ପ୍ରମୂଖ ଖବର
  • ବାଙ୍କୀ : ଭଗିପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • HMPV ଭାଇରସ୍ ମାମଲା ମିଳିବା ପରେ ଆସାମରେ ଆତଙ୍କ,୧୦ ମାସର ଶିଶୁ ସଂକ୍ରମିତ
  • ||
  • ବାଲିଗୁଡ଼ା : ବାପା ସାଜିଲା ହତ୍ୟାକାରୀ, ମଦ୍ୟପ ପୁଅକୁ ଛୁରୀ ଭୁସିଦେଲା ବାପା
  • ||
  • ବଲାଙ୍ଗୀର : ଚାଲାଣ ବେଳେ ୨୫ ଶ୍ରମିକ ଉଦ୍ଧାର, ଜଣେ ଦଲାଲ ଅଟକ
  • ||
  • କେନ୍ଦୁଝର : ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ବ୍ରହ୍ମପୁର : ପରିତ୍ୟକ୍ତ ଘରୁ ଏକାଧିକ ବୋମା ଜବତ, ନିଷ୍କ୍ରିୟ କରିବାରୁ ଆସିଲା ସ୍ବତନ୍ତ୍ର ଟିମ୍
  • ||
  • ରହିତାଦେଶ ହଟାଇଲେ ହାଇକୋର୍ଟ: ଭାଙ୍ଗିବ ବୈକୁଣ୍ଠଧାମ ଆଶ୍ରମ, ଜବାବ ରଖିବା ଲାଗି ସମୟ ନେଲେ ଆବେଦନକାରୀ
  • ||
  • ବାଲେଶ୍ୱରରେ ବସ୍ତି ଉଚ୍ଛେଦ ପାଇଁ କର୍ଫ୍ୟୁ ଜାରି, ରବିବାର ରାତି ୧୦ ଯାଏ କଟକଣା ଲାଗୁ
  • ||
  • ଦାରିଙ୍ଗବାଡ଼ିରେ ସର୍ବାଧିକ ତୁଷାରପାତ, ଜମୁଛି ପର୍ଯ୍ୟଟକଙ୍କ ଭିଡ଼
  • ||
  • ରାମ ଲାଲଙ୍କ ପ୍ରାଣ ପ୍ରତିଷ୍ଠାକୁ ପୂରିଲା ବର୍ଷେ, ଅଯୋଧ୍ୟାରେ ଭବ୍ୟ ଆୟୋଜନ
  • ||
  • ଖୋର୍ଦ୍ଧା : ୫୦ କେଜି ଗଞ୍ଜେଇ ସହ କାର୍‌ ଜବତ, ୩ ଗିରଫ
  • ||
  • କଟକ : ବାଉଁଶ ବ୍ୟବସାୟୀଙ୍କ ଘରକୁ ବୋମାମାଡ଼, ପୂର୍ବ ଶତୃତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ରାଜ୍ୟରେ ରବିବାରଠୁ କମିବ ଶୀତ, ୨ରୁ ୪ ଡିଗ୍ରୀ ବଢ଼ିପାରେ ପାରଦ: ୧୦ ଜିଲ୍ଲାକୁ କୁହୁଡ଼ି ଆଲର୍ଟ
  • ||

ଚାମ୍ପିଅନ୍ସ ଟ୍ରଫି ଦଳ ଦୌଡ଼ରେ ଜୈସ୍ୱାଲ, ସାମସନ, କିଷନ, ନୀତିଶ; ବୁମରା, ସାମି ଏବଂ କୁଲଦୀପଙ୍କ ଫିଟନେସକୁ ନେଇ ଚିନ୍ତା

Published By : Prameya | January 11, 2025 1:14 PM

ମୁମ୍ବାଇ,୧୧/୦୧: ଆଗାମୀ ଇଂଲଣ୍ଡ ବିପକ୍ଷ ଘରୋଇ ସୀମିତ ଓଭର ସିରିଜ ଓ  ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ଖୁବ୍‌ ଶୀଘ୍ର ଦଳ  ଘୋଷଣା କରାଯିବ । ଚାମ୍ପିଅନ୍ସ ଟ୍ରଫି ପାଇଁ ଆସନ୍ତା  ୧୨ତାରିଖ ସୁଦ୍ଧା ପ୍ରତ୍ୟେକ ବୋର୍ଡ ସମ୍ଭାବ୍ୟ ଦଳ  ତାଲିକା ଆଇସିସିକୁ ପ୍ରଦାନ କରିବେ । ଫ୍ରେବୁଆରୀ  ୧୨ ତାରିଖ ମଧ୍ୟରେ ଦଳରେ ଅଦଳ ବଦଳ  ହୋଇପାରିବ । ତେଣୁ ରବିବାର ମଧ୍ୟରେ ଭାରତୀୟ  ଦଳ ଘୋଷଣା କରାଯିବ । ଅଜିତ ଅଗରକରଙ୍କ  ଅଧ୍ୟକ୍ଷତାରେ ଚୟନ କମିଟି ବୈଠକ ଆୟୋଜନ  କରାଯାଇ ଉଭୟ ଇଂଲଣ୍ଡ ବିପକ୍ଷ ସିରିଜ ଓ ଚାମ୍ପିଅନ୍ସ  ଟ୍ରଫି ପାଇଁ ଦଳ ଚୟନ କରାଯିବ । ଇଂଲଣ୍ଡ ବିପକ୍ଷରେ  ଭାରତ ୫ଟି ଟି-ଟ୍ୱେଣ୍ଟି ଓ ୩ଟି ଦିନିକିଆ ଖେଳିବ ।  ଦକ୍ଷିଣ ଆଫ୍ରିକାରେ ସିରିଜ ଜିତିଥିବା ଟି-ଟ୍ୱେଣ୍ଟି  ଦଳରେ ବିଶେଷ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ ।  କିନ୍ତୁ ଦିନିକିଆ ଦଳ ଚୟନ କରିବା ସହଜ ହେବ  ନାହିଁ । ଦିନିକିଆ ଦଳରେ ବହୁ ଖେଳାଳି ଦୌଡ଼ରେ  ରହିଛନ୍ତି । ମୁଖ୍ୟତଃ ପେସ୍‌ ବୋଲର, ୱିକେଟ୍‌ କିପର  ଓ ଓପନର ସ୍ଥାନ ପାଇଁ ଚୟନ କମିଟି ମଧ୍ୟରେ  ଜୋରଦାର ଆଲୋଚନା ହେବା ଆଶା କରାଯାଉଛି ।  

୨୦୨୩ ଦିନିକିଆ ବିଶ୍ୱକପ୍‌ ପରେ ଭାରତ ମୋଟ୍‌  ୬ଟି ଦିନିକିଆ ମ୍ୟାଚ୍‌ ଖେଳିଛି । ଗତବର୍ଷ ଦଳ ମାତ୍ର  ୩ଟି ଦିନିକିଆ ଖେଳିଥିଲା । ତେଣୁ ପୂର୍ବ ପ୍ରଦର୍ଶନକୁ  ଆଧାର କରି ଦଳ ପ୍ରସ୍ତୁତ କରାଯାଇପାରିବ ନାହିଁ । 

ଓପନର: ଦୌଡ଼ରେ ଆଗୁଆ ଜୈସ୍ୱାଲ 

ଦିନିକିଆରେ ରୋହିତ ଶର୍ମା ଓ ଶୁଭମନ ଗିଲ ମୁଖ୍ୟତଃ  ଓପନ କରୁଛନ୍ତି । ଗତ ଦିନିକିଆ ବିଶ୍ୱକପ୍‌ରେ ଉଭୟ  ଓପନ କରିଥିଲେ। ମାତ୍ର ଏହାପରେ ଡିସେମ୍ବରରେ  ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ୩ମ୍ୟାଚ୍‌ ବିଶିଷ୍ଟ  ଦିନିକିଆ ସିରିଜରୁ ଉଭୟ ରୋହିତ ଓ ଗିଲଙ୍କୁ ବିଶ୍ରାମ ଦିଆଯାଇଥିଲା । ସେମାନଙ୍କ ସ୍ଥାନରେ ଋତୁରାଜ ଗାଏକୱାଡ୍‌, ସାଇ ସୁଦର୍ଶନ ଓ ରଜତ ପାତିଦାର ଓପନ କରିଥିଲେ । ସେହିପରି ଗତ ବର୍ଷ ଶ୍ରୀଲଙ୍କା ଯାତ୍ରା କରି  ଭାରତ ୩ଟି ଦିନିକିଆ ଖେଳିଥିଲା । ହେଲେ ଗିଲ୍‌ଙ୍କୁ  ଏହି ସିରିଜରୁ ବାଦ ଦିଆଯାଇଥିଲା । 

ଏହାପରେ ଗିଲ୍‌ ବାଂଲାଦେଶ ବିପକ୍ଷ ଟେଷ୍ଟ  ସିରିଜରେ ଏକ ଶତକ ଅର୍ଜନ କରିଥିଲେ । କିନ୍ତୁ  ବର୍ଡର-ଗାଭାସ୍କର ଟ୍ରଫିରେ ଭଲ ଆରମ୍ଭ ସତ୍ତେ୍ୱ ସେ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ । 

ଏହି ସମୟ ମଧ୍ୟରେ ଯଶସ୍ୱୀ ଜୈସ୍ୱାଲ ଦକ୍ଷ  ଓପନର ଭାବେ ଉଭା ହୋଇଥିଲେ ଓ ସବୁ ଫର୍ମାଟ୍‌ରେ ଓପନ କରିବାକୁ ପ୍ରସ୍ତୁତ ଥିବା ପ୍ରମାଣ କରିଥିଲେ । ଜୈସ୍ୱାଲ ଏପର୍ଯ୍ୟନ୍ତ ଦିନିକିଆ ଦଳରେ  ସ୍ଥାନ ପାଇ ନାହାନ୍ତି । କିନ୍ତୁ ତାଙ୍କୁ ଆଗାମୀ ଇଂଲଣ୍ଡ  ବିପକ୍ଷ ସିରିଜରେ ଓପନର ଭାବେ ପଦାର୍ପଣ ସୁଯୋଗ  ମିଳିପାରେ । ଚାମ୍ପିଅନ୍ସ ଟ୍ରଫିରେ ଗିଲ୍‌ ଓ ରୋହିତ ମୁଖ୍ୟ  ଓପନର ରହିବେ ଓ ଜୈସ୍ୱାଲଙ୍କୁ ତୃତୀୟ ଓପନର  ଭାବେ ଚୟନ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଚାମ୍ପିଅନ୍ସ ଟ୍ରଫିରେ ରୋହିତ ଅଧିନାୟକ ରହିବେ । ତେଣୁ ସେ ଓପନ କରିବା ନିଶ୍ଚିତ । ଦ୍ୱିତୀୟ  ଓପନର ପାଇଁ ଗିଲଙ୍କୁ ଜୈସ୍ୱାଲ କଡ଼ା ଟକ୍କର ଦେବେ । 

ଘରୋଇ ଦିନିକିଆରେ ଜୈସ୍ୱାଲ ଦମଦାର  ପ୍ରଦର୍ଶନ କରିଛନ୍ତି । ସେ ୩୨ଟି ଦିନିକିଆ ମ୍ୟାଚ୍‌ ଖେଳି  ୫୪ହାରରେ ମୋଟ୍‌ ୧୫୧୧ ରନ୍‌ ସଂଗ୍ରହ କରିଛନ୍ତି ।  

ସୁରକ୍ଷିତ ନାହିଁ ଜାଡେଜାଙ୍କ ସ୍ଥାନ 

ଗତ ୨୦୨୩ ବିଶ୍ୱକପ୍‌ ପରେ ରବିନ୍ଦ୍ର ଜାଡେଜା  କୌଣସି ଦିନିକିଆ ଖେଳି ନାହାନ୍ତି । ସେ ଟିଟ୍ୱେଣ୍ଟି ଫର୍ମାଟରୁ ମଧ୍ୟ ଅବସର ନେଇ ସାରିଛନ୍ତି ।  ଦିନିକିଆ ଦଳରେ ତାଙ୍କ ସ୍ଥାନକୁ ନେଇ ଆଲୋଚନ  ହେବ । କାରଣ ଜାଡେଜାଙ୍କୁ ଅଲ୍‌ରାଉଣ୍ଡର ଭାବେ  ଖେଳାଯାଉଛି । ଏହି ସ୍ଥାନ ପାଇଁ ଦୌଡ଼ରେ ହାର୍ଦ୍ଦିକ  ପାଣ୍ଡ୍ୟା, ନୀତିଶ କୁମାର ରେଡ୍ଡୀ, ୱାସିଂଟନ ସୁନ୍ଦର,  ଅକ୍ଷର ପଟେଲ, ରିୟାନ ପରାଗ ଓ ଶିବମ ଦୁବେଙ୍କ  ପରି ଅଲ୍‌ରାଉଣ୍ଡର ରହିଛନ୍ତି । 

ପାଣ୍ଡ୍ୟା ଦଳକୁ ଫେରୁଥିବାରୁ ଅଲ୍‌ରାଉଣ୍ଡର ସ୍ଥାନ  ପାଇଁ ପ୍ରତିଦ୍ୱନ୍ଦ୍ୱିତା ବଢି ଯାଇଛି। ଭାରତ ଦୁବାଇରେ  ଚାମ୍ପିଅନ୍ସ ଟ୍ରଫିର ସମସ୍ତ ମ୍ୟାଚ୍‌ ଖେଳିବ । ସେଠାକାର  ପିଚ୍‌ ସ୍ପିନରଙ୍କ ପାଇଁ ଅନୁକୂଳ । ହେଲେ ପାଣ୍ଡ୍ୟା  ଦଳରେ ସ୍ଥାନ ପାଇବା ନିଶ୍ଚିତ । ବର୍ତ୍ତମାନ ନୀତିଶ  ଓ ସୁନ୍ଦର ଚମତ୍କାର ଫର୍ମରେ ରହିଛନ୍ତି । ତେଣୁ  ଜାଡେଜା ଦିନିକିଆ ଦଳରେ ସ୍ଥାନ ପାଇବା ନେଇ  ଆଶଙ୍କା ଦେଖା ଦେଇଛି । 

ଦ୍ୱିତୀୟ ୱିକେଟ କିପର ଦୌଡ଼

ଭାରତ ଦିନିକିଆ ଦଳରେ ୨ଜଣ ୱିକେଟ୍‌ କିପରଙ୍କୁ  ସ୍ଥାନ ଦେବ । ମାତ୍ର ଦୌଡ଼ରେ ରହିଛନ୍ତି ୪ ୱିକେଟ୍‌  କିପର । ରିଷଭ ପନ୍ତ ଓ କେଏଲ ରାହୁଲ ଆଗରେ  ରହିଥିଲେ ହେଁ ଇଶାନ କିଷନ ଓ ସଞ୍ଜୁ ସାମସନ  ମଧ୍ୟ ଦିନିକିଆ ଦଳରେ ସ୍ଥାନ ପାଇବାକୁ ଯୋଗ୍ୟ ।  କିଷନ ବିଶ୍ୱକପ୍‌ ଦଳରେ ଥିଲେ । ସାମସନ ଗତ  ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ୨ଟି  ଶତକ ଅର୍ଜନ କରିଥିଲେ । ୨୦୨୩ରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ମଧ୍ୟ  ସାମସନ ଏକ ଶତକ ଅର୍ଜନ କରିଥିଲେ । ତେଣୁ  ଉଭୟ ଦିନିକିଆ ଦଳରେ ସ୍ଥାନ ପାଇବାକୁ ହକ୍‌ଦାର । 

ଚିନ୍ତାରେ ପକାଇଛି ପେସ ବୋଲିଂ 

ବିଭାଗ ଦିନିକିଆ ଦଳ ପାଇଁ ପେସ୍‌ ବୋଲିଂ ବିଭାଗ  ପ୍ରସ୍ତୁତ କରିବା କଷ୍ଟକର ହେବ । କାରଣ ଯଶପ୍ରୀତ  ବୁମରା ସମ୍ପ୍ରତି ଆହତ ଅଛନ୍ତି । ମହମ୍ମଦ ସାମି  ଫିଟ୍‌ ହୋଇ ଖେଳ ଆରମ୍ଭ କରିଥିଲେ ହେଁ  ଏନ୍‌ସିଏ ତାଙ୍କ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବା  ପାଇଁ ଫିଟନେସ ପ୍ରମାଣ ପତ୍ର ଦେଇ ନାହିଁ ।  

ଅସ୍ତ୍ରୋପଚାର ପରେ ଫିଟ୍‌ ହୋଇ ସାମି ଗୋଟିଏ  ରଣଜୀ ଟ୍ରଫି ମ୍ୟାଚ୍‌, ୯ଟି ଟି-ଟ୍ୱେଣ୍ଟି ଓ ବିଜୟ  ହଜାରେ ଟ୍ରଫିର କିଛି ଦିନିକିଆ ଖେଳି ସାରିଛନ୍ତି ।  ତଥାପି ତାଙ୍କ ଉପରେ ଏନ୍‌ସିଏ କୌଣସି ନିଷ୍ପତ୍ତି  ନେଇ ନାହିଁ । ତାଙ୍କ ଆଣ୍ଠୁରେ ସାମାନ୍ୟ ଫୁଲା  ରହୁଥିବା ଗତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ  ସିରିଜ ସମୟରେ ରୋହିତ ପ୍ରକାଶ କରିଥିଲେ ।  

ଉଭୟ ଫିଟ୍‌ ହୋଇ ନପାରିଲେ ମହମ୍ମଦ ସିରାଜ  ପେସ୍‌ ବୋଲିଂ ବିଭାଗ ସମ୍ଭାଳିବେ । ତାଙ୍କ ବ୍ୟତୀତ  ଅର୍ଶଦୀପ ସିଂହ ଦଳରେ ସ୍ଥାନ ପାଇବା ନିଶ୍ଚିତ । ଗତ  ୨୦୨୩ ଦକ୍ଷିଣ ଆଫ୍ରିକା ଗସ୍ତରେ ସେ ୩ଟି ଦିନିକିଆ  ଖେଳି ୧୦ଟି ୱିକେଟ୍‌ ନେଇଥିଲେ । ପାଣ୍ଡ୍ୟା ତୃତୀୟ  ପେସ୍‌ ବୋଲର ଭୂମିକାରେ ଅବତ୍ତୀର୍ଣ୍ଣ ହେବେ ।  ଏମାନଙ୍କ ବ୍ୟତୀତ ପ୍ରସିଦ୍ଧ କ୍ରିଷ୍ଣା, ମୁକେଶ କୁମାର  ଓ ହର୍ଷିତ ରାଣା ଦୌଡ଼ରେ ରହିବେ । 

ସ୍ପିନ ବିଭାଗରେ ଏକାଧିକ ପ୍ରତିଦ୍ୱନ୍ଦ୍ୱୀ 

ସ୍ପିନ ବିଭାଗରେ ପ୍ରବଳ ଗହଳି ଲାଗି ରହିଛି । ସୀମିତ  ଓଭର କ୍ରିକେଟ୍‌ ପାଇଁ ବହୁ ସ୍ପିନର ପ୍ରସ୍ତୁତ ରହିଛନ୍ତି ।  ତଥାପି ଚୟନ କମିଟି କୁଲଦୀପ ଯାଦବଙ୍କ ଫିଟନେସ  ରିପୋର୍ଟକୁ ଅପେକ୍ଷା କରିଛି । କୁଲଦୀପ ଗତ  ଅକ୍ଟୋବରରେ ହାର୍ନିଆ ଅସ୍ତ୍ରୋପଚାର କରିଥିଲେ ।  ଏହା ପରଠୁ ସେ କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ୍‌  ଖେଳି ନାହାନ୍ତି । ସ୍ପିନ ବିଭାଗ ପାଇଁ ଜାଡେଜା, ଅକ୍ଷର  ଓ ସୁନ୍ଦରଙ୍କ ବ୍ୟତୀତ କୁଲଦୀପ ଓ ବରୁଣ ଚକ୍ରବର୍ତ୍ତୀ  ଦୌଡ଼ରେ ରହିବେ । କୁଲଦୀପ ଫିଟ୍‌ ଘୋଷିତ  ନହେଲେ ବରୁଣ ସ୍ଥାନ ପାଇବା ନିଶ୍ଚିତ । ଚଳିତ  ବିଜୟ ହଜାରେ ଟ୍ରଫିରେ ସେ ତାମିଲନାଡୁକୁ ପ୍ଲେ- ଅଫରେ ପହଞ୍ଚାଇଥିଲେ ।

  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.