ପ୍ରମୂଖ ଖବର
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ସୈନିକ ସ୍କୁଲ ଡମ୍ପିଂୟାର୍ଡ ପ୍ରସଙ୍ଗ ଭୁଲିଗଲା ବିଜେପି: ସେବେ ଆନ୍ଦୋଳନ, ଏବେ ନିରବ

ଚନ୍ଦ୍ରଶେଖରପୁର,୦୯/୦୯: ସୈନିକ ସ୍କୁଲ  ନିକଟ ଡମ୍ପିଂୟାର୍ଡ ହଟାଇବାକୁ ହଙ୍ଗାମା ଠିଆ କଲା  ବିଜେପି । ରାଜ୍ୟର ସବୁ ବଡ଼ନେତା ସେଠାକୁ  ଧାଇଁଲେ । ଜୋରଦାର ବିରୋଧ କରି କହିଲେ  ତୁରନ୍ତ ଡମ୍ପିଂୟାର୍ଡ ଉଠାଅ । ନିର୍ବାଚନ ସମୟରେ  ଲୋକଙ୍କୁ ପାଖକୁ ଧାଇଁ ପ୍ରତିଶ୍ରୁତି ମଧ୍ୟ ଦେଲେ ।  କହିଲେ ଆମକୁ ଭୋଟ୍‌ ଦିଅ ଆମେ ଶାସନକୁ  ଆସିଲେ ଡମ୍ପିଂୟାର୍ଡ ଉଠାଇବୁ । ହେଲେ ନିର୍ବାଚନ  ଜିତିଲା ପରେ ଏବେ ସବୁ ନିରବ । ଆଉ କେହି ଏ  ପ୍ରସଙ୍ଗରେ ଆଲୋଚନା କରୁନାହାଁନ୍ତି । 

ରାଜଧାନୀରେ ବର୍ଷା ହେଲେ ଟିଟିଏସ୍‌କୁ  ନେଇ ଚିନ୍ତାରେ ପଡ଼ନ୍ତି ସ୍ଥାନୀୟ ବାସିନ୍ଦା । ଲୋକେ  ଅଭିଯୋଗ କରନ୍ତି ଦୀର୍ଘ ବର୍ଷ ଧରି ଏହି ସମସ୍ୟା  ଲାଗି ରହିଥିଲେ ମଧ୍ୟ ସରକାର ଏହାର ସ୍ଥାୟୀ  ସମାଧାନ କରୁନାହାନ୍ତି । ପୂର୍ବ ସରକାର ତ ଏଥିପ୍ରତି  କର୍ଣ୍ଣପାତ କରୁନଥିଲେ । ବିଜେପି ଗତ ବର୍ଷ  ନଭେମ୍ବରରେ ୧୫ ଦିନ ସୈନିକ ସ୍କୁଲ ନିକଟରେ  ସତ୍ୟାଗ୍ରହ କରିଥିଲା । ବିଜେପିର ବଡ଼ ବଡ଼ ନେତା  ସହ ଖୋଦ୍‌ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଡମ୍ପିଂୟାର୍ଡ ପରିଦର୍ଶନ କରି ବିଏମ୍‌ସି ଉପରେ  ବର୍ଷିବା ସହ ସ୍ଥାନାନ୍ତର ପାଇଁ ଦାବି କରିଥିଲେ ।  ବିଜେପି ଶାସନକୁ ଆସିଲେ ସ୍ଥାନାନ୍ତର କରିବ  ବୋଲି ସମସ୍ତେ କହିଥିଲେ । ହେଲେ ନିର୍ବାଚନ ଜିତି  ସରକାରକୁ ଆସିବା ପରେ ଏବେ ପୁରା ନୀରବ  ଥିବାରୁ ଡମ୍ପିଂୟାର୍ଡ ସମସ୍ୟା ସମାଧାନ ଉପରେ  ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନୂଆ ସରକାର ପ୍ରତିଶ୍ରୁତି  ପାଳନ କରି ତୁରନ୍ତ ଡମ୍ପିଂୟାର୍ଡ ହଟାଇବାକୁ  ପଦକ୍ଷେପ ନେଉ ବୋଲି ଲୋକେ ଦାବି କରିଛନ୍ତି ।  

ଅନ୍ୟପଟେ ଗତ ୩ ତାରିଖରେ ଏହି  ପ୍ରସଙ୍ଗରେ ବିଧାନସଭାରେ ବିଧାୟକ ତାରା  ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଗୃହ ଓ ନଗର  ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ  ଯେ ୱିଣ୍ଡୋ ପଦ୍ଧତି ମାଧ୍ୟମରେ ଲାଇନ୍‌ ଟ୍ରୋମେଲ୍‌  ମେସିନ୍‌ ଓ ଅନ୍ୟ ଯାନ୍ତ୍ରିକ ଉପକରଣରେ ଦୈନିକ  ବର୍ଜ୍ୟବସ୍ତୁକୁ ପ୍ରକ୍ରିୟାକରଣ କରାଯାଉଛି ।  ବର୍ଜ୍ୟବସ୍ତୁରୁ ବାହାରୁଥିବା ଗୁଡ୍‌ଆର୍ଥକୁ ମହାନଗର  ନିଗମ ଅଞ୍ଚଳର ଲୋ ଲେନ୍‌ ଏରିଆରେ  ପକାଯାଉଛି । ନନ୍‌ ରିସାଇକେବୁଲ ବର୍ଜ୍ୟ ବସ୍ତୁକୁ  ରାଇରଙ୍ଗପୁର ସିମେଣ୍ଟ କାରଖାନାକୁ ପଠାଯାଉଛି ।  ହେଲେ ସ୍ଥାନାନ୍ତର ପ୍ରସଙ୍ଗରେ କୌଣସି ଉତ୍ତର  ରଖିନଥିଲେ ।  

ବିଏମ୍‌ସିର ୬୭ଟି ୱାର୍ଡରୁ ଦୈନିକ ପ୍ରାୟ ୮୦୦  ଟନ୍‌ ବର୍ଜ୍ୟ ବାହାରୁଛି । ଏଥିରୁ ୩୮୪ ଟନ୍‌ ଓଦା  ବର୍ଜ୍ୟ ବାହାରୁଥିବାବେଳେ ୪୧୬ ଟନ୍‌ ଉଭୟ ଓଦା ଓ  ଶୁଖୁଲା ମିଶ୍ରିତ ବର୍ଜ୍ୟ ବାହାରୁଛି । ଟିଟିଏସ୍‌ ଭିତରକୁ  ଦୈନିକ ପ୍ରାୟ ୫୦୦ ଟନ୍‌ ବର୍ଜ୍ୟ ଯାଉଛି । ଟିଟିଏସ୍‌ରେ  ଟେରେକ୍ସ ଓ ଟ୍ରମେଲ ମେସିନ୍‌ ବ୍ୟବହାର କରି ବର୍ଜ୍ୟ  ପୃଥକୀକରଣ ସହିତ ପ୍ରକ୍ରିୟାକରଣ କରାଯାଉଛି ।  ଆଗରୁ ପାହାଡ଼ ଭଳି ଗଦା ହୋଇଥିବା ଡମ୍ପିଂୟାର୍ଡର  ଉଚ୍ଚତା ଏବେ ପୂରା କମିଯାଇଛି । କିନ୍ତୁ ବର୍ଷା ଦିନେ  ଟିଟିଏସ୍‌ରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିବାରୁ ଏହାକୁ  ନେଇ ଲୋକେ ଚିନ୍ତାରେ ପଡ଼ିଛନ୍ତି । ଏହାର ସ୍ଥାୟୀ  ସମାଧାନ କରିବାକୁ ଦାବି କରିଛନ୍ତି ।  

ଏନେଇ ସ୍ଥାନୀୟ ବାସିନ୍ଦା ରମାକାନ୍ତ ସାମଲ  କହିଛନ୍ତି, ପୂର୍ବରୁ ବର୍ଷାଦିନେ ଟିଟିଏସ୍‌ ଗନ୍ଧରେ  ଘରେ ରହି ହୁଏନି । ବିଜେଡି ସରକାର ଥିବା  ସମୟରେ ଡମ୍ପିଂୟାର୍ଡ ହଟାଇବାକୁ ବିଜେପି  ଧାରଣାରେ ବସିଥିଲା । ଏବେ ରାଜ୍ୟରେ ବିଜେପି  ସରକାର ଆସଥିବାରୁ ଏହା ହଟିବ ବୋଲି ଆଶା  ରହିଛି । ସମାଜସେବୀ ପ୍ରିୟମ୍ବଦା କିସ୍କୁ କହିଛନ୍ତି,  ସରକାର ଚାହିଁଲେ ଏହାକୁ ସହର ବାହାରକୁ  ସ୍ଥାନାନ୍ତର କରିପାରିବେ । କିନ୍ତୁ ସରକାର ସୈନିକ  ସ୍କୁଲ କଥା ଭୁଲିଗଲେଣି । ଆମକୁ କେବଳ  ଭଗବାନ ଭରସା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.