ବ୍ରହ୍ମପୁର,୨୭/୦୪: ଭୀମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, "୨୦୩୬ରେ ସ୍ୱତନ୍ତ୍ର ଓଡିଶା ତାର ୧୦୦ ବର୍ଷ ପୂରଣ କରୁଛି । ୨୦୪୭ରେ ମଧ୍ୟ ସ୍ବାଧୀନ ଭାରତର ୧୦୦ ବର୍ଷ ପୂରଣ ହେଉଛି । ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନ ପାଇଁ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଉଦ୍ୟମ ଆରମ୍ଭ କରିଛନ୍ତି । ସମୃଦ୍ଧ ଓଡିଶା ଗଠନ ଦିଗରେ ଶିକ୍ଷାର ମହତ୍ତ୍ଵପୂର୍ଣ୍ଣ ଭୂମିକା ରହିବ। ତେଣୁ ଉଭୟ ପ୍ରାଥମିକ ତଥା ଉଚ୍ଚ ଶିକ୍ଷାକୁ ଦୃଢିଭୂତ କରିବା ପାଇଁ ଆମ ସରକାର ବଦ୍ଧପରିକର।"
ଭୀମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି,"ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଉନ୍ନୀତ ହୋଇ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକାରୀ ସମାଜର ସେବା କରୁଛନ୍ତି । ଆଦର୍ଶ ଶିକ୍ଷକ ସ୍ୱର୍ଗତ ଭଗବାନ ପଣ୍ଡାଙ୍କ ଉଦ୍ୟମରେ ସ୍ଵାଧୀନତା ପୂର୍ବରୁ ୧୦୨୪ ମାର୍ଚ୍ଚ ୧୫ରେ ଏହି ବିଦ୍ୟାଳୟ ତା’ର ଯାତ୍ରା ଆରମ୍ଭ କରିଥିଲା । ଗାଁ ଚାଟଶାଳୀରୁ ଆରମ୍ଭ ହୋଇଥିବା ଏହି ଶତାୟୁ ବିଦ୍ୟାଳୟ ଦୀର୍ଘ ଦଶ ଦଶନ୍ଧି ଧରି ଅଞ୍ଚଳରେ ଜ୍ଞାନର ଆଲୋକ ବିକିରଣ କରି ଆସୁଅଛି।ବିଦ୍ୟାଳୟକୁ ପ୍ରତିଷ୍ଠା କରିବାରେ ଆଉ ଯେଉଁମାନଙ୍କ ଯୋଗଦାନ ରହିଥିଲା ଏ ଅବସରରେ ସେମାନଙ୍କୁ ମୁଁ ପ୍ରଣାମ କରୁଛି।"
"୪୩୦ ବର୍ଷ ତଳେ ଜଣେ ପାଶ୍ଚାତ୍ୟ ଦାର୍ଶନିକ କହିଥିଲେ, ‘Knowledge is power’, ଅର୍ଥାତ ‘ଜ୍ଞାନ ହିଁ ଶକ୍ତି’। ଆଜି ମଧ୍ୟ ଏହି ବକ୍ତବ୍ୟଟି ପ୍ରାସଙ୍ଗିକ, ବୋଧହୁଏ ସେତେବେଳ ଅପେକ୍ଷା ଆଜି ଅଧିକ ପ୍ରାସଙ୍ଗିକ । ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଶିକ୍ଷାଦାନ କୌଣସି ନୂଆ କଥା ନୁହେଁ। ଗୁରୁଙ୍କ ଆଶ୍ରମରେ ରହି ସେତେବେଳେ ପିଲାମାନେ ଶିକ୍ଷାଦାନ କରୁଥିଲେ। ଗୁରୁଙ୍କ ଆଶ୍ରମରେ ଧନୀ ଗରିବ ନିର୍ବିଶେଷରେ ସମସ୍ତେ ଶିକ୍ଷା ଲାଭ କରୁଥିଲେ। ଆପଣ ସମସ୍ତେ ଜାଣିଥିବେ ଗୁରୁ ସନ୍ଦିପନୀଙ୍କ ଆଶ୍ରମରେ ଶ୍ରୀକୃଷ୍ଣଙ୍କ ସହିତ ସୁଦାମା ମଧ୍ୟ ଶିକ୍ଷାଲାଭ କରିଥିଲେ। "
"କିନ୍ତୁ, କାଳକ୍ରମେ ଏହି ଗୁରୁ ଶିଷ୍ୟ ପରମ୍ପରା ଇତିହାସ ହୋଇଗଲା ଏବଂ ଏହା ବଦଳରେ ବ୍ରିଟିଶ ସରକାରଙ୍କ ଶିକ୍ଷା ନୀତି ପ୍ରଚଳିତ ହୋଇଥିଲା। ଭୀମପୁର ସ୍କୁଲ ବି ସେହି ଶିକ୍ଷା ବ୍ୟବସ୍ଥାର ଏକ ଅଙ୍ଗ ଥିଲା। ସେତେବେଳେ ଶିକ୍ଷାର ସବୁଠାରୁ ବଡ ଉଦ୍ଦେଶ୍ୟ ଥିଲା, ସରକାରୀ କାମ ପାଇଁ କିରାଣୀ ଏବଂ ଅନ୍ୟାନ୍ୟ ସରକାରୀ ଅଧିକାରୀ ପ୍ରସ୍ତୁତ କରିବା। ଜ୍ଞାନ ଆହରଣ, ଚରିତ୍ର ଗଠନ ସେହି ଶିକ୍ଷା ପଦ୍ଧତିର ଉଦ୍ଦେଶ୍ୟ ନ ଥିଲା।"
"କ୍ଷୋଭର ବିଷୟ ଯେ ଏହି ଶିକ୍ଷା ପଦ୍ଧତି ସ୍ଵାଧୀନତାର ସାତ ଦଶନ୍ଧି ପର୍ଯ୍ୟନ୍ତ ଚାଲିଥିଲା। ୨୦୨୦ ମସିହାରେ ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦିଗଦର୍ଶନରେ ନୂତନ ଶିକ୍ଷା ନୀତି ପ୍ରଣୟନ ହୋଇଥିଲା। କିନ୍ତୁ, ରାଜନୈତିକ ଅଭିସନ୍ଧି ରହି ଏହାକୁ ତତ୍କାଳୀନ ସରକାର ଓଡିଶାରେ ପ୍ରଚଳନ କରି ନଥିଲେ। ଆମ ସରକାର ଶାସନ କ୍ଷମତାକୁ ଆସିବା ମାତ୍ରେ ଏହାକୁ ଲାଗୁ କରିଥିଲେ ଏବଂ ଏହି ନୂତନ ଶିକ୍ଷାନୀତି ରାଜ୍ୟର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ କରିବାରେ ସାହାଯ୍ୟ କରିବ। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ମାର୍ଗ ଦର୍ଶନରେ ନୂତନ ଶିକ୍ଷାନୀତି ଦେଶରେ ତଥା ଆମ ରାଜ୍ୟରେ ଶିକ୍ଷା ବିପ୍ଲବ ଆଣିବ ବୋଲି ମୋର ବିଶ୍ୱାସ।"
ସେ ଆହୁରି ମଧ୍ୟ କହିଛନ୍ତି ଯେ, "ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ନିକଟରେ ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ଆମେ ପ୍ରାକ୍-ପ୍ରାଥମିକ ଶ୍ରେଣୀ ଶିକ୍ଷା ବା ‘ଶିଶୁ ବାଟିକା’ ଆରମ୍ଭ କରିଛୁ। ୨୦୨୫-୨୬ ଶିକ୍ଷା ବର୍ଷରୁ ସବୁ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ଲେଖାଏଁ ଶିଶୁବାଟିକା ଖୋଲାଯିବ। ଏହି ସବୁ ଶିଶୁବାଟିକା ଗୁଡିକରେ ପିଲାମାନଙ୍କୁ ମନୋରଞ୍ଜନ ଧର୍ମୀ ଶିକ୍ଷା ପ୍ରଦାନ ଜରିଆରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସେମାନଙ୍କୁ ସୁଦୃଢ କରାଯିବ।"
"ଚଳିତ ବର୍ଷ ମଧ୍ୟ ଆମେ ଓଡିଆ ପରମ୍ପରା ଅନୁଯାୟୀ ରାଜ୍ୟବ୍ୟାପୀ ସବୁ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକା ପାଇଁ ‘ଖଡି ଛୁଆଁ’ କାର୍ଯ୍ୟକ୍ରମ ଆରମ୍ଭ କରିଛୁ । ମୁଁ ମଧ୍ୟ ଭୁବନେଶ୍ୱରର ଏକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି ।"
"ନୂତନ ଜାତୀୟ ଶିକ୍ଷାନୀତି ଆଧାରରେ ଓଡିଶାରେ ମଧ୍ୟ ନିପୁଣ ଓଡିଶା ମିଶନ ଆରମ୍ଭ କରାଯାଇଛି। ଏଥିରେ ଛାତ୍ରଛାତ୍ରୀ ମାନଙ୍କ ମୌଳିକ ସ୍ୱାକ୍ଷରତା ଓ ସଂଖ୍ୟା ଜ୍ଞାନ ବୃଦ୍ଧି ପାଇଁ ବ୍ୟବସ୍ଥା କରାଯାଇଛି । ମାତୃଭାଷା ଭିତ୍ତିକ ଶିକ୍ଷଣ ଜରିଆରେ ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ ଉଦ୍ୟମ କରାଯାଉଛି। ନିପୁଣ ଓଡିଶା କାର୍ଯ୍ୟକ୍ରମ ଜରିଆରେ, ଆମର ଛାତ୍ରଛାତ୍ରୀ ମାନେ ନିଶ୍ଚିତ ଭାବରେ ମୌଳିକ ଜ୍ଞାନ ହାସଲ କରି ଉଚ୍ଚଶିକ୍ଷାରେ ସଫଳ ହେବେ ।"
"ଆମ ସରକାର କ୍ଷମତାକୁ ଆସିବା ପୂର୍ବରୁ, ଯେତେବେଳେ ୫T ସ୍କୁଲ ପ୍ରହସନ ଚାଲିଥିଲା, ଲୋକେ ଥଟା ମଜାରେ କହୁଥିଲେ, ‘ପୁଅ ମୋ ପଢୁଛି ପାଠ, କହୁଛି ଦୁଇ ଦୁଣେ ଆଠ’। ଏହା କେବଳ ଏକ ଥଟ୍ଟା ମଜାର କଥା ନୁହେଁ। ଏହା ପ୍ରକୃତରେ ପ୍ରାଥମିକ ସ୍ତରରେ ଶିକ୍ଷାର ମାନକୁ ଦର୍ଶାଉଥିଲା ଯାହା ଅମୂଳକ ନୁହେଁ। ମୁଁ ନିଜେ ଜଣେ ଶିକ୍ଷକ ଥିଲି, ତେଣୁ ଗୁଣାତ୍ମକ ଶିକ୍ଷାର ମହତ୍ଵକୁ ମୁଁ ଭଲଭାବେ ଜାଣିଛି। ମୁଁ ବି ହୃଦୟଙ୍ଗମ କରିଛି ଯେ ଗତ ବର୍ଷ ମାନଙ୍କରେ ପ୍ରାଥମିକ ଶିକ୍ଷାରେ ଗୁଣାତ୍ମକ ମାନକୁ ଦୃଷ୍ଟିରେ ରଖାଯାଇନାହିଁ। ଏହା ମୋର ଅଙ୍ଗେ ନିଭାଇଥିବା କଥା। ପ୍ରାଥମିକ ଶିକ୍ଷା ହେଉଛି ଜଣେ ବିଦ୍ୟାର୍ଥୀର ମୂଳଦୁଆ, ମୂଳଦୁଆ ଦୁର୍ବଳ ହେଲେ, କୋଠା ଦୁର୍ବଳ ହୋଇଯିବା ସ୍ଵାଭାବିକ।"
"ପ୍ରାଥମିକ ବିଦ୍ୟାଳୟର ଉନ୍ନତି ପାଇଁ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ମଧ୍ୟ ଶୁଭାରମ୍ଭ କରାଯାଇଛି । ଏଥିରେ ପ୍ରତି ପଞ୍ଚାୟତରେ ଗୋଟିଏ ବିଦ୍ୟାଳୟକୁ ଅତ୍ୟାଧୁନିକ ବିଦ୍ୟାଳୟ ଭାବେ ନିର୍ମାଣ କରାଯିବ। ଉତ୍ତମ ଭିତ୍ତିଭୂମି ସହିତ ଗୁଣୀ ଏବଂ ତାଲିମପ୍ରାପ୍ତ ଶିକ୍ଷକ ଏହି ବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ କରିବେ। "
"ସେହିପରି ଆଦିବାସୀ ପିଲାମାନଙ୍କ ମଧ୍ୟରେ ଡ୍ରପ୍ ଆଉଟ ହାର କମାଇବା ପାଇଁ ଆମ ସରକାର ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା ଆରମ୍ଭ କରିଛନ୍ତି। ଏହିସବୁ ପଦକ୍ଷେପ ଗୁଡିକ ଆଗାମୀ ଦିନରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଦିଗରେ ନିଶ୍ଚିତ ଭାବରେ ଭଲ ପ୍ରଭାବ ପକାଇବ।"
"ରାଜ୍ୟରେ ପ୍ରାଥମିକ ଶିକ୍ଷା ବିକାଶ ପାଇଁ ସରକାର ପ୍ରତିବଦ୍ଧ। ଚଳିତ ବଜେଟରେ ପ୍ରାଥମିକ ଶିକ୍ଷା ପାଇଁ ରେକର୍ଡ ୩୧ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ଶିଶୁ ବାଟିକା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା, ପଞ୍ଚଶଖା ଶିକ୍ଷା ସେତୁ ଅଭିଯାନ ଆଦି ଯୋଜନା ଜରିଆରେ ସ୍କୁଲ ଶିକ୍ଷାର ସୁଦୃଢୀକରଣ ପାଇଁ ପଦକ୍ଷେପ ନିଆଯାଉଛି। ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ନିକଟରେ ଆରମ୍ଭ ହୋଇଥିବା ଶିଶୁ ବାଟିକା ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି। ରାଜ୍ୟରେ ଶିଶୁଙ୍କ ଅପପୁଷ୍ଟିକୁ ଦ୍ରୁଷ୍ଟିରେ ରଖି ସପ୍ତାହରେ ଗୋଟିଏ ଅଧିକ ଅଣ୍ଡା ସହିତ ତିନୋଟି ପୁଷ୍ଟିକର ଲଡୁର ମଧ୍ୟ ବ୍ୟବସ୍ଥା କରିଛନ୍ତି।"
"କେବଳ ପାଠପଢା ନୁହେଁ, କ୍ରୀଡା, ନୃତ୍ୟ, ସଙ୍ଗୀତ, କଳା ଆଦି କ୍ଷେତ୍ରରେ ବିଶାଳ ସୁଯୋଗ ଅଛି। କେବଳ ସରକାରୀ ଚାକିରିରେ ପିଲାମାନେ ନିଜକୁ ଆବଦ୍ଧ କରିବା ଉଚିତ ନୁହେଁ। ଆମ ସମୟରେ ସୀମିତ ସୁଯୋଗ ଥିଲା। କିନ୍ତୁ, ଆଜି ଏତେ ସୁଯୋଗ ଅଛି ଯେ ଚିନ୍ତା କରିବା ବି ମୁସ୍କିଲ। ତେଣୁ ଯିଏ ଯେଉଁ କ୍ଷେତ୍ରରେ ନିଜକୁ କମ୍ଫର୍ଟେବଲ୍ ଫିଲ୍ କରୁଛି, ତାକୁ ତାହା କରିବାକୁ ଦେବା ଉଚିତ। ମୋର ସମସ୍ତ ଅଭିଭାବକଙ୍କୁ ଅନୁରୋଧ ଯେ ଜୋର୍ ଜବରଦସ୍ତି ନିଜ ପିଲାଙ୍କୁ କେବଳ ଡାକ୍ତର ଇଞ୍ଜିନିୟର କରିବା ଘୋଡା ଦୌଡରେ ସାମିଲ କରନ୍ତୁ ନାହିଁ। ଡାକ୍ତର ଇଞ୍ଜିନିୟର ବାହାରେ ବି ଗୋଟିଏ ସଫଳ, ସୁନ୍ଦର career choice ଅଛି। ଆଜିକାଲି ସୁଯୋଗର କିଛି ଲିମିଟ ନାହିଁ, ଏହା ଆସିମୀତ। ପିଲାମାନକୁ ନିଜ ଇଚ୍ଛାରେ ଉଡିବାକୁ ଦିଅନ୍ତୁ। ସ୍ଵପ୍ନ ଦେଖିବା ପାଇଁ ସୁଯୋଗ ଦିଅନ୍ତୁ, ଏବଂ ସ୍ଵପ୍ନକୁ ପୂରଣ କରିବା ପାଇଁ ସେମାନଙ୍କୁ ସାହାଯ୍ୟ କରନ୍ତୁ। କାରଣ, ଏମାନେ ହେଲେ ଆମର ଭବିଷ୍ୟତ।"
"ବ୍ରହ୍ମପୁରରେ ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ ପରେ ପାତ୍ରପୁର ବ୍ଲକ ଭୀମପୁରରେ ହ୍ୟାଲିପେଡ ହେଲିକପ୍ଟରରୁ ଓହ୍ଲାଇଥିଲେ। ମନୁ ସେନା ସମ୍ପାଦିକା ମୀନା ଦ୍ୟାନସାମନ୍ତରା ବିରାଟ ପଟୁଆରରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ବିଦ୍ୟାଳୟରେ ପହଞ୍ଚି ଶତବାର୍ଷିକୀ ଫଳକ ଉନ୍ମୋଚନ ପରେ ପରିଚାଳନା କମିଟି ସହ ଆଲୋଚନା କରିଥିଲେ। ଏହାପରେ ଆୟୋଜିତ ସଭାସ୍ଥଳରେ ପହଞ୍ଚି ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମ ସଭାପତି ତଥା ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ଛାତ୍ର ରାଧାକାନ୍ତ ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଖଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ପାତ୍ରପୁର ବ୍ଳକ ଅଧ୍ୟକ୍ଷ ୱାଇ ସଂଯୁକ୍ତା, ଉପାଧ୍ୟକ୍ଷ ଅନାଦି ଚରଣ ପଣ୍ଡିତ, ଜିଲ୍ଲା ପରିଷଦ ସଭ୍ୟ ଏମ କମାରଜୁ, ସମନ୍ତିଆପଲ୍ଲି ସରପଞ୍ଚ ଏନ ତ୍ରିପତି, ସମିତିସଭ୍ୟ ପ୍ରଶାନ୍ତ ସାହୁ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମଞ୍ଚାସିନ ଥିଲେ।ଜିଲ୍ଲାପରିଷଦ ସିଡିଓ ମଧୁମିତା, ବ୍ରହ୍ମପୁର ଉପଜିଲ୍ଲାପାଳ ଦିନା ଦସ୍ତାଗିର, ବ୍ରହ୍ମପୁର ଏସପି ଡା ସରବଣା ବିବେକ ଏମ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ। ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ କୁମାର ସାବତଙ୍କ ସହ ବହୁ ବିଜେପି ନେତା ଓ କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରିଥିଲେ। ଚିକିଟି ବିଧାୟକ କହିଥିଲେ, ନିର୍ବାଚନ ମଣ୍ଡଳୀରେ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଓ ପର୍ଯ୍ୟଟନର ବିକାଶ ପାଇଁ ସରକାରଙ୍କ ଠାରେ ପ୍ରସ୍ତାବ ରଖିଛି। ସରକାର ପ୍ରସ୍ତାବକୁ ଗ୍ରହଣ କରି ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ଏକ ଦୁର୍ଗମ ଅଞ୍ଚଳର ଛୋଟିଆ ଗାଁରେ ସ୍କୁଲର ଶତବାର୍ଷିକୀ ଉତ୍ସବରେ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଦ୍ୟାଳୟର ପୁରାତନ ଛାତ୍ର, ବିଦ୍ୟାଳୟ ପ୍ରତିଷ୍ଠାରେ ଅବଦାନ ବ୍ୟକ୍ତିତ୍ଵଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ।"