ନୂଆଦିଲ୍ଲୀ: ଇଣ୍ଡିମେଣ୍ଟରେ ଧିରେଧିରେ ଫାଟ ବଢିବାରେ ଲାଗିଛି। ପ୍ରଥମେ ଦିଲ୍ଲୀରେ ଆପ୍ ଏକାକି ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢିବା ନେଇ ଘୋଷଣା କରିଥିଲା। ଆଉ ଏବେ ମହାରାଷ୍ଟ୍ର ପୌର ନିର୍ବାଚନରେ ଏକା ଲଢିବ ବୋଲି ଶନିବାର ଘୋଷଣା କରିଛି ଉଦ୍ଧବ ଠାକରେଙ୍କ ଶିବ ସେନା ଦଳ। ମୁମ୍ବାଇ, ଥାନେ, ନାଗପୁର ସମେତ ଅନ୍ୟ ପୌରପାଳିକା, ଜିଲ୍ଲା ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଦଳ ଏକାକି ଲଢିବ ବୋଲି ଘୋଷଣା କରିଛି। ଶିବସେନା ଏହା ଘୋଷଣା କରିବା ପରେ ଇଣ୍ଡି ମେଣ୍ଟକୁ ମହାରାଷ୍ଟ୍ରରେ ବଡ଼ ଝଟକା ଲାଗିଛି।
“ମେଣ୍ଟରେ ସ୍ୱତନ୍ତ୍ର ଦଳକୁ ସୁଯୋଗ ମିଳୁନାହିଁ, ଯାହା ସଂଗଠନର ଅଭିବୃଦ୍ଧିକୁ ରୋକୁଛି। ତେଣୁ ଆମେ ଆମ ନିଜ ଦକ୍ଷତାରେ ଲଢିବୁ” ବୋଲି ଏକୁଟିଆ ଲଢିବା ନେଇ ଘୋଷଣା କରିବା ପରେ ଶିବ ସେନା(ୟୁବିଟି)ର ରାଜ୍ୟ ସଭା ସାଂସଦ ସଞ୍ଜୟ ରାଉତ ଘୋଷଣା କରିଛନ୍ତି।
ଶିବ ସେନା(ୟୁବିଟି)ରୁ ଉଦ୍ଧବ ଠାକରେ, ଏନସିପି(ଏସପି)ରୁ ଶରଦ ପୱାର ଓ କଂଗ୍ରେସରୁ ସୋନିଆ ଗାନ୍ଧୀ ମିଳିତ ଭାବେ 2019 ମସିହାରେ ମହା ବିକାଶ ଅଘାଡ଼ି(ଏମଭିଏ) ଦଳର ସ୍ଥାପନା କରିଥିଲେ। ଏନଡିଏ ମେଣ୍ଟରୁ ଉଦ୍ଧବ ବାହାରି ଆସିବା ପରେ ଏହି ମେଣ୍ଟକୁ ସ୍ଥାପନା କରାଯାଇଥିଲା। ତୃଣ ମୂଳ କଂଗ୍ରେସ ଓ ଡିଏମକେ ଭଳି ଆଞ୍ଚଳିକ ଦଳ ମାନଙ୍କ ସହ ଏମଭିଏ ଦଳ 2024 ଲୋକ ସଭା ନିର୍ବାଚନ ପାଇଁ ଇଣ୍ଡି ମେଣ୍ଟ ସହ ଯୋଡି ହୋଇଥିଲା।
ଶୁକ୍ରବାର ଶରଦ ପୱାର ମୁମ୍ବାଇରେ ଆୟୋଜିତ ଏକ ଦଳୀୟ ବୈଠକରେ ଯୋଗ ଦେଇଥିଲେ। ନିଜ ବକ୍ତବ୍ୟରେ ଗତ ବିଧାନ ସଭା ନିର୍ବାଚନରେ ମହାରାଷ୍ଟ୍ର ମଧ୍ୟରେ ବିଜେପି ଜିତିବା ପଛରେ ଆରଏସଏସର ହାତ ରହିଛି ବୋଲି ସେ କହିଥିଲେ। ଆରଏସଏସର ରଣନୀତି ବିଜେପିକୁ ମହାରାଷ୍ଟ୍ରରେ ଜିତେଇଲା ବୋଲି କହି ପୱାର ଆରଏସଏସକୁ ପ୍ରଶଂସା କରିବା ସହ ଏମଭିଏ ମେଣ୍ଟ ଉପରେ ନିଜ ଅସନ୍ତୋଷ ଝାଡିଥିଲେ। ଏହାର ଗୋଟିଏ ଦିନ ପରେ ଅର୍ଥାତ ଶନିବାର ୟୁବିଟି ଦଳ କିଛି ଏପରି ଘୋଷଣା କରିଛି।