ଭଞ୍ଜନଗର,୧୧/୦୫: ଘର ବାରଣ୍ଡାରେ ବସିଥିବା ବେଳେ ଘର ଉପରକୁ ମାଡିଗଲା କାର୍ । ଘଟଣା ସ୍ଥଳରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ, ଜଣେ ଶିଶୁ ଏବଂ ଆଉ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ମୃତ ମହିଳା ଜଣକ କେଶରାପଲ୍ଲୀ ଗାଁର ସଂଯୁକ୍ତା ବିଷୋୟୀ ବୋଲି ଜଣାପଡ଼ିଛି । ଘଟଣାର ପ୍ରତିବାଦରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିବା କାରଣରୁ ବ୍ରହ୍ମପୁର- ଭଂଜନଗର ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ଘଟଣା ସ୍ଥଳରେ ଗାଙ୍ଗପୁର ଥାନା ପୋଲିସ ପହଞ୍ଚି ସଂପୃକ୍ତ କାର୍ ଚାଳକକୁ ଅଟକ ରଖିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରବିବାର ସକାଳ ୬ ଟାରେ ରାସ୍ତାରୋକ ହଟିଥିଲା। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ଭଞ୍ଜନଗର ମୁଖ୍ୟ ରାସ୍ତାର କେଶରାପଲ୍ଲୀ ଗାଁରେ ଘଟିଛି ଏଭଳି ଘଟଣା ।
ସୂଚନା ପ୍ରକାରେ, କେଶରାପଲ୍ଲୀ ଗାଁର ମୁଖ୍ୟ ରାସ୍ତାକଡରେ ଥିବା ଏକ ଘର ବାରଣ୍ଡାରେ କିଛି ମହିଳା ଏବଂ ଛୋଟ ଛୁଆ ବସିଥିଲେ । ରାତିରେ ବ୍ରହ୍ମପୁର ପଟୁ ଭଂଜନଗର ଅଭିମୁଖେ ଆସୁଥିବା ଏକ କାର୍, ଘର ଉପରକୁ ମାଡି ଯାଇଥିଲା । ଏବଂ ଘଟଣା ସ୍ଥଳରେ ଗାଡ଼ିରେ ଚାପି ହୋଇ ସଂଯୁକ୍ତାଙ୍କ ମୃତ୍ୟୁ ହୋଇଥିଲା । ଏହାସହ ଜଣେ ମହିଳା ଏବଂ ଜଣେ ଶିଶୁ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେପଟେ ଏହି ଘଟଣାର ପ୍ରତିବାଦ କରି ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ସେଥିପାଇଁ ବ୍ରହ୍ମପୁର- ଭଞ୍ଜନଗର ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ଖବର ପାଇ ଘଟଣା ସ୍ଥଳରେ ଗାଙ୍ଗପୁର ଥାନା ପୋଲିସ ପହଞ୍ଚି ସଂପୃକ୍ତ କାର୍ ଚାଳକକୁ ଅଟକ ରଖିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରବିବାର ସକାଳ ୬ ଟାରେ ରାସ୍ତାରୋକ ହଟିଥିଲା।