ଭୁବନେଶ୍ୱର ୦୪/୦୨: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଷ୍ଟେସନରେ ବୋମାକୁ ନେଇ ଖେଳିଗଲା ଆତଙ୍କ। ଯାଞ୍ଚ ବେଳେ ରେଳ ୱାଗନରେ ୧୨ଟି ଅଫୁଟା ବୋମା ଠାବ କରିଥିଲେ ରେଲଓ୍ବେ ଅଧିକାରୀ । କିଏ ଏହି ଅଫୁଟା ବୋମାକୁ ରଖିଥିଲା ତାହାକୁ ନେଇ ଆରମ୍ଭ ହୋଇଥିଲା ତଦନ୍ତ। ଖୋଳତାଡ଼ ବେଳେ ସାମ୍ନାକୁ ଆସିଲା ଏଭଳି ତଥ୍ୟ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ ପ୍ରତିଦିନ ଭଳି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନକୁ ଆସୁଥିବା ରେଳ ୱାଗନକୁ ଯାଞ୍ଚ କରାଯାଇଥାଏ । ରବିବାର ଏକ ମାଲବାହୀ ଟ୍ରେନ୍ କଣ୍ଟାବାଞ୍ଜି ଷ୍ଟେସନକୁ ଆସିଥିବା ବେଳେ ଗୋଟିଏ ୱାଗନରେ ୧୨ଟି ଅଫୁଟା ବୋମା ଦେଖି ରେଳ ଅଧିକାରୀ ତାଜୁବ୍ ହୋଇଯାଇଥିଲେ। ଦେଖୁ ଦେଖୁ ଷ୍ଟେସନ୍ରେ ଆତଙ୍କ ଖେଳିଯାଇଥିଲା। ପରେ ଏହାକୁ ଜବତ କରିଥିଲେ ରେଲଓ୍ବେ ଅଧିକାରୀ । ବୋମା ଜବତ ପରେ ଏହା କେଉଁଠୁ ଆସିଲା ଏବଂ କାହାର ସେ ନେଇ ତଦନ୍ତ ହୋଇଥିଲା।ଏହା ସଇଁନ୍ତଳା ବଡ଼ମାଲ ଗୋଳାବାରୁଦ କାରଖାନାର ବୋମା ବୋଲି ତଦନ୍ତୁ ଜଣାପଡିବା ପରେ କଣ୍ଟାବାଞ୍ଜି ଷ୍ଟେସନ ରେଳ ଅଧିକାରୀଙ୍କୁ ଆଶ୍ବସ୍ତି ମିଳିଥିଲା। ପରେ ୧୨ ବୋମାକୁ ସଂପୃକ୍ତ କାରଖାନାକୁ ଫେରାଇ ଦିଆଯାଇଛି ।
ଅନ୍ୟପକ୍ଷରେ ରେଳ ୱାଗନ ଭିତରକୁ ବୋମା କେମିତି ଆସିଲା ତାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଦାୟିତ୍ୱରେ ଥିବା କଣ୍ଟାବାଞ୍ଜି ଷ୍ଟେସନ ମ୍ୟାନେଜରଙ୍କୁ ପଚାରିବାରୁ କୌଣସି ତଥ୍ୟ ଦେବାକୁ ମନା କରିଦେଇଥିଲେ ।