ଭୁବନେଶ୍ୱର,୨୯/୦୬: ଦ୍ରୁତ ସହରୀକରଣରେ ପଶୁପକ୍ଷୀମାନେ ମଧ୍ୟ ପ୍ରଭାବିତ । ସାଧାରଣତଃ ସକାଳେ ପକ୍ଷୀଟିଏ କିଚିରିମିଚିରି ଶବ୍ଦ କରେ । କାଉର ରାବ ଓ କୋଇଲିର କୁହୁ..’ କୁହୁ..’ଶବ୍ଦରେ ନିଦ ଭାଙ୍ଗେ । ହେଲେ ଏବେ ସକାଳେ ନୁହେଁ ରାତିରେ ବି ପକ୍ଷୀଙ୍କ କଳରବ ଶୁଭୁଛି । ଅଧରାତିରେ ମାଳମାଳ ହୋଇ ପକ୍ଷୀମାନେ ଏ ଗଛରୁ ସେ ଗଛକୁ ଉଡ଼ୁଛନ୍ତି । ଷ୍ଟ୍ରିଟ୍ ଲାଇଟ୍ ପାଖରୁ ଖାଦ୍ୟ ସଂଗ୍ରହ କରୁଛନ୍ତି । ରାଜଧାନୀ ଭୁବନେଶ୍ୱରରେ ଏଭଳି ଦୃଶ୍ୟ ପରିବେଶବିତ୍ ଓ ପକ୍ଷୀପ୍ରେମୀଙ୍କୁ ଚିନ୍ତାରେ ପକାଇଛି । ହଠାତ୍ କ’ଣ ପାଇଁ ପକ୍ଷୀଙ୍କ ଜୀବନଚର୍ଯ୍ୟା ଓ ହାବଭାବ ବଦଳିଗଲା ତାହା ମଧ୍ୟ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଦିନଚର ପକ୍ଷୀ ରାତିଚରରେ ପରିଣତ ହୋଇଗଲେଣି । ବର୍ଦ୍ଧିତ କଂକ୍ରିଟକରଣ ଯୋଗୁ ରାଜଧାନୀରେ ଗରମ ଓ ଝାଞ୍ଜି ବଢୁଛି । ଆଗଭଳି ଆଉ ବଡ଼ ବଡ଼ ଗଛ ବି ନାହିଁ । ତାତିରୁ ପକ୍ଷୀମାନଙ୍କୁ ତ୍ରାହି ମିଳୁନି । ସେହିପରି ଅସଂଖ୍ୟ ମୋବାଇଲ ଟାୱାର ଯୋଗୁ ରେଡିଏସନ ସୃଷ୍ଟି ହେଉଛି । ଯଦ୍ୱାରା ପକ୍ଷୀମାନଙ୍କ ବିଚରଣରେ ବାଧା ଦେଖାଦେଉଛି । ଏଣୁ ପକ୍ଷୀମାନେ ଦିନରେ ସୁରକ୍ଷିତ ମଣୁନାହାନ୍ତି । ଥଣ୍ଡା ପରିବେଶ ପାଇଁ ପକ୍ଷୀମାନେ ରାତିରେ ବୁଲୁଥିବା ପରିବେଶବିତ୍ କହିଛନ୍ତି । ସେହିପରି ଖାଦ୍ୟ ମଧ୍ୟ ଅନ୍ୟ ଏକ କାରଣ । ସବୁ ପକ୍ଷୀ କୀଟପତଙ୍ଗ ଖାଇଥାନ୍ତି । ହେଲେ କଂକ୍ରିଟ ଯୋଗୁ ମାଟି ଲୁଚିଗଲାଣି । ଫଳରେ ମାଟିରୁ ଉତ୍ପନ୍ନ କୀଟ ଆଉ ନାହାନ୍ତି । ବର୍ଷା ହେଲେ ଯେଉଁ ପୋକ ରାତିରେ ଉଡୁଛନ୍ତି ସେମାନଙ୍କୁ ଦେଖି ଖାଇବା ପାଇଁ ବସାରୁ ପକ୍ଷୀ ଧାଇଁଆସୁଛି । ତେଣୁ ଏହାକୁ ହାଲୁକା ଭାବେ ନେବା କଥା ନୁହେଁ । ପକ୍ଷୀଙ୍କ ପାଇଁ ଆର୍ଦ୍ରଭୂମି, ଜଳାଶୟ, ଗଛ ଲଗାଇବା ଦରକାର ବୋଲି ପଶୁପକ୍ଷୀଙ୍କ ଉପରେ କାମ କରୁଥିବା ‘ଅରଣ୍ୟକ’ ସଂସ୍ଥାର ସୁଧାକର ସେଠୀ କହିଛନ୍ତି ।
ପକ୍ଷୀ ବିଶେଷଜ୍ଞ ଡ. ବିଭୁପ୍ରସାଦ ପଣ୍ଡାଙ୍କ କହିଛନ୍ତି, କେତେକ ପକ୍ଷୀଙ୍କ ଅଭ୍ୟାସଗତ କାରଣ ରହିଛି । ସେଥିପାଇଁ ସେମାନେ ରାତିରେ ବୋବାନ୍ତି । ଯଥା-ଟେଁଟେୟାଁ । ପକ୍ଷୀମାନେ ବର୍ଷାକୁ ଦେଖି କିମ୍ବା ଏକତ୍ର ହେବାପାଇଁ ବୋବାନ୍ତି । ସହରରେ ସୃଷ୍ଟି ଉଚ୍ଚ ଶବ୍ଦ କିମ୍ବା ଗାଡିମୋଟରର ଶବ୍ଦ ଶୁଣି ବି ବୋବାନ୍ତି । ଏବେ ତ ସବୁଠି ଆଲୋକ । ଫଳରେ ପକ୍ଷୀମାନେ ସକାଳ ହୋଇଛି ଭାବି କଳରବ କରୁଛନ୍ତି । ଶ୍ୟାମସୁନ୍ଦର ମହାପାତ୍ରଙ୍କ କହିବା କଥା, ତାତି ଯୋଗୁ ଏଭଳି ହୋଇଥାଏପାରେ । ଅଧିକାଂଶ ସମୟରେ ଦେଖାଦେଇଛି ଯେ କେତେକ ପକ୍ଷୀ ପାଣିକୁ ଦେଖି ସେଥିରେ ଲମ୍ଫ ମାରୁଥିଲେ । ଯାହା ଆଶ୍ଚର୍ଯ୍ୟ ଲାଗିଛି । ସେହିପରି ଗୁଳୁଗୁଳି ଯୋଗୁ ଆଖିରେ ପାଣି ସୃଷ୍ଟି ହୁଏ । ତେଣୁ ଦିନରେ ପକ୍ଷୀ ବାହାରୁନାହାନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରର ଏକାମ୍ର କାନନ, ଖଣ୍ଡଗିରି, ପାତ୍ରପଡ଼ା, ନନ୍ଦନକାନନ, ବଟାନିକାଲ ଗାର୍ଡେନ. କପିଳପ୍ରସାଦ, କଲ୍ୟାଣପୁର, କିଆକାନି ହ୍ରଦ, ଦାରୁଠେଙ୍ଗ, ଓୟୁଏଟି ଫାର୍ମ ହାଉସ, ଆରପିଆରସି ହ୍ରଦ, ଚିନ୍ତାମଣିଶ୍ୱର ପୋଖରୀ, ଆଇଟିଇଆର କ୍ୟାମ୍ପସ, ଓଏସଏପି ବାଟାଲିୟନ, ଉତ୍କଳ ବିଶ୍ୱବିଦ୍ୟାଳୟ, ଓଲ୍ଡ ଏଜି କଲୋନୀ, ଜିଜିପି କଲୋନୀ, ମଧୁସୂଦନ ପାର୍କ, ବୁଦ୍ଧ ପାର୍କ, ବିନ୍ଦୁ ସାଗର, ଫରେଷ୍ଟ ପାର୍କ, ବଡ଼ଗଡ଼, କାଞ୍ଜିଆ ହ୍ରଦ, ଡେରାସ ଡ୍ୟାମ ଓ ଦୟା ସାଗର ଭଳି ୩୦ଟି ସ୍ଥାନରେ ପକ୍ଷୀଙ୍କ ବାସସ୍ଥାନ ରହିଛି ।
କିଏ ପାଣିରେ ବାସ କରୁଥିବା ବେଳେ କିଏ ଗଛ ଓ ଘର ଛାତ ଏବଂ ଟାୱାରରେ ବସା କରି ରହୁଛି । ସାଧାରଣତଃ କାଉ, କୋଇଲି, ପାରା, କଜଳପାତି, କୁମ୍ଭାଟୁଆ, ହଳଦୀବସନ୍ତ, ଶୁଆ, ଚିଲ, କାଠହଣା, ବଗ, ବଣି ସମେତ ପେଚା ଭଳି ୧୩୫ରୁ ଅଧିକ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳେ । ଏହାବ୍ୟତୀତ ପାଣିକୁଆ, ବତକ, ଡାହୁକ ଆଦି ଜଳରେ ବିଚରଣ କରୁଥିବା ପକ୍ଷୀ ମଧ୍ୟ କିଛି ସଂଖ୍ୟାରେ ଦେଖିବାକୁ ମିଳନ୍ତି । ସାଧାରଣ ପକ୍ଷୀମାନେ ଦିନରେ ବୁଲି ଖାଦ୍ୟ ସଂଗ୍ରହ କରିଥାନ୍ତି ଓ ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ବସାକୁ ଫେରିଆସନ୍ତି । ରାତିତମାମ ବିଶ୍ରାମ ନିଅନ୍ତି । କିନ୍ତୁ ଏବେ ପକ୍ଷୀଙ୍କ ସେହି ସମୟ ବଦଳିଯାଇଛି ।