ଜୟପୁର,୨୪/୦୧: ସକାଳୁ ସକାଳୁ ଫୁଲ ତୋଳିବା ବେଳେ ମହିଳାଙ୍କ ବେକରୁ ଦୁର୍ବୃତ୍ତ ଝାମ୍ପି ନେଇଗଲେ ସୁନା ଚେନ୍ । ଲୁଟ୍ର ଶୀକାର ହୋଇଥିବା ମହିଳା ଜଣଙ୍କ ହେଲେ ଆମ୍ବାଗୁଡର ପ୍ରଫୁଲ୍ଲ ମଣି ପାତ୍ର । ଲୁଟ୍ ହୋଇଥିବା ସୁନା ଚେନ୍ଟି ଦେଢ ତୋଳା ହେବ ବୋଲି ସୂଚନା ମିଳିଛି । କୋରାପୁଟ ଜିଲ୍ଲା ଜୟପୁର ସହର ନିକଟ ଆମ୍ବଗୁଡ଼ା ଗ୍ରାମର ନ୍ୟୁ କଲୋନୀରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ସକାଳ ପ୍ରାୟ ୬ଟା ସମୟରେ ଘର ଆଗରେ ମହିଳା ଜଣକ ଫୁଲ ତୋଳୁଥିଲେ । ଏହି ସମୟରେ ପଛ ପଟୁ ୨ ଜଣ ଦୁର୍ବୃତ୍ତ ଆସି ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିଲେ । ମହିଳା ଜଣକ ଚିତ୍କାର କରିଥିଲେ । ତାଙ୍କ ଚିତ୍କାର ଶୁଣି ସ୍ଥାନୀୟଲୋକ ଦୌଡ଼ି ଆସି ଚୋରଙ୍କୁ ଧରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ପରେ ମହିଳା ଜଣକ ନିକଟସ୍ଥ ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବିଭିନ୍ନ ସ୍ଥାନର ସିସିଟିଭି ଯାଞ୍ଚ କରି ଘଟଣାର ତଦନ୍ତ ଚଳାଇଛି ।