ନୂଆଦିଲ୍ଲୀ, ୨୨।୨: ବିଶ୍ୱ ପୁଣି ଥରେ ଧ୍ୱଂସର ସ୍ଥିତିରେ ଉପୁଜିପାରେ । ଚୀନରେ କରୋନା ଭଳି ଆଉ ଏକ ନୂଆ ଭାଇରସ ମିଳିଛି । ଏହା ପଶୁଙ୍କଠାରୁ ମଣିଷକୁ ବ୍ୟାପିବାର ଆଶଙ୍କା ରହିଛି । ଚୀନର ଉହାନ ଲ୍ୟାବରେ ଏହି ନୂଆ ଭାଇରସ ମିଳିଛି । ବିଶେଶ କରି ବାଦୁଡ଼ିରୁ ଏହି ଭାଇରସ୍ ବ୍ୟାପୁଥିବାର କୁହାଯାଉଛି । ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଚୀନର ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ଗବେଷକମାନେ ଏହି ନୂଆ ଭାଇରସ ଆବିଷ୍କାର କରିଛନ୍ତି । ଗବେଷକଙ୍କ କହିବାଅନୁସାରେ, ଏହି ଭାଇରସ କରୋନାଭାଇରସ୍ ପରି ସମାନ ରିସେପ୍ଟର ମାଧ୍ୟମରେ କୋଷଗୁଡ଼ିକରେ ପ୍ରବେଶ କରେ । ଏହି ଭାଇରସ ମଣିଷ ଏବଂ ଅନ୍ୟାନ୍ୟ ସ୍ତନ୍ୟପାୟୀ ପ୍ରାଣୀଙ୍କ ଶରୀରରେ ମିଳୁଥିବା ପ୍ରୋଟିନ ସହିତ ବାନ୍ଧି ହୋଇ କୋଷଗୁଡ଼ିକୁ ସଂକ୍ରମିତ କରେ । ଏହି ନୂତନ ଭାଇରସକୁ ମଧ୍ୟ ପୂର୍ବ ଶ୍ୱାସକ୍ରିୟା ସିଣ୍ଡ୍ରୋମ ଅର୍ଥାତ୍ MERS ନାମରେ ମଧ୍ୟ ଜଣାଶୁଣା ।
ରିପୋର୍ଟ ଅନୁଯାୟୀ, ୨୦୧୨ରୁ ମେ ୨୦୨୪ ପର୍ଯ୍ୟନ୍ତ ପ୍ରାୟ ୨୬୦୦ ଲୋକଙ୍କଠାରେ MERS ଭାଇରସ ନିଶ୍ଚିତ ହୋଇଛି । ଏହି ଭାଇରସ୍ ଦ୍ୱାରା ସଂକ୍ରମିତ ଲୋକଙ୍କ ମଧ୍ୟରୁ ୩୬ ପ୍ରତିଶତ ମୃତ୍ୟୁବରଣ କରିଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୱେବସାଇଟ୍ ଅନୁଯାୟୀ, ଏହାର ଅଧିକାଂଶ ମାମଲା ସାଉଦି ଆରବରେ ମିଳିଛି । କହିରଖୁ କି, ସାରା ବିଶ୍ୱରେ କରୋନା ଭାଇରସ ଯୋଗୁଁ ୧୫ ନିୟୁତରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଅଧିକାଂଶ ମୃତ୍ୟୁ ଦକ୍ଷିଣପୂର୍ବ ଏସିଆ, ୟୁରୋପ ଏବଂ ଆମେରିକାରେ ଘଟିଛି । WHO ରିପୋର୍ଟ ଅନୁଯାୟୀ, ଭାରତରେ କୋଭିଡ ଯୋଗୁଁ ୪୭ ଲକ୍ଷ ମୃତ୍ୟୁ ଘଟିଛି । କିନ୍ତୁ ଭାରତ WHO ଏହି ତଥ୍ୟ ଉପରେ ଆପତ୍ତି କରିଥିଲା । ଭାରତ ସରକାରଙ୍କ କହିବା ଅନୁଯାୟୀ ଜାନୁଆରୀ ୨୦୨୦ ରୁ ଡିସେମ୍ବର ୨୦୨୧ ପର୍ୟ୍ୟନ୍ତ ଦେଶରେ କେବଳ ୪ ଲକ୍ଷ ୮୦ ହଜାର ମୃତ୍ୟୁ ଘଟିଛି । ଏବେ ଏହି ନୂଆ ଭାଇରସ୍ ଲୋକଙ୍କ ମନରେ ଆତଙ୍କ ଖେଳାଇଛି ।