କରଞ୍ଜିଆ ,୨୭ା୩(ଆ:ପ୍ର): କରଞ୍ଜିଆ ଓକିଲ ସଂଘ ନିର୍ବାଚନ ଚଳିତ ସପ୍ତାହ ଶନିବାର ୨୯ ତାରିଖରେ ଅନୁଷ୍ଠିତ ହେବ । ସକାଳ ସାଢେ ସାତଟା ଠାରୁ ଅପରାହ୍ନ ତିନିଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଚାଲୁ ରହିବ । ମୋଟ୍ ୧୫୫ ଜଣ ଆଇନଜୀବୀ ଚଳିତବର୍ଷ ନିର୍ବାଚନରେ ମତଦାନ ସାବ୍ୟସ୍ତ କରିବେ । ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜୀବୀ ତ୍ରିଲୋଚନ ପତି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରିବା ପାଇଁ ତାଙ୍କର ସହଯୋଗୀ ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି । ପ୍ରାର୍ଥୀ ମାନେ ଆଇନଜୀବୀ ମାନଙ୍କ ଘରକୁ,ଠାକୁରମୁଣ୍ଡା ଓ ଯଶିପୁର ଜେଏମଏଫସିଙ୍କ କୋର୍ଟ ପରିସରକୁ ଯାଇ ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।
ସଭାପତି ତଥା ସମ୍ପାଦକ ପଦବି ପାଇଁ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି ।ଦୀପକ କୁମାର ଦାସ ଅଧିକାରୀ ପୂର୍ବରୁ ସଭାପତି ଥିବା ବେଳେ ଚଳିତବର୍ଷ ପ୍ରାର୍ଥୀ ହୋଇ ନିଜସ୍ୱ ଶୈଳୀରେ ପ୍ରଚାର କରୁଛନ୍ତି ।ଅନ୍ୟତମ ସଭାପତି ପ୍ରାର୍ଥୀ ମଦନମୋହନ ମହାନ୍ତ ପୂର୍ବରୁ ସମ୍ପାଦକ ଥିବା ବେଳେ ସେ ମଧ୍ୟ ଚଳିତବର୍ଷ ପ୍ରଥମ ଥର ପାଇଁ ସଭାପତି ପଦବି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଉପସଭାପତି ପଦବି ପାଇଁ ଚତୁର୍ମୁଖି ପ୍ରତିଦ୍ୱନ୍ଦ୍ୱ ିତା ହେଉଛି । ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ମନୋଜ କୁମାର ମହାନ୍ତି, ଦିନକୃଷ୍ଣ ନାଏକ, ଗୈାରାଙ୍ଗ ବାରିକ ଓ ଅମିରୁଲ ହାସାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦବି ସାଧାରଣ ସମ୍ପାଦକ ପଦବି ପାଇଁ ପୁର୍ବରୁ ଦୁଇ ଥର ସାଧାରଣ ସମ୍ପାଦକ ଥିବା ଦିବ୍ୟ ପ୍ରସାଦ ସାହୁ ନିଜ ଚିରାଚରିତ ଶୈଳୀରେ ଆଇନଜୀବୀ ମାନଙ୍କ ନିକଟକୁ ଯାଇ ମତଦାନ କରିବାକୁ ନିବେଦନ କରୁଛନ୍ତି । ସେହିପରି ପୂର୍ବରୁ ଯୁଗ୍ମ ସମ୍ପାଦକ ଥିବା ସରୋଜ କୁମାର ରାଉଳ ପ୍ରଥମ ଥର ପାଇଁ ତାଙ୍କୁ ଭୋଟ ଦେଇ ଏହି ପଦବି ଅଳଙ୍କୃତ କରିବାକୁ ନିବେଦନ କରୁଛନ୍ତି ।
ଯୁଗ୍ମ ସମ୍ପାଦକ ପାଇଁ ସପନ ଶତପଥୀ ଓ ମହମ୍ମଦ ଫିରୋଜ ଏବଂ କୋଷାଧ୍ୟକ୍ଷ ପଦବି ପାଇଁ ପିପୁନ ସାହୁ ଓ ବିଶ୍ୱଜିତ ସାହୁଙ୍କ ମଧ୍ୟରେ ସିଧା ସଳଖ ପ୍ରତିଦ୍ୱନ୍ଦ୍ୱିତା ହେଉଛି । ସମସ୍ତ ପ୍ରାର୍ଥୀ ନିର୍ବାଚନ ପ୍ରଚାର ପ୍ରସାର ଜୋରଦାର କରିଛନ୍ତି ।୫ଟି କାର୍ଯ୍ୟକାରୀ ସଦସ୍ୟ ପାଇଁ କାହ୍ନୁଚରଣ ଗିରି ସୁଧାଂଶୁ ପାତ୍ର ସଂଗ୍ରାମ କୁମାର ନାୟକ ତ୍ରିଶୂଳ କୁମାର ମହାନ୍ତ, ଅଶୋକ କୁମାର ସାହୁ ଓ ଜିତେନ୍ଦ୍ର ବାରିକ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି । ଗୋଟିଏ ମହିଳା ସଦସ୍ୟା ପାଇଁ ଜଣେ ମାତ୍ର ପ୍ରାର୍ଥୀ ଭାବେ ସୁବର୍ଣ୍ଣ ଡାଙ୍ଗିଆ ପ୍ରାର୍ଥୀ ଥିବାରୁ ସେ ନିର୍ବିରାଧରେ ନିର୍ବାଚିତ ହେବେ । ତେବେ ଚଳିତବର୍ଷ ନିର୍ବାଚନରେ ପ୍ରାର୍ଥୀ ମାନେ ନିଜ ନିଜର ସମର୍ଥକଙ୍କ ସହ ବୁଲି ଭୋଟ ଦେବାପାଇଁ ଅନୁରୋଧ କରୁଛନ୍ତି ।୨୯ ତାରିଖ ଭୋଟଦାନ ପରେ ପରେ ଗଣତି ହୋଇ ଫଳାଫଳ ପ୍ରକାଶିତ ହେବ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ପତି ସୂଚନା ଦେଇଛନ୍ତି ।