ପ୍ରମୂଖ ଖବର
  • ବାତ୍ୟା ପାଇଁ ଟ୍ୱିଟ୍‌ କରି ଚିନ୍ତା ପ୍ରକାଶ କରିଲେ କେନ୍ଦ୍ରମନ୍ତ୍ରୀ, ବ୍ୟାପକ କ୍ଷୟକ୍ଷତି ନହେବାକୁ ମହାପ୍ରଭୁଙ୍କ ପାଖରେ କରିଲେ ପ୍ରାର୍ଥନା
  • ||
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

୧୪ ଜିଲ୍ଲାରେ ବାତ୍ୟା ପ୍ରସ୍ତୁତି, ଆଜି ସୂର୍ଯ୍ୟାସ୍ତ ପୂର୍ବରୁ୧୦ ଲକ୍ଷ ହେବେ ସ୍ଥାନାନ୍ତର

ଭୁବନେଶ୍ୱର,୨୩/୧୦ : ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ପ୍ରଭାବିତ ହେବାକୁ ଅଞ୍ଚଳରେ ବୁଧବାର ସକାଳୁ ଆରମ୍ଭ ହେବ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ପ୍ରକ୍ରିୟା । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଆବଶ୍ୟକସ୍ଥଳେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯିବ । ୩ ହଜାରରୁ ଅଧିକ ସମ୍ବେଦନଶୀଳ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ଚିହ୍ନଟ କରାଯାଇଛି । ବୁଧବାର ସୂର୍ଯ୍ୟାସ୍ତ ପୂର୍ବରୁ ସରିବ ସ୍ଥାନାନ୍ତରଣ । ୮୬୪୭ ଜଣ ଗର୍ଭବତୀ ମହିଳାଙ୍କୁ ନିରାପଦ ପ୍ରସବ ପାଇଁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ଚିହ୍ନଟ କରାଯାଇଛି । ୧୪ଟି ଜିଲ୍ଲାରେ ପ୍ରସ୍ତୁତି ଜୋରଦାର କରାଯାଇଛି । ୨୦ଟି ଏନଡିଆରଏଫ ଟିମ୍‌, ୫୧ଟି ଓଡ୍ରାଫ ଟିମ୍‌ ଓ ୧୭୮ ଅଗ୍ନିଶମ ଟିମ୍‌ ଉଦ୍ଧାର କାର୍ଯ୍ୟ ପାଇଁ ଆଗୁଆ ମୁତୟନ ହୋଇଛନ୍ତି । ଆଉ ୫ଟି ଏନଡିଆରଏଫ ଟିମ୍‌ ଆଜି ରାତିରେ ଆସି ପହଞ୍ଚିବେ । ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ଆଜି ଉଚ୍ଚସ୍ତରୀୟ ବୈଠକ କରି ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସଚିବସ୍ତରୀୟ ବୈଠକ ଡାକି ଆଲୋଚନା କରିଛନ୍ତି । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୯ଜଣ ମନ୍ତ୍ରୀଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି । 

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ କେନ୍ଦ୍ରାପଡ଼ା, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ପୁରୀ, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ କଟକ, କୃଷ୍ଣଚନ୍ଦ୍ର ପାତ୍ରଙ୍କୁ କେନ୍ଦୁଝର, ବିଭୁତି ଭୂଷଣ ଜେନାଙ୍କୁ ଗଞ୍ଜାମ, କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ମୟୂରଭଞ୍ଜ, ସୁରଜ ସୂର୍ଯ୍ୟବଂଶୀଙ୍କୁ ଭଦ୍ରକ, ରବିନାରାୟଣ ନାଏକଙ୍କୁ ବାଲେଶ୍ୱର ଓ ସମ୍ପଦ ସ୍ୱାଇଁଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଏହି ସବୁ ଜିଲ୍ଲାରେ ଉଦ୍ଧାର ଓ ପ୍ରସ୍ତୁତି କାର୍ଯ୍ୟକୁ ମନ୍ତ୍ରୀମାନେ ତଦାରଖ କରିବେ । ୧୪ ଜିଲ୍ଲାର ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଓ ଅଙ୍ଗନାବାଡ଼ି ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରମାନଙ୍କ ଛୁଟି ମଧ୍ୟ ୨୫ ତାରିଖ ଯାଏଁ ବାତିଲ କରାଯାଇଛି । ସମସ୍ତ ବିଧାୟକମାନେ ନିଜ ନିର୍ବାଚନମଣ୍ଡଳୀରେ ରହି ଲୋକଙ୍କୁ ସହାୟତା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିବେଦନ କରିଛନ୍ତି । ସର୍ବାଧିକ ପ୍ରଭାବିତ ହେବାକୁ ଥିବା ୬ ଜିଲ୍ଲାକୁ ଅନୁଭବୀ ବରିଷ୍ଠ ଅଫିସରଙ୍କୁ ପଠାଯାଇଛି । ବରିଷ୍ଠ ଆଇଏଏସ୍‌ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର, ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ, ବଲୱନ୍ତ ସିଂହଙ୍କୁ ପୁରୀ, ଭିନିଥ ଭରଦ୍ୱାଜଙ୍କୁ ମୟୂରଭଞ୍ଜ, ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର, ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡ଼ା ପଠାଯାଇଛି । ସେମାନେ ବରିଷ୍ଠ ଅଧିକାରୀ ଭାବେ ସମସ୍ତ କାର୍ଯ୍ୟକୁ ତଦାରଖ କରିବେ । 

ଏହାବାଦ୍‌ ଅଧିକ ସହଯୋଗ ପାଇଁ ବରିଷ୍ଠ ଅଧିକାରୀ ମାନସ ରଞ୍ଜନ ପାଢ଼ୀଙ୍କୁ ବାଲେଶ୍ୱର, ମନୋଜ ପାତ୍ରଙ୍କୁ ଭଦ୍ରକ, ବିନୟ ଦାଶଙ୍କୁ ପୁରୀ, ଭବେଶ ନାୟକଙ୍କୁ ମୟୂରଭଞ୍ଜ, ଜ୍ୟୋତିଶଙ୍କର ମହାପାତ୍ରଙ୍କୁ କେନ୍ଦ୍ରାପଡ଼ା ଓ ପ୍ରଦୀପ ସାହୁଙ୍କୁ ଜଗତସିଂହପୁର ପଠାଯାଇଛି । ଲୋକଙ୍କ ସ୍ଥାନାନ୍ତରଣ ପାଇଁ ୬୨୪୪ ବହୁମୁଖୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି । ବାତ୍ୟା ପରବର୍ତ୍ତୀ ସମୟରେ ଲୋକଙ୍କୁ ଯୋଗାଇ ଦେବା ପାଇଁ ୫ ହଜାର ପ୍ୟାକେଟରୁ ଅଧିକ ପଲିଥିନ ମହଜୁଦ ରଖାଯାଇଛି । ସ୍ଥାନାନ୍ତରିତ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ବ୍ୟବସ୍ଥା ହେବ । ଶିଶୁ ଖାଦ୍ୟ ବି ଦିଆଯିବ । ପଶୁ ସମ୍ପଦ ପାଇଁ ବି ବ୍ୟବସ୍ଥା ହେବ । ରିଲିଫ କେନ୍ଦ୍ରରେ ପୁଲିସ ମୁତୟନ ରହିବେ, ଏପରିକି ମହିଳା ପୁଲିସ ମଧ୍ୟ ରହିବେ । ଔଷଧ ବି ମହଜୁଦ ରଖାଯାଇଛି ନିରାପଦ ସ୍ଥାନରେ । ଶକ୍ତି ବିଭାଗ ପକ୍ଷରୁ ୨ଟି କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି । ବାତ୍ୟାରେ କେଉଁ ସବୁ ଅଞ୍ଚଳରେ ବିଦ୍ୟୁତ ଭିତ୍ତିଭୂମି ପ୍ରଭାବିତ ହେବ, ସେ ନେଇ ପ୍ରାକ୍‌ ଆକଳନ କରାଯାଇଛି । ବାତ୍ୟା ପରବର୍ତ୍ତୀ ସମୟରେ ଯେଭଳି ଶୀଘ୍ର ଲୋକଙ୍କ ବିଦ୍ୟୁତ ସଂଯୋଗ ପୁନଃକାର୍ଯ୍ୟକ୍ଷମ ହେବ, ସେଥିପାଇଁ ୧୦ ହଜାର ଅଧିକ ମାନବ ସମ୍ବଳ ନିୟୋଜିତ ହୋଇଛନ୍ତି । ୮ ହଜାର ବିଦ୍ୟୁତ ଖୁଣ୍ଟ, ୫ଶହ ଟ୍ରାନ୍ସଫର୍ମର, ୩ଶହ କିଲୋମିଟର କଣ୍ଟକ୍ଟର ଓ ଏଲ୍‌ଟି କେବୁଲ ମହଜୁଦ ରଖାଯାଇଛି ୩ଟି ସ୍ଥାନରେ । ସମସ୍ତ ମେଡିକାଲ, ଜଳଯୋଗାଣ କେନ୍ଦ୍ରରେ ଯେଭଳି ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେବନି, ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି । ଏସବୁ ଜାଗାରେ ଡିଜେଲ ଚାଳିତ ଜେନେରେଟର ବ୍ୟବସ୍ଥା ରହିବ ।

 ଆସନ୍ତା ୨୩ ଓ ୨୪ ତାରିଖରେ ସମସ୍ତ ଓଭରହେଡ୍‌ ପାଣି ଟାଙ୍କିରେ ଶତ ପ୍ରତିଶତ ପାଣି ପୂର୍ଣ୍ଣ ରଖିବାକୁ ଶକ୍ତି, ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ଓ ଏହା ପରବର୍ତ୍ତୀ ସମୟରେ ଟେଲିଫୋନ ସେବା, ବିଦ୍ୟୁତ ଶକ୍ତି, ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଶୀଘ୍ର ଚାଲୁ କରିବା ପାଇଁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ହୋର୍ଡିଂ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ରାସ୍ତାରେ ଗାଡ଼ି ଚଳାଚଳ ଯେଭଳି ବାତ୍ୟା ପରେ ପ୍ରଭାବିତ ହେବନି, ସେଥିପାଇଁ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ମୁତୟନ କରାଯାଇଛି । ବାତ୍ୟା ନେଇ କଟକଣା ଜାରି ହେବା ପରେ ଓଡ଼ିଶା ଉପକୂଳରୁ ସମୁଦ୍ର ଭିତରକୁ ଯାଇଥିବା ସମସ୍ତ ଡଙ୍ଗା ଓ ମତ୍ସ୍ୟଜୀବୀ ଫେରି ଆସିଛନ୍ତି ।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.