ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ମା’ ଠାକୁରାଣୀଙ୍କ ମାଘ ମଣ୍ଡେଇ ଯାତ୍ରା

Published By : Prameya | February 5, 2025 10:09 PM

ଚନ୍ଦାହାଣ୍ଡି, ୫।୨ : ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ଜମାଦାରପଡା ସାପ୍ତାହିକ ବଜାର ଠାରେ ମା’ ଠାକୁରାଣୀଙ୍କ   ମାଘ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅଂଚଳର ସୁଖ ,ଶାନ୍ତି, ସମୃଦ୍ଧି, ଉତ୍ତମ ଫସଲ ଓ ବିଭିନ୍ନ ରୋଗରୁ ମୁକ୍ତି ନିମନ୍ତେ ଏହି ଯାତ୍ରା ପାଳିତ ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି । ତିନି ସପ୍ତାହ ଧରି ଏହି ଯାତ୍ରା ଚାଲିଥିବା ବେଳେ ବୁଧବାରୀ ଉଦଯାପିତ ହୋଇଯାଇଛି। 

ଏହି ଅବସରରେ ପାନାବେଡା  ଅଂଚଳର ସମସ୍ତଦେବା ଦେବୀ ଙ୍କୁ ଜମାଦାରପଡା ଗ୍ରାମକୁ ଫୁଲଡୋବଲା ଦେଇ  ନିମନ୍ତ୍ରଣ କରାଯାଇଥିଲା । ଏହି ମାଘ ମଣ୍ଡେଇ ଯାତ୍ରା ରେ ପାନାବେଡା ଅଂଚଳର ବିଭିନ୍ନ ଗ୍ରାମର ପ୍ରତିଷ୍ଠାତ୍ରୀ ଦେବୀ ମା’ ପେଣ୍ଡ୍ରାଣୀ, ମଣ୍ଡଳଭୀମା, ମା’ ଠାକୁରାଣୀ , ବାଉଡି ମାତା ,ଭୀମା ଦେବ , ପରଦେଶେନ ମାତା , ଝିଟକୁ ଶିରା , ମା’ ଭଣ୍ଡାରୁଣୀ ଆଦି ଦେବାଦେବୀ ଜମାଦାରପଡା ଗ୍ରାମକୁ ବିରାଜମାନ କରିଥିଲେ ।  ବିଭିନ୍ନ ଦେବାଦେବୀଙ୍କ ଲାଠି, ବିମାନ ରେ ଦେବାଦେବୀ ମାନେ ଗ୍ରାମ ପରିକ୍ରମା କରିବା ପରେ ଠାକୁରାଣୀଙ୍କ   ପୀଠରେ ସମସ୍ତେ ଏକତ୍ରୀତ ହୋଇଥିଲେ ।  ଏହା ପରେ ଦେବୀ ମାନେ ଲୁହା କଣ୍ଟା ଲାଗିଥିବା ଚଉକି ରେ ବସି ଦୈବୀ ଶକ୍ତି ପ୍ରଦର୍ଶନ କରିଥିଲେ। ଜମାଦାରପଡା ଠାରେ ଗତ ବର୍ଷ ଠାରୁ ପ୍ରତି ବୁଧବାର ଦିନ ସାପ୍ତାହିକ ହାଟ ବସୁଥିବାରୁ ଗ୍ରାମବାସୀଙ୍କ ତରଫରୁ ଏହା ଆୟୋଜିତ କରା ଯାଉଛି।

 ଏହି ଯାତ୍ରା ଦେଖିବା ନିମନ୍ତେ ଚନ୍ଦାହାଣ୍ଡି, ସମେତ ଛତିଶଗଡ଼ ଅଂଚଳର  ହଜାର ହଜାର ସଂଖ୍ୟା ରେ ଶ୍ରଦ୍ଧାଳୁ ଭକ୍ତ ତଥା କୁନି କୁନି ପିଲା ମାନେ ଭିଡ ଜମାଇଥିଲେ । କୁନି କୁନି ପିଲାଙ୍କ ମନୋରଞ୍ଜନ ନିମନ୍ତେ  ବିଭିନ୍ନ ପ୍ରକାର ଖେଲଣା ଦୋକାନୀ ମାନେ ପସରା ମେଲାଇଥିଲେ। ଝରିଗାଁ ବିଧାୟକ ନରସିଂ ଭତ୍ରା, ସାଂସଦ ଙ୍କ ପ୍ରତିନିଧି ବସନ୍ତ ମାଝୀ,ବିଧାୟକ ଙ୍କ ପ୍ରତିନିଧି ପ୍ରତାପ ବାଘ, ମଣ୍ଡଳ ସଭାପତି ଭୋଦେବ ବାଘ, ବରିଷ୍ଠ ବିଜେଡି ନେତା ପ୍ରମୋଦ ପାଢ଼ୀ, ବୃନ୍ଦାବନ ପୂଜାରୀ ଙ୍କ ସମେତ ଚନ୍ଦାହାଣ୍ଡି ଅଂଚଳର ବହୁ ନେତୃସ୍ଥାନୀୟ ବ୍ୟକ୍ତି ବିଶେଷ  ମଣ୍ଡେଇ ଯାତ୍ରାରେ ପହଂଚି ମା’ ଠାକୁରାଣୀ ଙ୍କ ପୀଠରେ ପୂଜାର୍ଚ୍ଚନା କରିଥିଲେ ଓ ଅଂଚଳ ବାସୀ ଙ୍କ ସୁଖ ସମୃଦ୍ଧି ନିମନ୍ତେ ପ୍ରାର୍ଥନା କରିବା ସହ ଆଶିର୍ବାଦ ଲାଭ କରିଥିଲେ। ଗ୍ରାମ୍ୟ ପୂଜକ କୃଷ୍ଣ ଚନ୍ଦ୍ର ଦଳେଇ, ରମେଶ ଚୌହାନ, ରଥ ହାତୀ, ସନ୍ଧର ହରିଣା, ଖଗେଶ୍ୱର ହାତୀ, ଶ୍ରୀଧର ହାତୀ, ଭୀମ ହାତୀ, ନର ହରିଣା, ଶିବ ମାଝୀ, ପ୍ରହଲ୍ଲାଦ ହରିଣା ଙ୍କ ସମେତ ଜମାଦାରପଡା ଗ୍ରାମବାସୀ ପୂଜା କାର୍ଯ୍ୟ ରେ ସହଯୋଗ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.