ପ୍ରମୂଖ ଖବର

ବିଆରଏସ୍‌, ବିଜେଡି, ବିଏସପି, ପିଡିପି...ଏନଡିଏ କିମ୍ବା ଇଣ୍ଡି ମେଣ୍ଟରେ ନଥିବା ଦଳଙ୍କୁ ଲାଗିଛି ବଡ଼ ଝଟ୍‌କା

Image Courtesy: aajtak

ନୂଆଦିଲ୍ଲୀ: ୨୦୧୪ ଏବଂ ୨୦୧୯ରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ପୂର୍ଣ୍ଣ ବହୁମତ ମିଳିଥିଲା ଏବଂ କେନ୍ଦ୍ରରେ ଏନଡିଏ ସରକାର ଗଠନ ହୋଇଥିଲା । କିନ୍ତୁ ୨୦୨୪ରେ ଘଡ଼ିସନ୍ଧି ମୁହୂର୍ତ୍ତର ସାମ୍ନା କରିଛି ବିଜେପି । ଯଦିଓ ଏନଡିଏକୁ ବହୁମତ ମିଳିଛି କିନ୍ତୁ ସରକାର ଗଠନ ପାଇଁ ଦରକାର ୨୭୨ ଆସନ ଏକାକୀ ଜିତିପାରି ନାହିଁ ବିଜେପି । ପୁଣି ଥରେ ମେଣ୍ଟ ସରକାରର ସମୟ ଆସିଲା କିନ୍ତୁ କୌଣସି ଆଞ୍ଚଳିକ ଦଳ ନିଜର ଗଡ଼ ବଞ୍ଚାଇପାରିଲେ ନାହିଁ । ଏଥିରେ ମାୟାବତୀଙ୍କ ନେତୃତ୍ବାଧୀନ ବିଏସପି ପାଖରୁ ଆରମ୍ଭ କରି ନବୀନ ପଟ୍ଟନାୟକଙ୍କ ବିଜେଡି ଏବଂ ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତ ବା ବିଆରଏସ୍‌ ଦଳ ସାମିଲ । ନିଜ ନିଜ ରାଜ୍ୟରେ ଦବଦବା ଦେଖାଇଆସିଥିବା ଏସବୁ ଦଳ ଏଥର ମେଣ୍ଟ ପାଖରୁ ଦୂରେଇ ରହିଥିଲେ । ଏସବୁ ପାର୍ଟି ନା ଏନଡିଏରେ ଥିଲେ ନା ଇଣ୍ଡି ମେଣ୍ଟରେ ।

ଓଡ଼ିଶା
ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଲଗାତାର ୫ ପାଳିର ସରକାର ଗଢ଼ିଥିବା ବିଜୁ ଜନତା ଦଳ (ବିଜେଡି) ବିଧାନସଭା ନିର୍ବାଚନରେ ବହୁମତଠାରୁ ବହୁ ଦୂରରେ  । ଏପରିକି ଲୋକସଭାରେ ଗୋଟିଏ ବି ଆସନ ଜିତିପାରି ନାହିଁ ବିଜେଡି । ଓଡ଼ିଶାରେ ନବୀନଙ୍କ ଦୀର୍ଘ ୨୫ ବର୍ଷର ଶାସନର ଅନ୍ତ ଘଟିଛି । ସେପଟେ ଲୋକସଭା ନିର୍ବାଚନରେ ୪୫.୩୪ ପ୍ରତିଶତ ଭୋଟ ଶେୟାର ସହ ବିଜେପି ୨୧ରୁ ୨୦ଟି ଆସନରେ ବିଜୟୀ ହୋଇଛି ଏବଂ ଗୋଟିଏ ସିଟ୍‌ କଂଗ୍ରେସ ଖାତାକୁ ଯାଇଛି । ୨୦୧୯ରେ ବିଜେଡିକୁ ୧୨, ବିଜେପିକୁ ୮ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିଥିଲା। ଏଥର ୩୭.୫୩ ଭୋଟ ଶେୟାର ସତ୍ତ୍ବେ ଗୋଟିଏ ଆସନ ମଧ୍ୟ ପାଇଲା ନାହିଁ ବିଜେଡି ।  

ଉତ୍ତରପ୍ରଦେଶରେ ବିଏସପିର ଅବସ୍ଥା

ମାୟାବତୀଙ୍କ ନେତୃତ୍ବାଧୀନ ବିଏସପିର ଭୋଟ ଶେୟାର ଏଥର ମଧ୍ୟ ଖସିଛି । ବିଧାନସଭା ନିର୍ବାଚନରେ କେବଳ ଗୋଟିଏ ଆସନରେ ସୀମିତ ରହିଥିବା ବିଏସପି ଲୋକସଭା ନିର୍ବାଚନରେ ପାଇଛି ‘ଶୂନ’ ଆସନ । ବିଏସପିର ଭୋଟ ଶେୟାର କମି କଂଗ୍ରେସର ଭୋଟ ଶେୟାର ଠାରୁ ତଳକୁ ଖସିଆସିଛି । କଂଗ୍ରେସର ଭୋଟ ଶେୟାର ୯.୪୬ ଥିବା ବେଳେ ବିଏସପିର ଭୋଟ ଶେୟାର ୯.୩୩ ପ୍ରତିଶତ । ସେପଟେ ଭୋଟ ଶେୟାର ଦୃଷ୍ଟି ରାଜ୍ୟରେ ବିଜେପି ବଡ଼ ଦଳ ହୋଇଥିଲେ ହେଁ ସର୍ବାଧିକ ୩୭ଟି ଆସନରେ ବିଜୟୀ ହୋଇଛି ସମାଜବାଦୀ ପାର୍ଟି (ଏସ୍‌ପି) । ଏସପି ସହ ମେଣ୍ଟ କରିଥିବା କଂଗ୍ରେସକୁ ୬ଟି ଆସନ ମିଳିଛି । ତେବେ ଗତ ନିର୍ବାଚନରେ ବିଏସପି ଏବଂ ଏସପି ମିଳିତ ଭାବେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ବିଏସପି ୧୦ଟି ଆସନରେ ବିଜୟୀ ହୋଇଥିଲା । 

ତେଲେଙ୍ଗାନାରେ ବିଆରଏସ୍‌ ସଫା 

ନୂଆ ରାଜ୍ୟ ଭାବରେ ଆତ୍ମପ୍ରକାଶ କରିବା ପରଠାରୁ ତେଲେଙ୍ଗାନାରେ ଚନ୍ଦ୍ରଶେଖର ରାଓଙ୍କ ଦଳ ଟିଆରଏସ୍‌( ଏବେ ବିଆରଏସ୍‌) ଦବଦବା ଜାହିର କରିଆସିଥିଲା । ଦୁଇ ଥର ମୁଖ୍ୟମନ୍ତ୍ରୀ ରହିଥିବା ଚନ୍ଦ୍ରଶେଖର ରାଓଙ୍କ ଦଳ ବିଆରଏସ ଗତ ଲୋକସଭା ନିର୍ବାଚନରେ ପରାଜୟ ସହ ଶାସନ ଗାଦିରୁ ବିତାଡ଼ିତ ହୋଇଥିଲା । ଆଉ ଏଥର ଲୋକସଭା ନିର୍ବାଚନରେ ବିଆରଏସ୍‌ ସଫା ହୋଇଛି । ୧୬.୬୮ପ୍ରତିଶତ ଭୋଟ ଶେୟାର ସେତ୍ତ୍ବେ ବିଆରଏସ୍‌ ଗୋଟିଏ ବି ଆସନ ଜିତିପାରି ନାହିଁ । 

କେବଳ ବିଏସପି, ବିରଆରସ ଏବଂ ବିଜେଡି  ନୁହେଁ ଅନେକ ଆଞ୍ଚଳିକ ଦଳକୁ ନିରାଶ ହେବାକୁ ପଡ଼ିଛି । ଏହି ତାଲିକାରେ ଜାମ୍ମୁକାଶ୍ମୀରର ପିଡିପି ଏବଂ ତାମିଲନାଡୁର ଏଆଇଏଡିଏମକେ ମଧ୍ୟ ସାମିଲ । ପିଡିପି ୩ଟି ଆସନରେ ପ୍ରାର୍ଥୀ ଦେଇଥିଲା । ହେଲେ ସବୁ ଆସନରେ ଦଳୀୟ ପ୍ରାର୍ଥୀ ପରାସ୍ତ ହୋଇଛନ୍ତି । ଦଳ ସୁପ୍ରିମୋ ମେହବୁବା ମୁଫତି ମଧ୍ୟ ପରାଜୟର ସାମ୍ନା କରିଛନ୍ତି । ତାମିଲନାଡୁକୁ ଶାସନ କରିଥିବା ଏଆଇଏଡିଏମକେର ହାତ ଖାଲି ରହିଛି । ରାଜ୍ୟର ସବୁ ୩୯ ଆସନରେ ବିଜୟୀ ହୋଇଛି ଇଣ୍ଡି ମେଣ୍ଟ ।  

 

  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.