ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଦେଖାଦେଇଥିବା ୱାକଫ୍(ସଂଶୋଧନ) ବିରୋଧି ସଂଘର୍ଷରେ ବାଂଲାଦେଶର ହାତ ରହିଛି। ଏହା ସହ ମୁର୍ଶିଦାବାଦ ଓ ଦକ୍ଷିଣ ୨୪ ପ୍ରାଙ୍ଗଣା ଅଞ୍ଚଳରେ ୱାକଫ୍ ବିଲକୁ ନେଇ ହୋଇଥିବା ହିଂସାକୁ ରୋକିବାରେ ମମତା ବାନାର୍ଜିଙ୍କ ସରକାର ମଧ୍ୟ ଅସଫଳ ହୋଇଛନ୍ତି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିକଟରେ ସୂଚନା ରହିଛି ବୋଲି ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ରିପୋର୍ଟ ପ୍ରକାଶ କରିଛି। ଏହି ହିଂସାରେ ତିନି ଜଣଙ୍କ ମୃତ୍ୟୁ ହେବା ସହ ଏକାଧିକ ଲୋକ ଆହତ ହୋଇଛନ୍ତି।
ଦେଶର ସର୍ବାଧିକ ୱାକଫ୍ ସମ୍ପତ୍ତି ଥିବା ରାଜ୍ୟ ହେଉଛି ଉତ୍ତରପ୍ରଦେଶ। ଏଠାକାର ୱାକଫ୍ ବୋର୍ଡ ନିକଟରେ ୨.୨ ଲକ୍ଷରୁ ଅଧିକ ୱାକଫ୍ ସମ୍ପତ୍ତି ରହିଛି। ଏହା ପଛକୁ ପଶ୍ଚିମବଙ୍ଗର ସ୍ଥାନ ଦ୍ୱିତୀୟ ରହିଛି। ବେଙ୍ଗଲରେ ପ୍ରାୟ ୮୦,୪୮୦ରୁ ଅଧିକ ୱାକଫ୍ ସମ୍ପତ୍ତି ଥିବାର ସୂଚନା ରହିଛି। ତେବେ ଚଳିତ ମାସର ପ୍ରାରମ୍ଭରେ ପୁରୁଣା ୱାକଫ୍ ବିଲରେ ସଂଶୋଧନ ଆଣିବା ପରେ ପଶ୍ଚିମବଙ୍ଗରେ ଏହାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଯାଇଥିଲା। ମୁର୍ଶିଦାବାଦ ଓ ଦକ୍ଷିଣ ୨୪ ପ୍ରାଙ୍ଗଣାର କେତେକ ଅଞ୍ଚଳରେ ଏହି ସଂଘର୍ଷ ହିଂସାତ୍ମକ ରୁପ ଧାରଣ କରିଥିଲା।
କେନ୍ଦ୍ର ସରକାର ଆଣିଥିବା ୱାକଫ୍(ସଂଶୋଧନ) ବିଲ ୨୦୨୫ରେ ସରକାର ୱାକଫ୍ ବୋର୍ଡରେ ଥିବା କେତେକ ନିୟମରେ ପରିବର୍ତ୍ତନ କରିଥିଲେ। କିନ୍ତୁ ମୁର୍ଶିଦାବାଦ ଓ ଦକ୍ଷିଣ ୨୪ ପ୍ରାଙ୍ଗଣାର କେତେକ ଅଞ୍ଚଳରେ ସରକାର ମୁସଲିମ ସମ୍ପ୍ରଦାୟର ସବୁ ଜମି ଉପରେ କବ୍ଜା କରିନେବେ ବୋଲି ଗୁଜବ ପ୍ରଚାରିତ ହୋଇଥିଲା। ଯାହାକୁ ନେଇ ସେଠାକାର ସଂଖ୍ୟଲଘୁ ସମ୍ପ୍ରଦାୟମାନେ ଏହାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଦେଇଥିଲେ। କିନ୍ତୁ ପରେ ଏହା ଏକ ସାମ୍ପ୍ରଦାୟିକ ହିଂସାରେ ପରିବର୍ତ୍ତିତ ହୋଇଯାଇଥିଲା।
ଶୁକ୍ରବାର ଜୁମା ନମାଜ ପାଠ ପରେ ୱାକଫ୍ (ସଂଶୋଧନ) ବିଲ୍ ୨୦୨୫ ଆଇନ ବିରୋଧରେ ହେଉଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିଲା। ଏହି ହିଂସାରେ ସ୍ଥାନିୟ ଅଞ୍ଚଳରେ ବ୍ୟପକ ଭାବେ ଲୁଟ୍ପାଟ୍, ଅଗ୍ନିସଂଯୋଗ ଏବଂ ଭଙ୍ଗାରୁଜା ଆଦି ହୋଇଥିଲା। ଯେଉଁଥିରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଜଣେ ପିତା ଓ ତାଙ୍କ ପୁଅ ମଧ୍ୟ ରହିଛନ୍ତି। ଶନିବାର ମଧ୍ୟ ଉକ୍ତ ଅଞ୍ଚଳରେ ହିଂସା ଦେଖାଦେଇଥିଲା। ହିଂସାରୁ ବଞ୍ଚିବା ପାଇଁ ଗତ ରବିବାର କିଛି ଲୋକ ନୌକା ଯୋଗେ ମୁର୍ଶିଦାବାଦ ଛାଡ଼ି ପାଖ ଜିଲ୍ଲା ମାଲଦାକୁ ଯାଉଥିବା ଭିଡିଓ ସାମ୍ନାକୁ ଆସିଥିଲା। ଗୁଜବ ରୋକିବା ପାଇଁ ସମ୍ବେଦନଶୀଳ ଅଞ୍ଚଳରେ ମଙ୍ଗଳବାର ଯାଏ ଇଣ୍ଟରନେଟ ସେବା ବନ୍ଦ ରହିଛି। ୨୦୧୧ ଜନଗଣନା ମୁତାବକ ମୁର୍ଶିଦାବାଦ ଅଞ୍ଚଳରେ ୬୬ ପ୍ରତିଶତ ମୁସଲିମ ସମ୍ପ୍ରଦାୟ ବସବାସ କରୁଥିବା ଜଣାପଡିଛି। ତେଣୁ ଏହି ଅଞ୍ଚଳରେ ସର୍ବାଧିକ ହିଂସା ପରିଲକ୍ଷିତ ହୋଇଥିଲା।
ହିଂସାତ୍ମକ ବିକ୍ଷୋଭରେ ବ୍ୟାପକ କ୍ଷୟକ୍ଷତି ଘଟିବା ପରେ ବେଙ୍ଗଲର ରାଜ୍ୟପାଳ ସିଭି ଆନନ୍ଦ ବୋଷ ଏନେଇ ତୁଣମୂଳ ସରକାରକୁ ଏକ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ଅନ୍ୟପଟେ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହିଂସା ପ୍ରଭାବିତ ଅଞ୍ଚଳରେ ୯ କମ୍ପାନୀ ବିଏସଏଫ ଏବଂ ୮ କମ୍ପାନୀ ସିଆରପିଏଫ ମୁତୟନ କରାଯାଇଛି। ମମତା ବାନାର୍ଜୀଙ୍କ ଟିଏମସି ସରକାର ଏହି ହିଂସାର ତଦନ୍ତ ପାଇଁ ୨୩ ଜଣିଆ ଏକ ସ୍ଵତନ୍ତ୍ର ପୋଲିସ ଦଳ ଗଠନ କରିଛନ୍ତି। ଯେଉଁଥିରେ ଡିଏସପି ଏବଂ ଇନ୍ସପେକ୍ଟର ସ୍ତରିୟ ଅଧିକାରୀ ରହିଛନ୍ତି।
ପୋଲିସ ଏହି ମାମଲାରେ ଏଯାଏଁ ୨୧୦ ଜଣଙ୍କୁ ଗିରଫ କରିସାରିଲାଣି। ତେବେ ବର୍ତ୍ତମାନ ମୁର୍ଶିଦାବାଦ ଅଞ୍ଚଳରେ ପରିସ୍ଥିତି ଧିରେ ଧିରେ ଶାନ୍ତ ପଡୁଥିବା ଜଣାପଡିଛି।