ଭୁବନେଶ୍ଵର, ୦୨/୦୧: ନୂଆଦିଲ୍ଲୀର କର୍ତ୍ତବ୍ୟ ପଥ(ରାଜପଥ) ରେ ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ରେ ସ୍ଥାନ ପାଇବନି ଓଡ଼ିଶାର ପ୍ରଜ୍ଞାପନ ମେଢ଼ । କାରଣ ପ୍ରଜ୍ଞାପନ ମେଢ଼ ପାଇଁ ରାଜ୍ୟଗୁଡିକୁ ଯାଇଥିବା ଚିଠିରେ ନାହିଁ ଓଡ଼ିଶା । ଏଥିପାଇଁ ମନୋନୀତ ରାଜ୍ୟଗୁଡିକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚିଠି ଯାଇଛି ଯେଉଁଥିରେ ଆନ୍ଧ୍ରପ୍ରଦେଶ, ବିହାର, ଗୋଆ, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ପଞ୍ଜାବ, ତ୍ରିପୁରା, ଉତ୍ତରାଖଣ୍ଡ, ୟୁପି, ପଶ୍ଚିମବଙ୍ଗ ଓ ବିଭିନ୍ନ କେନ୍ଦ୍ରଶାସିତ ଅଞ୍ଚଳ ରହିଛି । ଓଡ଼ିଶା ନାଁ ନ ଥିବାରୁ ଦ୍ୱନ୍ଦ୍ୱ ଉପୁଜିଛି । ମାତ୍ର ଏ ନେଇ କେନ୍ଦ୍ର କିମ୍ବା ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ସରକାର ଏହା ଉପରେ ପ୍ରତିକ୍ରିୟା ରଖିବା ପରେ ମେଢ଼ ଗଡ଼ିବ କି ନାହିଁ ତାହା ନିଶ୍ଚିତ ହୋଇଯିବ ।
ସୂଚନାଯୋଗ୍ୟ ଯେ, ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ଜାତୀୟ ସାଧାରଣତନ୍ତ୍ର ଦିବସ-୨୦୨୪ରେ ‘ବିକଶିତ ଭାରତ’କୁ ନେଇ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଶ୍ରେଷ୍ଠ ହୋଇଥିଲା । ଦୀର୍ଘ ୩ ବର୍ଷ ପରେ ଜାତୀୟ ପରେଡ୍ରେ ସୁଯୋଗ ପାଇ ରାଜ୍ୟ ଏହି ପୁରସ୍କାର ହାସଲ କରିଥିଲା । ତେବେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟତମ ମହାପର୍ବ ‘ଭାରତ ପର୍ବ-୨୦୨୫’ରେ ଓଡ଼ିଶାର ବର୍ଣ୍ଣାଢ଼୍ୟ ପ୍ରଜ୍ଞାପନ ମେଢ଼ ସାମିଲ ହେବ ।
ଆସନ୍ତା ଜାନୁଆରୀ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଲାଲକିଲ୍ଲା ଠାରେ ଏହି ମହୋତ୍ସବ ହେବ । ଏହି ମହୋତ୍ସବ ଲାଗି ମେଢ଼ ନିର୍ମାଣ ହେଉଛି । ମେଢ଼ର ଡିଜାଇନ୍ ଚିତ୍ର ସହ ‘ସ୍ୱର୍ଣ୍ଣିମ ଭାରତରେ ହସ୍ତତନ୍ତ ଓ ବୟନର ଐତିହ୍ୟ ଓ ବିକାଶ’ ବିଷୟବସ୍ତୁ ଉପରେ ଆଧାରିତ ଓଡ଼ିଶାର ମେଢ଼ ରାଜ୍ୟର ପ୍ରାଚୀନ ଐତିହ୍ୟକୁ ପ୍ରତିପାଦନ କରିବ । ଗତ ଡିସେମ୍ବର ୨୨ ତାରିଖରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏନେଇ ‘ଏକ୍ସ’ ମାଧ୍ୟମରେ ସୂଚନା ଦିଆଯାଇଛି ।