ନୂଆଦିଲ୍ଲୀ, ୦୪/୧୨ : କାର୍ଯ୍ୟସ୍ଥଳରେ ମହିଳାଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ଦେବା ଲାଗି ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଇଣ୍ଟରନାଲ କମ୍ପେ୍ଲଣ୍ଟ କମିଟି (ଆଇସିସି) ଗଠନ କରିବାକୁ ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍ ବି.ଭି ନାଗରତ୍ନା ଏବଂ ଜଷ୍ଟିସ୍ ଏନ୍ କୋଟିଶ୍ୱର ସିଂଙ୍କ ଖଣ୍ଡପୀଠ ଗୋଆ ୟୁନିଭର୍ସିଟିର ଜଣେ ପୂର୍ବତନ ପ୍ରଫେସରଙ୍କ ପିଟିସନର ଶୁଣାଣି କରିବାବେଳେ ଏହି ଆଦେଶ ଜାରି କରିଛନ୍ତି ।
ଖଣ୍ଡପୀଠ କହିଛନ୍ତି, ମହିଳାଙ୍କ ସୁରକ୍ଷା ପାଇଁ ପ୍ରିଭେନ୍ସନ ଅଫ୍ ସେକ୍ସୁଆଲ ହାରାସମେଣ୍ଟ ଆକ୍ଟ (ପିଓଏସ୍ଏଚ୍) ବା ଯୌନ ନିର୍ଯାତନା ନିରୋଧୀ ଆଇନ ୨୦୧୩ରେ ଆସିଥିଲା । ଏତେ ବର୍ଷ ପରେ ବି ଏହାକୁ ଲାଗୁ କରାଯିବାରେ ଗମ୍ଭୀର ଅବହେଳା ଚିନ୍ତାଜନକ । ଏହା ବେଶ୍ ଦୁଃଖଦ ମଧ୍ୟ । କାରଣ ଏଥିଯୋଗୁ ରାଜ୍ୟଗୁଡ଼ିକର କାର୍ଯ୍ୟଶୈଳୀ, ସରକାରୀ କର୍ତ୍ତୃପକ୍ଷ ଏବଂ ସରକାରୀ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟକାରିତା ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ଏଥିସହ ସୁପ୍ରିମକୋର୍ଟ ଜାରି କରିଥିବା ନିର୍ଦ୍ଦେଶରେ କହିଛନ୍ତି, ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଡ଼ିସେମ୍ବର ୩୧ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାରେ ଏକ ଅଧିକାରୀ ନିଯୁକ୍ତ କରିବେ । ସେହି ଅଧିକାରୀ ୨୦୨୫ ପର୍ଯ୍ୟନ୍ତ ଏକ ସ୍ଥାନୀୟ ଅଭିଯୋଗ କମିଟି ଗଠନ କରିବେ । ତାଲୁକ ସ୍ତରରେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରିବେ । ଡେପୁଟି କମିଶନର, ଜିଲ୍ଲାପାଳ ପିଓଏସ୍ଏଚ୍ ଆଇନର ଧାରା ୨୬ ଅନୁସାରେ ଆଇସିସି ପାଳନ କରିବା ଲାଗି ସରକାରୀ ଏବଂ ଘରୋଇ ସଂସ୍ଥାଗୁଡ଼ିକର ସର୍ଭେ କରି ରିପୋର୍ଟ ଦେବେ । ଡେପୁଟି କମିଶନର ଏବଂ ଜିଲ୍ଲାପାଳ ଆଇସିସି ଗଠନ ଏବଂ ଆଇନଗତ ସର୍ତ୍ତ ପାଳନ ପାଇଁ ଘରୋଇ କ୍ଷେତ୍ରର ଭାଗିଦାରୀଙ୍କ ସହ ଯୋଡ଼ିହେବେ । ରାଜ୍ୟର ମୁଖ୍ୟ ସଚିବ ଏହି ପୂରା ପ୍ରକ୍ରିୟାକୁ ତଦାରଖ କରିବେ ।
ସେହିପରି କାର୍ଯ୍ୟସ୍ଥଳଗୁଡ଼ିକରେ ‘ଶିବକ୍ସ’ ପୋର୍ଟାଲ ଇନ୍ଷ୍ଟଲ କରାଯିବ । ଏହା ମାଧ୍ୟମରେ ମହିଳାମାନେ ସେମାନଙ୍କ ଅଭିଯୋଗ ଦାଖଲ କରିପାରିବେ । ପିଟିସନର ଆରେଲିୟାନୋ ଫର୍ଣ୍ଣାଣ୍ଡିସ୍ କହିଥିଲେ ଯେ, ସୁପ୍ରିମକୋର୍ଟ ୨୦୨୩ ମେ’ରେ ଏକ ଆଦେଶ ଜାରି କରି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଏକ ଭେରିଫିକେସନ ପାଇଁ କହିଥିଲେ । କାର୍ଯ୍ୟସ୍ଥଳରେ ଯୌନ ନିର୍ଯାତନା ଅଭିଯୋଗର ଯାଞ୍ଚ ପାଇଁ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ କମିଟି ଗଠନ କରିଛନ୍ତି ନା ତାହା ଜଣାଇବା ଲାଗି କୁହାଯାଇଥିଲା । ସୂଚନାଯୋଗ୍ୟ ଯେ, ଫର୍ଣ୍ଣାଣ୍ଡିସ୍ଙ୍କ ବିରୋଧରେ ଗୋଆ ୟୁନିଭର୍ସିଟିରେ ଯୌନ ନିର୍ଯାତନା ଅଭିଯୋଗ ରହିଛି । ଏଥିଯୋଗୁ ତାଙ୍କୁ ଚାକିରିରୁ ବିଦା କରଯାଇଥିଲା । ସେ ଏହାକୁ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ବମ୍ବେ ହାଇକୋର୍ଟ ୟୁନିଭର୍ସିଟିର ନିଷ୍ପତ୍ତିକୁ ଉଚିତ ଦର୍ଶାଇଥିଲେ । ପରେ ସେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ସୁପ୍ରିମକୋର୍ଟ କହିଥିଲେ ଯେ, ଯାଞ୍ଚ ପ୍ରକ୍ରିୟାରେ ତ୍ରୁଟି ହୋଇଛି । ତେଣୁ ବମ୍ବେ ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରାଯାଉଛି ।