ଭବାନୀପାଟଣା, ୩୦।୫: କଳାହାଣ୍ଡି ଜିଲ୍ଲା କଳମପୁର୍ ଥାନା ଦେପୁର ଗାଁର ରୂପ ସିଂ ମାଝୀ ନିଖୋଜ ଘଟଣା। ଗତ ୨୮ ତାରିଖରେ କଳମପୁର୍ ପୁଲିସ ମୃତକଙ୍କ ଗଣ୍ଡି ଉଦ୍ଧାର କରିଥିବା ବେଳେ ୨ ଦିନର କସରତ ପରେ ଶୁକ୍ରବାର ମୁଣ୍ଡ ଉଦ୍ଧାର କରିଛି। ରୂପ ସିଂଙ୍କୁ ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିବା କୁହାଯାଉଛି।
ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ କଳମପୁର୍ ଥାନା ପୁଲିସ ଅଧିକାରୀ ନୀଳାମ୍ବର ଜାନିଙ୍କ ଉପସ୍ଥିତିରେ ବଲାଙ୍ଗୀରରୁ ଆସିଥିବା ଓଡ୍ରାଫ ଟିମ୍ ଦେପୁର ଗାଁ ପୋଖରୀରୁ ଯେଉଁଠୁ ରୂପ ସିଂ ମାଝୀଙ୍କ ଗଣ୍ଡି ଉଦ୍ଧାର କରିଥିଲା ସେଠାରେ ପୁଣି ଥରେ ଖୋଜାଖୋଜି ଆରମ୍ଭ କରିଥିଲା। ପୂର୍ବାହ୍ନ ୧୨ଟା ବେଳେ ରୂପ ସିଂଙ୍କ ଗଳିତ ମୁଣ୍ଡ ଉଦ୍ଧାର ହୋଇଛି।
ପ୍ରକାଶ ଥାଉକି, ଦେପୁର ଗାଁର ରୂପ ସିଂ ମାଝୀ ଗତ ୨୦ ତାରିଖ ସନ୍ଧ୍ୟାରୁ ନିଖୋଜ ହୋଇଥିବା ନେଇ ପରିବାର ପକ୍ଷରୁ କଳମପୁର୍ ଥାନାରେ ଏତଲା ଦିଆଯାଇଥିଲା। ପୋଲିସ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ଖୋଜ୍ ଖବର ମିଳିନଥିଲା। ଏହାପରେ ପରିବାର ଲୋକେ ଥାନା ସମ୍ମୁଖରେ ଧାରଣା ଦେବା ସହିତ ରୂପ ସିଂଙ୍କୁ ୩ ଜଣ ଯୁବକ ହତ୍ୟା କରିଥିବା ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କ୍ରମେ ଜଣେ ଯୁବକଙ୍କୁ ହାଇଦ୍ରାବାଦରୁ ଗିରଫ କରି ପଚରା ଉଚରା କରିଥିଲା। ଗିରଫ ହୋଇଥିବା ଯୁବକ ସେହି ଗାଁର ଲିଙ୍ଗ ମାଝୀ ଗୁଣିଗାରେଡି ସନ୍ଦେହରେ ରୂପ ସିଂଙ୍କୁ ହତ୍ୟା କରିଥିବା ସ୍ଵୀକାର କରିଥିଲା। ଗତ ବୁଧବାର ହତ୍ୟାକାରୀ ଯୁବକଙ୍କୁ ଆଣି ପୁଲିସ ସିନ୍ ରିକ୍ରିଏସନ୍ କରିଥିଲା। ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ମାରି ପୋଖରୀରେ ମୃତଦେହକୁ ଲୁଚେଇ ଥିବା ଜଣାପଡିବା ପରେ କଳାହାଣ୍ଡି ପୁଲିସ ବଲାଙ୍ଗୀର ଓଡ୍ରାଫ୍ ଟିମ୍ ସାହାଯ୍ୟରେ ମୃତଦେହ ଉଦ୍ଧାର କରିଛି।