ନୂଆଦିଲ୍ଲୀ: ଆମେରିକାର ପ୍ରସିଦ୍ଧ ହୋଉଷ୍ଟନ ବିଶ୍ୱବିଦ୍ୟାଳୟର ପାଠ୍ୟ ଖସଡାରେ ହିନ୍ଦୁ ଧର୍ମକୁ ସ୍ଥାନ ମିଳିବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ସେହି ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିବା ଜଣେ ଭାରତୀୟ-ଆମେରିକୀୟ ଛାତ୍ର ଏହାକୁ ହିନ୍ଦୁଫୋବିକ କହିବା ସହ ଭାରତୀୟ ରାଜନୈତିକ ଦୃଶ୍ୟପଟ୍ଟକୁ ଅତ୍ୟନ୍ତ ଘୃଣ୍ୟ ଭାବେ ବର୍ଣ୍ଣନା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି। ତେବେ ଛାତ୍ରଙ୍କ ଅଭିଯୋଗକୁ ଜଲଦି ଯାଞ୍ଚ କରାଯିବ ବୋଲି ବିଶ୍ୱ ବିଦ୍ୟାଳୟ କତ୍ତୃପକ୍ଷ ଘୋଷଣା କରିଛନ୍ତି।
ସୂଚନା ମୁତାବକ, ହୋଉଷ୍ଟନ ବିଶ୍ୱବିଦ୍ୟାଳୟ ହିନ୍ଦୁ ଧର୍ମ ଉପରେ ଏକ କୋର୍ସ ଜାରି କରିବା ପରେ ଏହି ବିବାଦ ଆରମ୍ଭ ହୋଇଛି। ଛାତ୍ର ମାନଙ୍କୁ ଏହି କୋର୍ସ ଅନଲାଇନ ଯୋଗେ ଶିକ୍ଷା ଦିଆଯାଉଛି। ଆରୋନ ମିସେଲ ନାମକ ଜଣେ ପ୍ରଫେସର ସପ୍ତାହିକ ଭାବେ ଅନଲାଇନ ଭିଡିଓ ଲେକ୍ଚର ଯୋଗେ ଛାତ୍ରମାନଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି। ଏହି ଲେକ୍ଚରରେ ହିନ୍ଦୁ ଧର୍ମ ଏକ ପୁରାତନ ଧର୍ମ ନୁହେଁ, ଏହା ଏକ ଉପନିବେଶ ଧର୍ମ, ହିନ୍ଦୁ ଜାତୀୟତାବାଦୀଙ୍କ ଦ୍ୱାରା ଏହା ଏକ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର ଓ ଏହି ଧର୍ମ ସଂଖ୍ୟାଲଘୁଙ୍କ ପ୍ରତି ଅତ୍ୟାଚାର କରେ ବୋଲି ଆଦି ବିଷୟ ରହିଛି।
ତେବେ ହୋଉଷ୍ଟନ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ପାଠ ପଢାଉଥିବା ଜଣେ ଲେକ୍ଚର ବସନ୍ତ ଭଟ୍ଟ ଏନେଇ ପୁର୍ବରୁ କଲେଜ କତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। କାହା ଆଧାରରେ ଛାତ୍ରମାନଙ୍କୁ ଏ ପ୍ରକାର ଶିକ୍ଷା ଦିଆଯାଉଛି ବୋଲି ସେ ବିଶ୍ୱବିଦ୍ୟାଳୟର ଡିନଙ୍କୁ ପ୍ରଶ୍ନ କରିଥିଲେ। ଏହି ପାଠ୍ୟ ଖସଡାରେ ଥିବା ସିଲାବସ ରେ ହିନ୍ଦୁ ଶବ୍ଦକୁ ନୂତନ ବୋଲି କୁହାଯାଇଛି। ହିନ୍ଦୁ ଜାତିୟତାବାଦୀମାନଙ୍କ ଦ୍ୱାରା ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ପାଇଁ ହିନ୍ଦୁତ୍ୱ ଓ ହିନ୍ଦୁ ଶବ୍ଦର ବ୍ୟବହାର କରାଯାଉଛି। ଭାରତ ଏହି ଧର୍ମକୁ ନିଜର ଆଧିକାରିକ ଧର୍ମ ଭାବେ ଘୋଷଣା କରିଛି। ସେମାନଙ୍କର ଧର୍ମକୁ ନିର୍ଦ୍ଦିଷ୍ଟ କରିବା ଏବଂ ଅନ୍ୟମାନଙ୍କ ଧର୍ମ ଅର୍ଥାତ୍ ଇସଲାମକୁ ନିନ୍ଦିତ କରିବା ପାଇଁ ହିନ୍ଦୁ ଶବ୍ଦର ବ୍ୟବହାର କରାଯାଏ ବୋଲି ଏହାର ସିଲାବସରେ ପାଠ୍ୟକ୍ରମ ରହିଅଛି।
ଏହିଭଳି ବିକୃତ ପାଠ୍ୟ ଖସଡା ପାଇଁ ଏହାକୁ ନେଇ ଆମେରିକାରେ ବିବାଦ ଆରମ୍ଭ ହୋଇଯାଇଛି। ଆମେରିକାରେ ରହୁଥିବା ଭାରତୀୟ ମାନଙ୍କୁ ଏହି ପାଠ୍ୟ ଖସଡା ପାଇଁ ଭେଦଭାବର ଶିକାର ହେବାକୁ ପଡୁଛି ବୋଲି ଭଟ୍ଟ ଅଭିଯୋଗ ଆଣିଛନ୍ତି। ତେବେ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ଏହାକୁ ନେଇ ବହୁ ଜଲଦି ନିଷ୍ପତ୍ତି ଗ୍ରହଣ କରିବେ ବୋଲି ସୂଚନା ଦେଇଥିବା ଜଣାପଡିଛି।