ଭୁବନେଶ୍ୱର,୧୯/୦୧: ଓଡ଼ିଶାର ଉଚ୍ଚତମ ଶୃଙ୍ଗ କୋରାପୁଟ ଜିଲ୍ଲାର ଦେଓମାଳି ଆଖପାଖରୁ ନିଶ୍ଚିହ୍ନ ହୋଇଯିବ ପାଖାପାଖି ୮ରୁ ୧୦ ପ୍ରଜାତିର ସରୀସୃପ । ଦେଓମାଳିଙ୍କୁ ରାସ୍ତା ସମ୍ପ୍ରସାରଣ ନାମରେ ଏବେ ଯେପରି ପିଚୁ ଢଳା ହେଉଛି, ଏଥିରେ ଯଦି ନିୟନ୍ତ୍ରଣ ନ ଲାଗେ ତାହେଲେ ଏମାନେ ଦିନେ ନଷ୍ଟ ହୋଇଯିବେ । ଏଭଳି ଆକଳନ କରୁଛନ୍ତି ଜୈବବିବିଧତା ଉପରେ କାମ କରୁଥିବା ଗବେଷକ । ଦେଓମାଳିକୁ ବଞ୍ଚାଇବାକୁ ହେଲେ ସମନ୍ୱିତ ଭାବେ ବିଭିନ୍ନ ବିଭାଗ ଆଲୋଚନା କରି (ଜଙ୍ଗଲ ବିଭାଗ, ପର୍ଯ୍ୟଟନ ବିଭାଗ, ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପଞ୍ଚାୟତ, ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ଓ ସ୍ୱେଚ୍ଛାସେବୀ ସଙ୍ଗଠନ, ଗବେଷକ ସମୁଦାୟ) ଏକ ପରିଚାଳନା ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି ସେମାନେ ମତ ରଖନ୍ତି ।
ଦେଓମାଳିର ଜୈବବିବିଧତା ଅନ୍ୟ ପର୍ବତ ତୁଳନାରେ ଢେର ଅଲଗା । ଦେଓମାଳି ଜୈବବିବିଧତାକୁ ଯଦି ଆମେ ସାଧାରଣ ଭାବେ ବୁଝିବା, ଏଠାରେ ପାଖାପାଖି ୬୫୦ ପ୍ରଜାତିର ଗଛ ଦେଖାଯାଉଥିବା ବେଳେ ୩୦ ପ୍ରଜାତିର ଘାସ ବୁଦା ଦେଖାଯାଆନ୍ତି । ସେଥିମଧ୍ୟରୁ ବିଲୁପ୍ତ ପ୍ରାୟ ତାଲିକାରେ ଅଛନ୍ତି ଚିତ୍ରିକା (ଷ୍ଟ୍ରୋବିଲାନ୍ଥେସ୍ ଜୟପୁରେନ୍ସିସ୍), ବଣକାଳୀ (ହାଇପରିକମ୍ ଜାଇଟି) । ବାଇଗଣି ରଙ୍ଗର ଫୁଲ ଫୁଟୁଥିବା ଚିତ୍ରିକା ଗଛରେ ଏକାସାଙ୍ଗରେ ଫୁଲ ଫୁଟେ ପୁଣି ତାହା ପ୍ରତି ୭ ବର୍ଷରେ ଥରେ । ପୂର୍ବଘାଟ ପର୍ବତମାଳରେ ଏହି ଗଛ ବିଲୁପ୍ତପ୍ରାୟ ଅବସ୍ଥାରେ ଥିବା ବେଳେ ଏହା ଦେଓମାଳି ଓ ଆଖପାଖ ଅଞ୍ଚଳରେ କେବଳ ଦେଖାଯାଏ । ଏହାଛଡ଼ା ଦେଓମାଳି ଅଞ୍ଚଳରେ କେବଳ ଦୁଇ ପ୍ରଜାତିର ମାଂଶାସୀ ଉଦ୍ଭିଦ ଦେଖାଯାଆନ୍ତି । ସେଗୁଡ଼ିକ ହେଲା ଡ୍ରୋସେରା ବର୍ମାନୀ ଓ ଡ୍ରୋସେରା ଇଣ୍ଡିକା ।
ଦେଓମାଳିରେ ପାଖାପାଖି ୭ ପ୍ରକାର ବେଙ୍ଗ, ୧୬ ପ୍ରକାର ମାଛ, ୨୫ ପ୍ରକାର କଙ୍କି, ୭୪ ପ୍ରକାର ପ୍ରଜାପତି ଦେଖାଯାଆନ୍ତି । ସରୀସୃପମାନଙ୍କ ଭିତରେ ବିଲୁପ୍ତପ୍ରାୟ ତାଲିକାରେ ଅଛି ଜୟପୁର ହିଲ୍ ଗେକୋ । ଏହା ଝିଟିପିଟି ପ୍ରଜାତିର ଏକ ସରୀସୃପ । ଯାହାକି ୧୮୭୭ ମସିହାରେ ପ୍ରଥମେ ପଟାଙ୍ଗୀ ଅଞ୍ଚଳରୁ ଉଦ୍ଭାବନ ହୋଇଥିଲା । ୧୩୫ ବର୍ଷ ପରେ ୨୦୧୦ ମସିହାରେ ଏହାକୁ ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନର ବୈଜ୍ଞାନିକମାନେ ଦେଓମାଳି ପର୍ବତମାଳାରୁ ପୁନଃ ଆବିଷ୍କାର କରିଥିଲେ । ଯାହାକି ଏବେ ରାସ୍ତା ସମ୍ପ୍ରସାରଣ ଓ ବିକାଶ ନାମରେ ଲୀନ ହେବାକୁ ବସିଛନ୍ତି । ଦେଓମାଳିର ପରିସଂସ୍ଥାନ ଓ ପ୍ରାକୃତିକ ଆବାସ ସ୍ଥଳୀ ବି ନଷ୍ଟ ହେବାକୁ ବସିଛି। କେବଳ ସେତିକି ନୁହେଁ ଏବେ ଦେଓମାଳି ପର୍ବତମାଳା ଅଞ୍ଚଳରେ ପାଖାପାଖି ୫ ପ୍ରକାର ପ୍ରଜାପତି, ୭ ପ୍ରକାର କଙ୍କି, ୪ ପ୍ରକାର ମାଛ, ୩ ପ୍ରକାର ବେଙ୍ଗମାନଙ୍କର ସଂଖ୍ୟା ଆଉ ଆଗଭଳି ଦେଖିବାକୁ ମିଳୁନି ।
୨୦୧୦ରୁ ଇତିମଧ୍ୟରେ ପଟାଙ୍ଗୀରୁ ଦେଓମାଳି ଯିବାକୁ ପଡୁଥିବା ରାସ୍ତା ୨ଥାକିଆ ହୋଇଛି । ହେଲେ ଏହି ରାସ୍ତା ସମ୍ପ୍ରସାରଣ ଯୋଗୁଁ ଛୋଟବଡ଼ ୪ରୁ ୫ଟି ଜଳପ୍ରପାତ ପ୍ରଭାବିତ ହୋଇଥିବା ବେଳେ ଅନେକ ଜଳାଶୟ ପୋତି ହୋଇଯାଇଛି । ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛି ଦେଓମାଳି ପହଞ୍ଚିବାକୁ ପଡୁଥିବା ଶେଷ ବୁଲାଣିର ବାମପଟେ ଥିବା ଜଳାଶୟ । ଯାହାକି ବିକାଶ ଆଳରେ ନିଶ୍ଚିହ୍ନ ହୋଇଯାଇଛି । ସେହିଭଳି ଜଳାଶୟ ନିକଟରେ ଥିବା ପରିସଂସ୍ଥାନ ବି ପ୍ରଭାବିତ ହୋଇଛି । ଫଳରେ ସେହି ଅଞ୍ଚଳରେ ସ୍ୱତନ୍ତ୍ର ଭାବେ ଦେଖାଯାଉଥିବା ଗୋଡ଼ହାତବିହୀନ ବେଙ୍ଗ ପ୍ରଜାତିର ପ୍ରାଣୀ (ଇଷ୍ଟ ଇଣ୍ଡିଆନ୍ ଗିଗ୍) ବି ୨୦୧୩ ପରଠାରୁ ଆଉ ଦେଖିବାକୁ ମିଳୁନାହିଁ । କୋରାପୁଟର ଦେଓମାଳି ଓ ଗୁପ୍ତେଶ୍ୱରକୁ ଜୈବବିବିଧତା ଐତିହ୍ୟସ୍ଥଳୀ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ହେଲେ ଏସବୁ ସ୍ଥାନକୁ ଆସୁଥିବା ପର୍ଯ୍ୟଟକଙ୍କ ଯିବାଆସିବା ଓ ସେମାନଙ୍କ ଦ୍ୱାରା ପ୍ରଦୂଷିତ ହେଉଥିବା ପରିବେଶକୁ ପରିଚାଳନା କରିବା ପାଇଁ କୌଣସି ନୀତି ନିର୍ଦ୍ଧାରଣ କରିନାହାନ୍ତି ।
କୋରାପୁଟ ଜିଲ୍ଲା ପର୍ଯ୍ୟଟନ ବିଭାଗର ସୂଚନା ଅନୁସାରେ, ୨୦୨୩ ମସିହାରେ ଦେଓମାଳି ପର୍ବତ ଶିଖରକୁ ସମୁଦାୟ ୩ ଲକ୍ଷ ୯୫ ହଜାର ପର୍ଯ୍ୟଟକ ଆସିଥିବା ବେଳେ ୨୦୨୪ ଶେଷ ସୁଦ୍ଧା ପାଖାପାଖି ୪ ଲକ୍ଷ ୮୦ ହଜାର ପର୍ଯ୍ୟଟକ ଆସିଛନ୍ତି । ସମସ୍ତ ପର୍ଯ୍ୟଟକ ୪ ଚକିଆରେ ଆସିଥିବା ବେଳେ ଗୋଟିଏ ଗାଡ଼ିରେ ହାରାହାରି ୫ ଜଣ ଆସିଛନ୍ତି । ସେମାନଙ୍କ ଭିତରୁ ୪୦% ରାତିରେ କ୍ୟାମ୍ପ କରି ରହିଛନ୍ତି । ବନ ବିଭାଗର ତଥ୍ୟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ବନ ବିଭାଗ ପକ୍ଷରୁ କରାଯାଇଥିବା ଇକୋ କଟେଜ୍ରେ ୨୬୫୦ ଲୋକ ରାତିରେ ରହିଛନ୍ତି ।
ହାରାହାରି ଦେଓମାଳିକୁ ପ୍ରତିଦିନ ୧୪୫୦ ଲୋକ ଆସୁଥିବା ବେଳେ ସେମାନେ ୩୬୫.୪ କେଜି ଅଙ୍ଗାରକାମ୍ଳ ତ୍ୟାଗ କରିଥାନ୍ତି । ଗୋଟିଏ ବଡ଼ ଗଛ ବର୍ଷକୁ ୨୫ କିଲୋଗ୍ରାମର ଅଙ୍ଗାରକାମ୍ଳ ଗ୍ରହଣ କରିଥାଏ । ଏଣୁ ପ୍ରତିବର୍ଷ ଦେଓମାଳିକୁ ଆସୁଥିବା ପର୍ଯ୍ୟଟକ ଓ ସେମାନଙ୍କୁ ବୋହି ଆଣୁଥିବା ଗାଡ଼ି ତ୍ୟାଗ କରୁଥିବା ଅଙ୍ଗାରକାମ୍ଳ କିପରି ପରିବେଶକୁ ପ୍ରଭାବିତ କରୁଛି ତାହା ଚିନ୍ତାର ବିଷୟ ।