ଭୁବନେଶ୍ବର, ୦୭/୦୨: ମଣ୍ଡେଇ ଯାତ୍ରା ଚାଲିଥିବା ବେଳେ ଗୁରୁବାର ରାତିରେ ବେଆଇନ ଭାବେ ଚାଲିଥିଲା ଜୁଆ ଖେଳ । ସେଠାରେ ଚଢାଉ ବେଳେ ପୋଲିସକୁ ପାଲଟା ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ । ଏହି ଘଟଣାରେ ବର୍ତ୍ତମାନ ୧୦ ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ଅଭଯୁକ୍ତ ମାନଙ୍କୁ ଗିରଫ କରିବାକୁ ଚେଷ୍ଟା କରୁଛି ପୋଲିସ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳର ରାଇଘର ବ୍ଲକ ଅନ୍ତର୍ଗତ ଯୋଡ଼ିଙ୍ଗା ପଞ୍ଚାୟତର ଖାଡ଼େଙ୍ଗାରେ ହେଉଥିବା ମଣ୍ଡେଇ ଯାତ୍ରାରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଖାଡ଼େଙ୍ଗା ଠାରେ ଚଳିତ ବର୍ଷର ମଣ୍ଡେଇ ଯାତ୍ରା ଚାଲିଥିବା ବେଳେ ଗୁରୁବାର ରାତିରେ ସେଠାରେ ବେଆଇନ ଭାବେ ଜୁଆ ଖେଳ ଚାଲିଥିଲା । ଏନେଇ ଖବର ପାଇ ରାଇଘର ଥାନା ଅଧିକାରୀ ଏକ ଟିମ୍ ନେଇ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଜୁଆ ଖେଳ ଚାଲୁଥିବା ଦେଖି ସେଠାରେ ଚଢ଼ାଉ କରିବା ସହ ଉପସ୍ଥିତ ଲୋକଙ୍କୁ ଘଟଣା ସ୍ଥଳରୁ ତଡ଼ି ଦେଇଥିଲା ପୋଲିସ । ଏହି ସମୟରେ କିଛି ଲୋକ ପୋଲିସକୁ ପାଲଟା ଆକ୍ରମଣ କରିଥିଲେ । ଏହି ଘଟଣାରେ ଜଣେ ସବ୍ ଇନ୍ସପେକ୍ଟର ସହିତ ଥାନା ଅଧିକାରୀଙ୍କୁ ମାଡ଼ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ଏହି ଘଟଣାରେ କିଛି ଗ୍ରାମବାସୀଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି । ଏ ନେଇ ରାଇଘର ଥାନା ଅଧିକାରୀ ରଘୁନାଥ ମାଝୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ ପରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ଏହି ଘଟଣାରେ ବର୍ତ୍ତମାନ ଦଶ ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ଅଭଯୁକ୍ତ ମାନଙ୍କୁ ମଧ୍ୟ ପୋଲିସ ଗିରଫ କରିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।
ସରକାରୀ ଜମିରେ ଚାଲିଥିଲା ବେଆଇନ୍ ପିଚୁ ପ୍ଲାଣ୍ଟ, ଚଢାଉ କରି ସିଲ୍ କଲା ରାଜସ୍ୱ ବିଭାଗ