ବୌଦ୍ଧ, ୨୩/୧୦ (ପ୍ରମୋଦ କୁମାର ବାଘ): ଆଳୁ ପାଇଁ ଏବର୍ଷ ରାଜ୍ୟବାସୀଙ୍କୁ ବହୁତ ହଟହଟା ହେବାକୁ ପଡ଼ିଛି । ଯଦିଓ ରାଜ୍ୟରେ ଆଳୁ ମିଶନ କାର୍ଯ୍ୟକାରୀ କରିବା ପାଇଁ ପୂର୍ବ ସରକାର ଅମଳରେ ଯୋଜନା ହୋଇଥିଲା, ତଥାପି ଯୋଜନାର କାର୍ଯ୍ୟାନ୍ୱୟନରେ ଶିଥିଳତା ଯୋଗୁ ମିଶନ କିନ୍ତୁ ସଫଳ ହେଲା ନାହିଁ । ପରିଣାମସ୍ୱରୂପ ଆଳୁ ପାଇଁ ଏଯାବତ୍ ପଡ଼ୋଶୀ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ ହେବାକୁ ପଡ଼ୁଛି । ଏଣିକି ଆଳୁ ଚାହିଦା ପୂରଣ କରିବା ପାଇଁ ନୂଆ ସରକାର ଅଣ୍ଟା ଭିଡ଼ିଛନ୍ତି । ଆଳୁ ଉତ୍ପାଦନକାରୀ ଜିଲ୍ଲାଗୁଡ଼ିକୁ ସେ ଦିଗରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ଅନୁସାରେ ଆଳୁ ମିଶନ ଅଭିଯାନକୁ ଆଗକୁ ନେଇଛି ବୌଦ୍ଧ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ।
ଗତବର୍ଷ ତୁଳନାରେ ଏଥର ଚାରିଗୁଣ ଅଧିକ ଅମଳ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଗତବର୍ଷ ଜିଲ୍ଲାରେ ମାତ୍ର ୧୨ ହଜାର ୩୩୯ କ୍ୱିଣ୍ଟାଲ ଆଳୁ ଉତ୍ପାଦନ ହୋଇଥିଲା । ଠିକଣା ସମୟରେ ସରକାର ବିହନ ଯୋଗାଇପାରିଲେ ନାହିଁ ବୋଲି ଅନେକ ଚାଷୀ ନିରାଶ ହୋଇଥିଲେ । ମାତ୍ର ଏଥର ଉଦ୍ୟାନ କୃଷି ବିଭାଗ ତତ୍ପର ରହିଛି । ଚାଷୀଙ୍କୁ ସଚେତନ ମଧ୍ୟ କରାଯାଉଛି । ଗତବର୍ଷ ତୁଳନାରେ ଏଥର ପ୍ରାୟ ଚାରିଗୁଣା ଅଧିକ, ଅର୍ଥାତ ୪୫ ହଜାର କ୍ୱିଣ୍ଟାଲ ଆଳୁ ଅମଳ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଲକ୍ଷ୍ୟ ସଫଳ ହେଲେ ଆଗାମୀ ଦିନରେ ବୌଦ୍ଧ ଆଳୁ ଉତ୍ପାଦନରେ ରେକର୍ଡ କରିବ ବୋଲି ଆଶା ଉଜ୍ଜୀବିତ ହୋଇଛି । ବୌଦ୍ଧ ଏକ କୃଷି ପ୍ରଧାନ ଜିଲ୍ଲା । ଏଠିକାର ପ୍ରାୟ ୮୦ପ୍ରତିଶତ ଲୋକ ଚାଷ ଉପରେ ନିର୍ଭରଶୀଳ । ଶିଳ୍ପବିହୀନ ଏହି ଜିଲ୍ଲାରେ ଚାଷୀ ଧାନଚାଷ ସହ ବିଭିନ୍ନ ଡାଲି ଓ ପରିବା ଜାତୀୟ ଫସଲ ଚାଷ କରିଥାଏ । ଜିଲ୍ଲାର ଭୌଗୋଳିକ ସ୍ଥିତିକୁ ଦେଖିଲେ ଏଠାରେ ଆଳୁଚାଷ ପାଇଁ ପର୍ଯ୍ୟାପ୍ତ ସୁବିଧା ରହିଛି । ବୌଦ୍ଧ ଜିଲ୍ଲା ଦେଇ ଓଡ଼ିଶାର ୪ଟି ପ୍ରମୁଖ ନଦୀ ପ୍ରବାହିତ ହୋଇଛି । ମହାନଦୀ ୧୧୦ କିଲୋମିଟରରୁ ଅଧିକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ବେଳେ ତେଲନଦୀ ୭୦ କିଲୋମିଟରରୁ ଅଧିକ ଅଞ୍ଚଳରେ ବହିଯାଇଛି ।
ସେହିପରି ବାଘନଦୀ ପ୍ରାୟ ୩୫ କିଲୋମିଟର ଓ ସାଲୁଙ୍କି ନଦୀ ପ୍ରାୟ ୩୫ କିଲୋମିଟର ଅଞ୍ଚଳରେ ଗତି କରିଛି । ନଦୀ କୂଳରେ ଦୋରସା ଓ ବାଲିଆ ମାଟି ଆଳୁଚାଷ ପାଇଁ ବେଶ ଉପଯୋଗୀ ହୋଇଥିଲେ ମଧ୍ୟ ଚାଷୀଙ୍କୁ ଆଳୁ ଚାଷ ପ୍ରତି ଆକୃଷ୍ଟ କରିବା ପାଇଁ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନ ଥିଲା । ବୌଦ୍ଧ ଜିଲ୍ଲା ବଲାସିଙ୍ଗାର ଆଳୁ ଚାଷୀ ମନୋରଞ୍ଜନ ମହାକୁଡ଼ କହିଛନ୍ତି, ଗତବର୍ଷ ଜିଲ୍ଲାରେ ଆଳୁ ଚାଷ ପାଇଁ ଅନେକ ବଡ଼ଚାଷୀ ଇଚ୍ଛୁକ ଥିଲେ । କିନ୍ତୁ ସରକାର ଠିକଣା ସମୟରେ ବିହନ ଯୋଗାଇପାରିଲେ ନାହିଁ । ଠିକ୍ ସମୟରେ ଚାଷୀଙ୍କୁ ଉନ୍ନତମାନର ବିହନ ଯୋଗାଇ ଦିଆଯିବାର ଆବଶ୍ୟକତା ରହିଛି । ଏଥିସହିତ ଉତ୍ପାଦନ ପରେ ଆଳୁ ବିକ୍ରି କରିବା ପାଇଁ ବଜାର ଓ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାରର ଅବଶ୍ୟକତା ପୂରଣ କରିପାରିଲେ ଚାଷୀମାନେ ଅଧିକରୁ ଅଧିକ ଆଳୁଚାଷ ପାଇଁ ବାହାରିବେ । ଠିକ୍ ଭାବରେ ଆଳୁଚାଷ କରାଗଲେ ଜିଲ୍ଲାର ଚାହିଦା ମେଣ୍ଟାଇବା ସହ ଜିଲ୍ଲା ବାହାରକୁ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ଆଳୁ ପଠାଯାଇପାରିବ ବୋଲି ଶ୍ରୀ ମହାକୁଡ଼ କହିଛନ୍ତି ।
ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ପୂର୍ବରୁ ଚାଷୀ କେବଳ ଧାନଚାଷୀରେ ସୀମିତ ଥିଲେ । ଏଥର କିନ୍ତୁ ପରିସ୍ଥିତି ଭିନ୍ନ । ଚଳିତ ବର୍ଷ ଜିଲ୍ଲାର ତିନିଶହ ହେକ୍ଟର ଜମିରେ ଆଳୁ ଚାଷ କରିବା ପାଇଁ ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି । ସେଥିପାଇଁ ଗାଁଗାଁ ଯାଇ ସଭା ସମିତିର ଆୟୋଜନକରି ଚାଷୀଙ୍କୁ ଆଳୁ ଚାଷ କରିବା ପାଇଁ ସଚେତନ କରାଯାଉଛି । ସାଧାରଣତଃ ଶୀତଦିନେ ଆଳୁ ଚାଷ ଭଲ ହୋଇଥାଏ । ତେଣୁ ନଭେମ୍ବର ପ୍ରଥମ ସପ୍ତାହରେ ଚାଷୀଙ୍କୁ ବିହନ ଯୋଗାଇ ଦିଆଯିବ । ଚାଷୀ ଆଳୁ ବିହନ କିଲୋ ପିଛା ୨୦ ଟଙ୍କାରେ କିଣିବେ । ଚାଷ ପରେ ସେଥିରୁ ସବ୍ସିଡି ଆକାରରେ ଦଶ ଟଙ୍କା ଚାଷୀଙ୍କୁ ଫେରାଇ ଦିଆଯିବ । ଫଳରେ ଚାଷୀଙ୍କୁ ବିହନ କିଲୋ ପିଛା ମାତ୍ର ୧୦ ଟଙ୍କାରେ ପଡ଼ିବ । ଉପଯୁକ୍ତ ଯତ୍ନନେଲେ ନଦୀପଠା ବ୍ୟତୀତ ଅନ୍ୟ ଅଞ୍ଚଳରେ ମଧ୍ୟ ଚାଷ ହୋଇପାରିବ । ଗତବର୍ଷ ସରକାରୀ ଭାବରେ ୧୨ଶହ ଚାଷୀ ଆଳୁ ଚାଷ କରିଥିଲେ । ଏଥର କିନ୍ତୁ ଦୁଇ ହଜାରରୁ ଅଢେଇ ହଜାର ଚାଷୀ ଆଳୁ ଚାଷ କରିବେ । ଜଣେ ଚାଷୀ ସର୍ବନିମ୍ନ ୫୦ ଡିସିମିଲ ଜମିରେ ଚାଷ କରିପାରିବ । ତିନି ଶହ ହେକ୍ଟର ଜମିରେ ଚାଷ ପାଇଁ ଜିଲ୍ଲାକୁ ୩ ହଜାର ୯ ଶହ କ୍ୱିଣ୍ଟାଲ ବିହନ ଆବଶ୍ୟକ ହେଉଛି, ଯାହାକି ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ । ସେହିଭଳି ଆଳୁ ଅମଳପରେ ତାହାର ବିପଣନ ପାଇଁ ମଧ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ପ୍ରଥମ ପର୍ଯ୍ୟାୟରେ ଶୀତଳ ଭଣ୍ଡାର ପାଇଁ ମୃଷୁଣ୍ଡି ପଞ୍ଚାୟତର ସରଣ୍ଡାଠାରେ ଏକ ଏକର ଜାଗା ଚିହ୍ନଟ ହୋଇଛି । ଚାଷୀମାନେ ସହଯୋଗକଲେ ବୌଦ୍ଧ ଖୁବ୍ଶୀଘ୍ର ଆଳୁ ମିଶନର ଏକ ପ୍ରମୁଖ ଜିଲ୍ଳା ହୋଇପାରିବ ବୋଲି ବୌଦ୍ଧ ଉଦ୍ୟାନ କୃଷି ବିଭାଗ ସହକାରୀ ନିର୍ଦ୍ଦେଶକ ଯୋଗେନ୍ଦ୍ରନାଥ ମହାପାତ୍ର କହିଛନ୍ତି ।