ନୂଆଦିଲ୍ଲୀ, ୨୨।୨: ଅନେକ କମ୍ପାନୀର ଭିନ୍ନ ଭିନ୍ନ ନିୟମ ଥାଏ । ଯାହାକୁ କର୍ମଚାରୀମାନେ ମାନିବାକୁ ବାଧ୍ୟ ହୋଇଥାନ୍ତି । କିଛି କମ୍ପାନୀରେ ନିୟମ ଉଲଙ୍ଘନ କଲେ ଏଥିପାଇଁ ଜୋରିମାନା ମଧ୍ୟ ଦେବାକୁ ପଡ଼େ । ଠିକ୍ ସେହିଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ସାମନାକୁ ଆସିଛି । ଏକ କମ୍ପାନୀ କର୍ମଚାରୀଙ୍କ ପାଇଁ ଏକ ଅଜବ ନିୟମ ଲଗାଇଛି । ଆଉ ଏହି ନିୟମ ଉଲଙ୍ଘନ କଲେ କର୍ମଚାରୀଙ୍କୁ ୧୦୦ ୟୁୟାନ୍ ଅର୍ଥାତ୍, ପାଖାପାଖି ୧୨୦୦ ଟଙ୍କା ଦେବାକୁ ପଡ଼େ । କ’ଣ ଏହି ନିୟମ ଆସନ୍ତୁ ଜାଣିବା ।
ଏହି କମ୍ପାନୀ ତା’ର କର୍ମଚାରୀଙ୍କ ପାଇଁ ୨ ମିନିଟ୍ର ଟଏଲେଟ୍ ନିୟମ ଲାଗୁ କରିଛି, ଯାହା ସୋସିଆଲ ମିଡିଆରେ ବହୁ ଭାଇରାଲ ହେବାରେ ଲାଗୁଛି । ଟଏଲେଟ୍ରେ ୨ ମିନିଟ୍ରୁ ଅଧିକ ରହିଲେ ଦେବାକୁ ପଡ଼ିବ ୧୨୦୦ ଟଙ୍କା ଜରିମାନା । ଅର୍ଥାତ୍, ଅଫିସରେ କର୍ମଚାରୀଙ୍କୁ ଟଏଲେଟ୍ ଯିବାକୁ ମାତ୍ର, ଦୁଇ ମିନିଟ୍ ସମୟ ଦିଆଯାଏ ଯାହାକି ଅତ୍ୟନ୍ତ ଅମାନବୀୟ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଏଥିପାଇଁ କର୍ମଚାରୀଙ୍କ ଉପରେ ନଜର ରଖିବାକୁ ଟଏଲେଟ୍ ବାହାରେ ସିସିଟିଭି ମଧ୍ୟ ଲଗାଯାଇଛି । କର୍ମଚାରୀମାନଙ୍କ ଉପରେ ନଜର ରଖିବା ଏବଂ ନିୟମ ଉଲ୍ଲଂଘନ ପାଇଁ ମୋଟା ଅଙ୍କର ଜରିମାନା ଆଦାୟ କରିବା ଅନ୍ୟାୟ ବୋଲି ଅନେକ ୟୁଜରମାନେ ମତ ଦେଇଛନ୍ତି । ଏଥିପାଇଁ କମ୍ପାନୀକୁ ଏନେଇ ବହୁତ ସମାଲୋଚନା କରାଯାଇଛି । କେଉଁଠି ରହିଛି ଏହି କମ୍ପାନୀ ? ଏହାର ନାଁ କ’ଣ ? ଚାଇନାର ଗୁଆଙ୍ଗଡୋଙ୍ଗର ଫୋସାନରେ ଅବସ୍ଥିତ ଥ୍ରୀ ବ୍ରଦର୍ସ ମେଶିନ ମ୍ୟାନୁଫ୍ୟାକଚରିଂ କମ୍ପାନୀ । ଏହି କମ୍ପାନୀ ୧୧ ଫେବୃଆରୀରେ ଦୁଇ ମିନିଟର ‘ଟଏଲେଟ୍ ବ୍ରେକ୍’ ନିୟମ ଲାଗୁ କରିଥିଲା । ଏକ ପ୍ରାଚୀନ ଚିକିତ୍ସା ପାଠ୍ୟକୁ ଉଦ୍ଧୃତ କରି କମ୍ପାନୀ ଯୁକ୍ତି ଦେଇଛି ଯେ, କର୍ମଚାରୀଙ୍କ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏହା ବ୍ୟତୀତ, ନୂତନ ନିୟମର ଲକ୍ଷ୍ୟ ହେଉଛି ଦକ୍ଷତା ଏବଂ କର୍ମକ୍ଷେତ୍ର ଶୃଙ୍ଖଳାକୁ ଉନ୍ନତ କରିବା ।
ତେବେ ଏହି ଟଏଲେଟ୍ ରୁଲ୍ରେ କେଉଁ କେଉଁ ନିୟମ ରହିଛି ? କମ୍ପାନୀ କର୍ମଚାରୀଙ୍କୁ ସୀମିତ ସମୟ ସୀମା ଭିତରେ ଟଏଲେଟ୍ ବ୍ୟବହାର କରିବାକୁ ଦେଇଥାଏ । କମ୍ପାନୀର ନୂଆ ନିୟମ ଅନୁଯାୟୀ, କର୍ମଚାରୀମାନେ ସକାଳ ୮ଟା ପୂର୍ବରୁ, ସକାଳ ୧୦.୩୦ରୁ ୧୦.୪୦ ମଧ୍ୟରେ, ମଧ୍ୟାହ୍ନ ୧୨ରୁ ୧.୩୦, ଅପରାହ୍ନ ୩.୩୦ରୁ ୩.୪୦ ମଧ୍ୟରେ, ଏବଂ ସନ୍ଧ୍ୟା ୫.୩୦ରୁ ୬ଟା ମଧ୍ୟରେ ଟଏଲେଟ୍ ବ୍ୟବହାର କରିପାରିବେ । କିନ୍ତୁ, ତାହା ପୁଣି କେବଳ ୨ ମିନିଟ୍ ପାଇଁ ରହିଛି । ଯଦି କାହାକୁ ନିର୍ଦ୍ଧାରିତ ସମୟ ସୀମା ଅତିକ୍ରମ କରିବାକୁ ପଡ଼େ, ତେବେ ଏଥିପାଇଁ ଏଚ୍ଆରଙ୍କଠାରୁ ଅନୁମତି ନେବାକୁ ପଡ଼ିବ । ଏଥିପାଇଁ କମ୍ପାନୀ କର୍ମଚାରୀଙ୍କ ଦରମାରୁ ଟଙ୍କା କାଟିଥାଏ । କମ୍ପାନୀର ଏହି ନିୟମ ଫେବୃଆରୀ ୧୧ରେ ଏକ ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ ହୋଇଥିଲା । କମ୍ପାନୀ କହିଥିଲା ଯେ, ମାର୍ଚ୍ଚ ୧ରୁ ଏନେଇ କଠୋର ପଦକ୍ଷେପ ନିଆଯିବ । ଅନେକ ୟୁଜର୍ସଙ୍କ କହିବାନୁସାରେ, ଏହି ନିଷ୍ପତ୍ତି କେବଳ ଅନୈତିକ ନୁହେଁ ବରଂ କର୍ମଚାରୀଙ୍କ ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ । ତେବେ କହିରଖୁ କି, କମ୍ପାନୀର ଏହି ନିଷ୍ପତ୍ତିକୁ ନେଇ ସୋସିଆଲ ମିଡିଆରେ ଉଠିଥିଲା ବିବାଦ । ଯାହା ପରେ କମ୍ପାନୀକୁ ତା’ର ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛି ।