ଭୁବନେଶ୍ୱର,୨୮/୦୪: କାଳବୈଶାଖୀ ପ୍ରଭାବରେ ପୂରା ରାଜ୍ୟରେ ପାଗ ବଦଳିବା ଯୋଗୁ ତାତି ତଳମୁହାଁ ହୋଇଛି । କିଛିଟା ଆଶ୍ୱସ୍ତି ମିଳିଛି । ସୋମବାର ୯ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁରରେ କୁଆପଥର ସହ ବର୍ଷା ଓ ଘଡ଼ଘଡ଼ି ହୋଇପାରେ ।
ରବିବାର ସକାଳ ସାଢ଼େ ୧୧ଟା ବେଳକୁ ଝାରସୁଗୁଡ଼ାରେ ତାପମାତ୍ରା ଥିଲା ୪୧.୮ ଡିଗ୍ରୀ । ରବିବାର ସେ ସମୟରେ ତାତି ୩୨ ଡିଗ୍ରୀକୁ ଖସି ଆସିଥିଲା । ସମ୍ବଲପୁରରେ ୩୯.୪ ଡିଗ୍ରୀରୁ ୨୯.୮ ଡିଗ୍ରୀକୁ ଖସିଥିଲା । ହୀରାକୁଦରେ ୩୮.୨ ଡିଗ୍ରୀରୁ ୨୯.୬ ଡିଗ୍ରୀ ଓ ରାଉରକେଲାରେ ୩୮.୮ରୁ ୨୯.୪ ଡିଗ୍ରୀକୁ ଖସି ଯାଇଥିଲା ।
ଆଗକୁ ଦିନ ତାପମାତ୍ରା ଆହୁରି କମିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୨୪ ଘଣ୍ଟାରେ ଦିନର ତାତି ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିବ । ସୋମବାର ୯ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁରରେ କୁଆପଥର ସହ ବର୍ଷା ଓ ଘଡ଼ଘଡ଼ି ହୋଇପାରେ । ପବନର ଝଟ୍କା ୫୦ରୁ ୬୦ କିମି ବେଗ ଯାଏ ଛୁଇଁପାରେ ବୋଲି ମଧ୍ୟ ପାଣିପାଗ ବିଭାଗ ସତର୍କ କରାଇଛି ।
କେବଳ ଏହି ୯ଟି ଜିଲ୍ଲା ନୁହେଁ, ବାକି ଜିଲ୍ଲାରେ ବି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଜୋର୍ରେ ପବନ ବହିବା ସହ ପବନର ଝଟ୍କା ୪୦ରୁ ୫୦ କିମି ଯାଏ ଛୁଇଁପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି ।
ଶନିବାର ଝାରସୁଗୁଡ଼ାରେ ୪୪.୭ ଡିଗ୍ର ତାପମାତ୍ରା ରେକର୍ଡ ହେବା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ରବିବାର ଏଠାରେ ତାପମାତ୍ରା ୩୫ ଡିଗ୍ରୀକୁ ଖସିଛି । ଭୁବନେଶ୍ୱରର ଦିନ ତାପମାତ୍ରା ସର୍ବାଧିକ ୩୮.୧ ଡିଗ୍ରୀ ରହିଛି । ସବୁ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଭିତରେ ରହିଛି।