ଭୁବନେଶ୍ୱର,୧୦/୦୪: ବିଧିର ବିଧାନ ସତରେ ବଡ଼ ବିଚିତ୍ର । ମୃତ୍ୟୁ କେତେବେଳେ ଯେ କାହାକୁ କିପରି କବଳିତ କରିବ ତାହା କାହାକୁ ଜଣାନଥାଏ । ଏମିତି ଏକ ଅପ୍ରତ୍ୟାଶିତ ଘଟଣାରେ ଜଣେ ପିକ୍ଅପ୍ ଭ୍ୟାନ୍ ଚାଳକଙ୍କ ଜୀବନ ଯାଇଛି । ବରମୁଣ୍ଡା ଓଭରବ୍ରିଜ୍ରେ ଏକ ଦ୍ରୁତ ଗତିରେ ଯାଉଥିବା ଟ୍ରକ୍ ତାଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଅପରପକ୍ଷରେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ୨ ପୁଲିସ୍ ଭ୍ୟାନ୍କୁ ଏକ ଟ୍ରେଲର ପିଟଛି । ପୁଲିସର ସ୍କର୍ପିଓ ଭ୍ୟାନ୍ଟି ଭାଙ୍ଗି ଚୂରମାର୍ ହୋଇଯାଇଛି । ସ୍କର୍ପିଓରେ ବସିଥିବା ଚାଳକଜଣକ ଗୁରୁତର ଆହତ ହୋଇଛନ୍ତି । ଅନ୍ୟ ଗାଡ଼ିଟି ଭାଙ୍ଗିରୁଜି ଯାଇଥିବା ବେଳେ ଚାଳକଜଣକ ସାମାନ୍ୟ ଆହତ ହୋଇଛନ୍ତି ।
ଘଟଣାଟି ଏହିପରି ବୁଧବାର ରାତି ୧୨ଟା ୪୫ ହେବ । ଏକ ପିକ୍ଅପ୍ ଭ୍ୟାନ୍ (ଓଡି ୦୫ ଡବ୍ଲ୍ୟୁ-୨୧୯୪) ରସୁଲଗଡ଼ ପଟୁ କୁକୁଡ଼ା ଚିଆଁ ବୋଝେଇ କରି ଖୋର୍ଦ୍ଧା ଆଡ଼କୁ ଯାଉଥିଲା । ବରମୁଣ୍ଡା ଓଭରବ୍ରିଜ୍ ପାଖରେ ଚାଳକ ଜଣକ ଭାରସାମ୍ୟ ହରାଇ ବସିଲେ । ଡିଭାଇଡର୍କୁ ପିଟି ଭ୍ୟାନ୍ଟି ଅପର ପାଶ୍ୱର୍କୁ ଓଲଟି ପଡ଼ିଲା । ଦୁଇ ଗଡ଼ା ଦେଇ ଭ୍ୟାନ୍ଟି ଆର ପଟକୁ ଓଲଟିପଡ଼ିବା ସମୟରେ ସୌଭାଗ୍ୟକୁ ସେହି ପଟ ରାସ୍ତାରେ କୌଣସି ଗାଡ଼ିମୋଟର ଆସୁନଥିଲା । ଗାଡ଼ିଟିର ତାରଜାଲି କଟିଯିବା ଫଳରେ କୁକୁଡ଼ା ଚିଆଁ ଗୁଡ଼ିକ ବିକ୍ଷିପ୍ତ ହୋଇ ରାସ୍ତାସାରା ପଡ଼ିଲା । ଚାଳକଜଣକ ଗାଡି ଭିତରେ ଚାପି ହୋଇ ରହିଯାଇଥିଲେ । ବହୁ ଚେଷ୍ଟା କରି ସେ ଗାଡ଼ିରୁ ଗୁରୁଣ୍ଡି ଗୁରୁଣ୍ଡି ବାହାରିଥିଲେ । ଲକ୍ଷ୍ୟ ଥିଲା, ଏନ୍ଏଚ୍ରେ ଯାଉଥିବା ଅନ୍ୟ କୌଣସି ଗାଡ଼ି ଚାଳକଙ୍କ ସାହାଯ୍ୟ ନେବେ । ହେଲେ ତାଙ୍କ କ୍ଷେତ୍ରରେ ଯାହା ଘଟିଲା, ତାହା ଥିଲା କଳ୍ପନାତୀତ ।
ସେ ଯେତେବେଳେ ତାଙ୍କ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ବାହାରକୁ ଆସି ରାସ୍ତା ମଝିକୁ ଚାଲି ଆସିଲେ, ସେତିକି ବେଳେ ରସୁଲଗଡ଼ ଆଡୁ ଖୋର୍ଦ୍ଧା ଆଡ଼କୁ ଯାଉଥିବା ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ତାଙ୍କ ଉପରେ ମାଡ଼ିଗଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଗଲା । ଟ୍ରକଚାଳକ ଦୁର୍ଘଟଣାସ୍ଥଳରୁ ଦ୍ରୁତ ଗତିରେ ଖୋର୍ଦ୍ଧା ଅଭିମୁଖେ ଟ୍ରକକୁ ନେଇ ଖସି ପଳାଇଲେ । ରାସ୍ତାରେ ଯାଉଥିବା କେତେକ ବାଇକ୍ ଚାଳକ ପୁଲିସକୁ ଏନେଇ ଖବର ଦେଇଥିଲେ । ଖଣ୍ଡଗିରି ଥାନାରୁ ଏକ ସ୍କର୍ପିଓ ଗାଡି (ଓଡି୦୫ବିୱାଇ ୭୨୩୭) ଓ ପିସିଆର ଭ୍ୟାନ୍ (ଓଡି୦୫ଏସ୍ ୧୭୬୯) କିଛି ସମୟ ଭିତରେ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲା । ୨ଟି ପୁଲିସ ଗାଡି ଡିଭାଇଡରକୁ ଲାଗି ରାସ୍ତାରେ ଛିଡ଼ା ହୋଇଥିଲା । ପୁଲିସ ପିକ୍ଅପ ଭ୍ୟାନ୍ ଡ୍ରାଇଭରଙ୍କ ମୃତଦେହକୁ ଏକ ଆମ୍ବୁଲାନ୍ସରେ ଏମ୍ସକୁ ପଠାଇଥିଲା । ବରମୁଣ୍ଡା ଓଭରବ୍ରିଜ୍ରେ ଟ୍ରକ, ବସ୍ ଓ ଅନ୍ୟ ଗାଡି ଅଟକି ରହିଥିବାରୁ ପୁଲିସ ଟ୍ରାଫିକ୍ ହଟାଇବାରେ ଲାଗିଥିଲା । ପ୍ରାୟ ଅଧ ଘଣ୍ଟା ପରେ ରାସ୍ତାରେ ଗାଡି ମୋଟର ଚଳାଚଳ ସ୍ୱାଭାବିକ୍ ହୋଇଥିଲା । ରାସ୍ତାମଝିରୁ ପିକ୍ଅପ୍ ଭ୍ୟାନ୍ ହଟାଇବା ପାଇଁ କ୍ରେନ୍ ଅପେକ୍ଷାରେ ଥିଲା ପୁଲିସ ।
ଠିକ୍ ଏତିକି ବେଳେ ଏକ ଟ୍ରେଲର ରସୁଲଗଡ଼ ଆଡୁ ଦ୍ରୁତଗତିରେ ମାଡି ଆସିଲା, ଆଉ ସିଧା ୨ଟି ପୁଲିସ ଗାଡିକୁ ପିଟିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ସ୍କର୍ପିଓ ଗାଡିଟି ଡିଭାଇଡର ଓ ବତି ଖୁଣ୍ଟରେ ପିଟି ହୋଇ ଚେପା ହୋଇଗଲା । ଉକ୍ତ ଗାଡିରେ ବସିଥିବା ଚାଳକ ତଥା ହୋମଗାର୍ଡ ଚିତ୍ତରଞ୍ଜନ ପଟ୍ଟନାୟକ ଗୁରୁତର ଆହତ ହେଲେ । ଆଉ ପୁଲିସ ଭ୍ୟାନ୍ରେ ଥିବା ଚାଳକଜଣକ ମଧ୍ୟ ଖଣ୍ଡିଆ ଖାବରା ହେଲେ । ପୁଲିସ ସ୍କର୍ପିଓରୁ ଚିତ୍ତଙ୍କୁ ବହୁ କଷ୍ଟରେ ବାହାର କରି ଏମ୍ସକୁ ପଠାଇଥିଲେ । ଚିତ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ।
ଉକ୍ତ ଟ୍ରେଲର ସମେତ ଦୁର୍ଘଟଣାଗ୍ରସ୍ତ ପିକ୍ ଅପ୍ ଭ୍ୟାନକୁ ପୁଲିସ ଜବତ କରିଛି । ଟ୍ରେଲର ଚାଳକକୁ ପୁଲିସ ଅଟକ ରଖିଛି । ପ୍ରଥମ ଦୁର୍ଘଟଣା ଘଟାଇଥିବା ଅଜଣା ଟ୍ରକକୁ ଠାବ କରିବାକୁ ପୁଲିସ ସିସିଟିଭି ଯାଞ୍ଚ କରୁଛି । ମୃତ ଡ୍ରାଇଭରଙ୍କ ପରିଚୟ ପାଇବା ପାଇଁ ଗାଡ଼ି ମାଲିକଙ୍କ ସହ ଯୋଗାଯୋଗ କରୁଛି । ଦୁର୍ଘଟଣା ପରେ ଉକ୍ତ ରାସ୍ତାରେ କିଛି ସମୟ ଭାରୀଯାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଘଟଣାସ୍ଥଳରେ ଜୋନ୍ ଏସିପି ତାପସ ପ୍ରଧାନ ଓ ଅନ୍ୟ ବରିଷ୍ଠ ଅଧିକାରୀ ପହଞ୍ଚି ସ୍ଥିତି ସମ୍ଭାଳିଥିଲେ ।