ଭୁବନେଶ୍ଵର, ୨୭/୦୩ : ରାଜଧାନୀରେ ରାଜନେତାଙ୍କ ହାଇଡ୍ରାମା। ବିଧାନସଭା, ରାଜରାସ୍ତା ପରେ ଏବେ ଚାଲିଛି ପ୍ରେସ୍ମିଟ୍ ୱାର୍। ବୁଧବାର କଂଗ୍ରେସ ପ୍ରେସ୍ମିଟ୍ କରି ସରକାରଙ୍କ ଉପରେ ବର୍ଷିଲା। ଆଜି ପ୍ରେସ୍ମିଟ୍ କରି ବିଜେପି ଧୋଇଦେଲା। ଗୁରୁବାର ପ୍ରେସ୍ମିଟ୍ ଡାକି ବିରୋଧୀଙ୍କ ଉପରେ ଜୋରଦାର୍ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି ଯେ, ସେମାନେ ବିରୋଧୀ ଦଳର ଭୂମିକା ବୁଝି ନାହାଁନ୍ତି।
ମନମୋହନ ସାମଲ ପୁଣି କହିଛନ୍ତି ଯେ, କଂଗ୍ରେସ ଓ କଂଗ୍ରେସ ନେତା ଆତ୍ମସମୀକ୍ଷା କରନ୍ତୁ। ସେମାନେ ବିରୋଧୀ ଦଳର ଭୂମିକା ବୁଝିନାହାଁନ୍ତି। ବିରୋଧୀଙ୍କ ଆଚରଣ, ଉଚ୍ଚାରଣ ଠିକ୍ ନୁହେଁ। ବିଧାନସଭାରେ ମର୍ଯ୍ୟାଦା ରହିବା ଜରୁରୀ।
ଏହି ଖବରଟିକୁ ପଢନ୍ତୁ-ସରକାରଙ୍କ ବିରୋଧରେ କଂଗ୍ରେସର ରଣ ହୁଙ୍କାର: ଆଜି ବିଧାନସଭା ଘେରିବ, ରାଜ ରାସ୍ତାରେ ଗର୍ଜିବ
ବୁଧବାର କଂଗ୍ରେସ ପ୍ରେସମିଟ୍ କରି କହିଥିଲା ଯେ, ରାଜ୍ୟରେ ଗଣତନ୍ତ୍ର ଏବେ ବିପଦରେ ରହିଛି । ଶାସକ ଦଳ ମନମାନୀ କରିବା ଆରମ୍ଭ କଲାଣି । ଗତ ଦୁଇଦିନ ହେବ ବିଧାନସଭାରେ କଂଗ୍ରେସ ସହ ଯାହା ଘଟୁଛି ତାହା ସମସ୍ତେ ଜାଣିଛନ୍ତି । ପ୍ରଥମେ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ, ପରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କୁ ଆକ୍ରମଣ ଓ କଂଗ୍ରେସ କର୍ମୀଙ୍କୁ ଗିରଫ କରିବା ଭଳି ଘଟଣା ଘଟିଛି । ପୁଲିସ ମଧ୍ୟ ଏକପାଖିଆ ନିଷ୍ପତ୍ତି ନେଇ ବିଧାନସଭାକୁ କବ୍ଜା କରିନେଇଛି । ଏଥିରୁ ସ୍ପଷ୍ଟ ଯେ, ଆଇନଶୃଙ୍ଖଳା ବ୍ୟବସ୍ଥା କେଉଁ ଅବସ୍ଥାରେ ରହିଛି । ହେଲେ କଂଗ୍ରେସ ଏହାକୁ କେବେବି ବରଦାସ୍ତ କରିବନି । ଏବେ ଦଳର ଗୋଟିଏ ମନ୍ତ୍ର ‘କର ବା ମର’ । ଆଜି ବିଧାନସଭା ଘେରାଉ କରି ଏହାର ମୁହଁତୋଡ ଜବାବ ଦେବ ଦଳ।