏବଂ ଇନୋଭେସନ ମାଧ୍ୟମରେ ଶକ୍ତି' ।
ପୁରୀରେ ହେବ ସମରାଭ୍ୟାସ- ନୌସେନା ଦିବସ ଅବସରରେ ଆଜି ପୁରୀ ବ୍ଲୁ ଫ୍ଲାଗ ବିଚରେ ବିଶେଷ ଉତ୍ସବ ପାଳନ ହେବ । ପୁରୀରୁ ସାରା ବିଶ୍ବ ଦେଖିବ ନୌବାହିନୀର ପରାକ୍ରମ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବେ । ଏହି ଭବ୍ୟ ଦିବସ ପାଳନ ହୋଇଥିବାରୁ ନୌସେନାର ପରାକ୍ରମ ଦେଖିବାକୁ ବେଳାଭୂମିରେ ଲୋକଙ୍କ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଗୋଟିଏ ସପ୍ତାହ ହେବ ନୌସେନା ପକ୍ଷରୁ ଏନେଇ ରିହରସାଲ୍ ହେଉଥିଲା । ଏହି ଭବ୍ୟ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସମେତ ୭୫୦୦ ନିମନ୍ତ୍ରିତ ଅତିଥି ଯୋଗ ଦେବେ । ପୁରୀ ସମୁଦ୍ର ଓ ବେଳାଭୂମିରେ ପ୍ରାୟ ୪ ଟ୍ୟାଙ୍କ, ୧୫ଟି ଯୁଦ୍ଧ ଜାହାଜ, ୩୦ଟି ଯୁଦ୍ଧ ହେଲିକପ୍ଟର, ୫ଟି ଯୁଦ୍ଧ ବିମାନ, ୫ଟି ଜେଟ୍ ନୌସେନା ଦିବସରେ ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ । ପୁରୀ ଆକାଶରେ ପରାକ୍ରମ ଦେଖାଇବେ ନୌବୀର ।
ଭାରତୀୟ ନୌସେନା ଦିବସ ଇତିହାସ- ୧୯୭୧ ଡିସେମ୍ବର ୩ରେ ଭାରତ-ପାକିସ୍ତାନ ମଧ୍ୟରେ ଘମାଘୋଟ ଯୁଦ୍ଧ ହୋଇଥିଲା । ପାକିସ୍ତାନ ସେନା ଭାରତ ସୀମାବର୍ତ୍ତୀ ଅଞ୍ତଳରେ ଆକ୍ରମଣ ପାଇଁ ଉଦ୍ୟମ କରିଥିଲା । ଏହାର ମୁକାବିଲାରେ ବୀରତ୍ବ ପ୍ରଦର୍ଶନ କରିଥିଲେ ଭାରତୀୟ ନୌସେନା । ଭାରତ ପକ୍ଷରୁ 'ଅପରେସନ ଟ୍ରାଇଡେଣ୍ଟ' ଜରିଆରେ ପାକିସ୍ତାନ ନୌସେନା ଉପରେ ଆକ୍ରମଣ ହୋଇଥିଲା । ଏଥିରେ ପାକିସ୍ତାନର କିଛି ଜାହାଜ ଓ ତେଲ ଡିପୋ ସମ୍ପୂର୍ଣ୍ଣ ନଷ୍ଚ ହୋଇଥିଲା । ଏଥିରେ ୭୨୦ ପାକିସ୍ତାନୀ ନୌସେନା ପ୍ରାଣ ହରାଇଥିଲେ । ଶେଷରେ ପାକିସ୍ତାନ ନୌସେନା ଭାରତ ନିକଟରେ ଆତ୍ମସମର୍ପଣ କରିଥିଲା । ଭାରତୀୟ ନୌବୀରଙ୍କର ଏହି ବଡ ବିଜୟକୁ ମନେ ପକାଇବାକୁ ପ୍ରତିବର୍ଷ ଡିସେମ୍ବର ୪ ତାରିଖକୁ ଭାରତୀୟ ନୌସେନା ଦିବସ ଭାବେ ପାଳନ କରାଯାଏ ।