ପ୍ରମୂଖ ଖବର
  • ୧୪ ଜିଲ୍ଲାରେ ୨୩ରୁ ୨୫ ପର୍ଯ୍ୟନ୍ତ କଲେଜ ଛୁଟି ଘୋଷଣା
  • ||
  • ଶ୍ରୀମନ୍ଦିରକୁ ଓମଫେଡ଼ ଘିଅ ଯୋଗାଣ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ,ଆଇନ ମନ୍ତ୍ରୀପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଚାଲିଛି ଆଲୋଚନା
  • ||
  • ବୈତରଣୀ ମୁହାଣରେ ଅଘଟଣ: ବୁଡିଗଲା ମାଛଧରା ବୋଟ୍‌, ୬ ଜଣ ଉଦ୍ଧାର
  • ||
  • ବାତ୍ୟାର ମୁକାବିଲା ପାଇଁ କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ,ଟୁଇଟ୍ ସିଟି କମିଶନରେଟ ପୋଲିସ କହିଲେ ବାତ୍ୟା ସମୟରେ ଲୋକଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ କରାଯିବ
  • ||
  • କେନ୍ଦ୍ରାପଡ଼ା: ସନ୍ଧ୍ୟା ସୁଦ୍ଧା ବାଉଁଶ ଓ ଲାଇଟ୍ ଗେଟ୍ ଖୋଲ, ନିର୍ଦ୍ଦେଶ ଦେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ
  • ||
  • ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ୍‌ ଟିମ୍‌କୁ ସଜାଗ: ମୁକାବିଲା ପାଇଁ ୬୦ ଓଡ୍ରାଫ୍‌ ଟିମ୍‌,ଭୁବନେଶ୍ୱର, କଟକରେ ରିଜର୍ଭ ରହିବ ୧୦ ଟିମ୍‌
  • ||
  • ସମ୍ଭାବ୍ୟ ବାତ୍ୟାକୁ ନେଇ ବାସୁଦେବପୁର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା, କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ
  • ||
  • ୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା, ୬୮୦ ଜଣ ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍‌
  • ||
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ରାଜ୍ୟ ବିଜେପିର ହେବ ନବକଳେବର: ନୂଆ ଚେହେରା ନା ରିପିଟ୍‌ ହେବେ ମନମୋହନ ? ଦିଲ୍ଲୀରେ ଡେରା ପକାଇଛନ୍ତି ୩ ଟିମ

ଭୁବନେଶ୍ୱର,୨୨/୧୦: ରାଜ୍ୟ ବିଜେପିର ହେବ ନବକଳେବର । ଦଳର ପରବର୍ତ୍ତୀ ରାଜ୍ୟ  ସଭାପତି କିଏ? ଏହା ଏବେ ବିଜେପି ସହ ରାଜ୍ୟ  ରାଜନୀତି ପାଇଁ ବଡ଼ ପ୍ରଶ୍ନ । ଦିନ ଯେତିକି ପାଖେଇ  ଆସୁଛି ସଭାପତି ମନମୋହନ ସାମଲଙ୍କ ପରେ କିଏ  ଦଳର ମଙ୍ଗ ଧରିବ ତା’କୁ ନେଇ ଚର୍ଚ୍ଚା ସେତିକି  ଜୋର ଧରୁଛି । ବିଭିନ୍ନ ନେତାଙ୍କ ନାଁ ଆଲୋଚନା  ହେଉଥିଲା ବେଳେ ସବୁକିଛି ନିର୍ଭର କରୁଛି କେନ୍ଦ୍ରୀୟ  ନେତୃତ୍ୱ ଉପରେ । ଆସନ୍ତା ଜାନୁଆରୀରେ ବିଜେପି  ରାଷ୍ଟ୍ରୀୟ ସଭାପତି ନିର୍ବାଚନ ଥିବାରୁ ଡିସେମ୍ବର  ସୁଦ୍ଧା ଓଡ଼ିଶା ବିଜେପି ନୂଆ ସଭାପତି ପାଇବା  ଏକରକମ ନିଶ୍ଚିତ ବୋଲି ଦଳ ସୂତ୍ରରୁ ଜଣାପଡ଼ିଛି । 

ବିଜେପି ଏବେ ରାଜ୍ୟରେ କ୍ଷମତାକୁ ଆସିଛି ।  ଦୀର୍ଘମିଆଦି ଭିତ୍ତିରେ ରାଜ୍ୟରେ କ୍ଷମତାରେ  ରହିବାକୁ କେନ୍ଦ୍ରୀୟ ବିଜେପି ସାଂଗଠନିକ ବିସ୍ତାରକୁ  ଗୁରୁତ୍ୱ ଦେଉଛି । ବୁଥ୍‌ସ୍ତରରୁ ସଂଗଠନକୁ ବଳୁଆ  କରିବାକୁ ମଧ୍ୟ ଦଳ ଯୋଜନା କରୁଛି । ସଂଗଠନ ଓ  ସରକାର ସମନ୍ୱୟ ରକ୍ଷା କରି ଚାଲିବାକୁ ନୂଆଦିଲ୍ଲୀରୁ  ନିର୍ଦ୍ଦେଶ ଜାରି ହୋଇଛି । ସଂଗଠନକୁ ଦଳ ଅଧିକ  ଗୁରୁତ୍ୱ ଦେଉଥିବାରୁ ଦଳର ସଭାପତି ପଦ ଉପରେ  ଏବେ ବହୁ ନେତା ଆଖି ପକାଇଛନ୍ତି । ଦଳରେ  କିନ୍ତୁ ୨/୩ଟି ଗୋଷ୍ଠୀ ନିଜ ସପକ୍ଷରେ ଓକିଲାତି  କରୁଛନ୍ତି । ମାତ୍ର କାହା ମୁଣ୍ଡରେ ହାଇକମାଣ୍ଡ  ସୁନାକଳସ ଢାଳିବେ ତାହା ଏଯାଏଁ ଅସ୍ପଷ୍ଟ । 

ବିଜେପିର ନୂଆଦିଲ୍ଲୀ ସୂତ୍ର କହୁଛି, ବହୁ ବର୍ଷ  ପରେ ଓଡ଼ିଶାରେ ବିଜେପି ନିଜ ଦମ୍‌ରେ ଶାସନ  ଡୋରି ଧରିଛି । କେନ୍ଦ୍ରୀୟ ବିଜେପି ପାଇଁ ଓଡ଼ିଶାର  ସଂଗଠନ ଗୁରୁତ୍ୱ ରଖୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦିଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଅମିତ୍‌  ଶାହ, ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଯାଏଁ ସମସ୍ତଙ୍କ  ନଜର ଓଡ଼ିଶା ଉପରେ ରହିଛି । ତେଣୁ ଦଳର ରାଜ୍ୟ  ମୁଖିଆ ପଦ ପାଇଁ ଯେ କେନ୍ଦ୍ରୀୟ ନେତାଙ୍କ ଆଶୀର୍ବାଦ  ଯେ ଦରକାର ତାହା ଜଳଜଳ । ଦଳର ଗୋଟିଏ  ଗୋଷ୍ଠୀ କହୁଛି, ନୂଆ ସଭାପତି ବଦଳରେ ଦଳ  ମନମୋହନଙ୍କୁ ପୁଣି ଏ ଗୁରୁଦାୟିତ୍ୱ ଦେଇପାରେ ।  ମନମୋହନ ଏବେ ଦଳର ଅସ୍ଥାୟୀ ସଭାପତି ଭାର  ତୁଲାଉଛନ୍ତି । ତେଣୁ ସେ ସାନି ସଭାପତି ହେବାରେ  କୌଣସି ପ୍ରତିବନ୍ଧକ ନାହିଁ । ତାଙ୍କ ନେତୃତ୍ୱରେ  ଗତ ନିର୍ବାଚନରେ ଦଳକୁ ଯେଉଁ ସଫଳତା ମିଳିଲା  ତାର ପୁରସ୍କାର ଏଯାଏଁ ମିଳିନି । ଶ୍ରୀ ସାମଲ କାଳେ  ପୂର୍ଣ୍ଣକାଳୀନ ୩ ବର୍ଷ ସ୍ଥାୟୀ ସଭାପତି ଭାବେ ଦାୟିତ୍ୱ  ତୁଲାଇବାକୁ ମଧ୍ୟ ଆଗ୍ରହୀ ଅଛନ୍ତି । ତାଙ୍କ ପାଇଁ  ରାଜନୈତିକ ପାଣିପାଗ ଅନୁକୂଳ ଅଛି । ତେଣୁ  ଦଳ ତାଙ୍କୁ ପୁଣି ସଭାପତି ପଦରେ ବସାଇବାର  ଯଥେଷ୍ଟ ସମ୍ଭାବନା ଥିବା ଚର୍ଚ୍ଚା ଜୋର ଧରିଛି । 

ଦଳର ଅନ୍ୟ ଏକ ଗୋଷ୍ଠୀ କହୁଛି,  ମନମୋହନଙ୍କୁ ଦଳ ଅନ୍ୟ ବାଟରେ ପୁରସ୍କୃତ  କରିବ । ନୂଆମୁହଁକୁ ଦଳ ସଭାପତି ଭାବେ  ଆଗକୁ ଆଣିବ । ଏ ନୂଆମୁହଁ ତାଲିକାରେ ବହୁ  ନାଁ ଯୋଡ଼ା ହୋଇଛି । ସମୀର ମହାନ୍ତି, ଗୋଲକ  ମହାପାତ୍ରଙ୍କ ଠାରୁ ଆରମ୍ଭ କରି ଆରଏସ୍‌ଏସ  ସହ ସଂପର୍କରେ ଥିବା କିଛି ନେତାଙ୍କ ନାଁ  ମଧ୍ୟ ଚର୍ଚ୍ଚାକୁ ଆସୁଛି । ମାତ୍ର ଆହୁରି ୨ ମାସ  ସମୟ ଥିବାରୁ ଚିତ୍ର ଏଯାଏ ଅସ୍ପଷ୍ଟ ଅଛି । 

ଦଳ ପକ୍ଷରୁ ଇତିମଧ୍ୟରେ ସଂଗଠନ  ପର୍ବ ପାଇଁ ରିଟର୍ଣ୍ଣିଂ ଅଫିସର ଓ ଓ ସହ ରିଟର୍ଣ୍ଣିଂ  ଅଫିସରଙ୍କୁ ନିଯୁକ୍ତି ମିଳିଛି । ସାଂସଦ ପ୍ରତାପ  ଷଡ଼ଙ୍ଗୀ ନିର୍ବାଚନ ଅଧିକାରୀ ହୋଇଥିଲା ବେଳେ  ସାଂସଦ ସୁକାନ୍ତ ପାଣିଗ୍ରାହୀ, ସୁକେଶୀ ଓରାମ,  ଡ. ଯତୀନ ମହାନ୍ତି ସହ ନିର୍ବାଚନ ଅଧିକାରୀ  ଦାୟିତ୍ୱ ତୁଲାଇବେ । ରାଜ୍ୟରେ ସାଂଗଠନିକ  ନିର୍ବାଚନ ସମ୍ପର୍କରେ ବିଚାର ବିମର୍ଶ କରିବାକୁ  ନିର୍ବାଚନ ଟିମ୍‌, ସଦସ୍ୟ ସଂଗ୍ରହ ଟିମ୍‌ ଓ ସକ୍ରିୟ  ସଦସ୍ୟ ଟିମ୍‌ ଦିଲ୍ଲୀ ଯାଇଛନ୍ତି । ମନମୋହନ ମଧ୍ୟ  ଦିଲ୍ଲୀରେ ଅଛନ୍ତି । କେନ୍ଦ୍ରୀୟ ନେତାଙ୍କ ସହ ପ୍ରଥମ  ପର୍ଯ୍ୟାୟ ଆଲୋଚନା ସରିଛି । ସଂଗଠନ ପର୍ବ  ନେଇ ସୋମବାର ପାର୍ଟି ମୁଖ୍ୟାଳୟରେ ବସିଥିଲା  ଗୁରୁତ୍ୱପୂର୍ଣ୍ଣ ବୈଠକ । ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ  ବସିଥିବା ବୈଠକରେ କେନ୍ଦ୍ରୀୟ ନିର୍ବାଚନ କମିଟିର  ନେତାଙ୍କ ସହ ବିଭିନ୍ନ ରାଜ୍ୟର ନିର୍ବାଚନ ସହ  ଜଡ଼ିତ ନେତାମାନେ ଯୋଗ ଦେଇଥିଲେ । ଓଡ଼ିଶାର  ନେତାମାନେ ବୈଠକରେ ସାମିଲ ହୋଇଥିଲେ । 

ବୈଠକରେ ମଣ୍ଡଳ, ଜିଲ୍ଲା ସହ ରାଜ୍ୟ  ସଭାପତି ଯାଏଁ ସାଂଗଠନିକ ନିର୍ବାଚନ ସଂପର୍କରେ  ବିସ୍ତୃତ ଆଲୋଚନା ହୋଇଛି । ଏହାଛଡ଼ା ସଦସ୍ୟତା  ଅଭିଯାନ ସଂପର୍କରେ ମଧ୍ୟ ଚର୍ଚ୍ଚା ହୋଇଥିଲା । ଦୀର୍ଘ  ୬ ଘଣ୍ଟାର ଏ ବୈଠକରେ ସାଂଗଠନିକ ନିର୍ବାଚନ  ନେଇ ଟିକିନିଖି ଚର୍ଚ୍ଚା ହୋଇଥିଲା ବେଳେ ଆଗକୁ  ଏଥିପାଇଁ ସ୍ୱତନ୍ତ୍ର କର୍ମଶାଳାର ଆୟୋଜନ କରାଯିବ ।  ଚଳିତ ମାସ ଶେଷ ଯାଏ ବିଜେପିର ସଦସ୍ୟତା  ଅଭିଯାନ ଚାଲିବ । ଏହାପରେ ଆରମ୍ଭ ହେବ ମଣ୍ଡଳ  ଓ ଜିଲ୍ଲା ସାଂଗଠନିକ ନିର୍ବାଚନ । ଏଥିପାଇଁ ମଣ୍ଡଳ  ଓ ଜିଲ୍ଲା ନିର୍ବାଚନ ଅଧିକାରୀ ନିଯୁକ୍ତି ପାଇବେ ।  ଡିସେମ୍ବର ପହିଲାରୁ ରାଜ୍ୟ ସଭାପତି ପଦ ସହ  ଅନ୍ୟ ପଦାଧିକାରୀଙ୍କ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ  ହେବାକୁ କାର୍ଯ୍ୟସୂଚୀ ସ୍ଥିର ହୋଇଛି । ରାଜ୍ୟ ମୁଖିଆ  ଭାବେ କେନ୍ଦ୍ରୀୟ ବିଜେପି କାହାକୁ ଭରସା କରୁଛି  ତା’କୁ ନେଇ ଦିଲ୍ଲୀରୁ ଭୁବନେଶ୍ୱର ଯାଏ ଚାଲିଛି ଚର୍ଚ୍ଚା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.