ନୂଆଦିଲ୍ଲୀ,୧୫।୪: ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାରେ ଓ୍ବାକଫ୍ ସଂଶୋଧନ ଆଇନକୁ ନେଇ ହିଂସା। ଏନେଇ ଏବେ କେନ୍ଦ୍ର ସରକାର ସତର୍କ ରହିଛନ୍ତି। ଗୃହ ମନ୍ତ୍ରଣାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଯାଞ୍ଚରୁ ଜଣାପଡିଛି ଯେ, ହିଂସାରେ ବାଂଲାଦେଶୀ ଅରାଜକ ତତ୍ତ୍ବର ହାତ ରହିପାରେ। କୁହାଯାଉଛି ଯେ, ବାହାର ତତ୍ତ୍ବଙ୍କୁ ଆରମ୍ଭରୁ କିଛି ସ୍ଥାନୀୟ ନେତାଙ୍କ ସମର୍ଥନ ମଧ୍ୟ ମିଳିଛି, କିନ୍ତୁ ପରେ ସ୍ଥିତି ନିୟନ୍ତ୍ରଣ ବାହାରେ ଚାଲିଯାଇଥିଲା।
ଗୃହମନ୍ତ୍ରଣାଳୟ ହିଂସା ପ୍ରଭାବିତ ମୁର୍ସିଦାବାଦ ସହ ପଶ୍ଚିମବଙ୍ଗର ଅନ୍ୟ ସମ୍ବେଦନଶୀଳ ଜିଲ୍ଲା ଉପରେ ନଜର ରଖିବାର ନିର୍ଦେଶ ଦେଇଛି। ଗୃହ ସଚିବ ଗୋବିନ୍ଦ ମୋହନ ଶନିବାର ରାଜ୍ୟର ମୁଖ୍ୟ ସଚିବ ଓ ଡିଜିପି ସହ କଥା ହୋଇ ସ୍ଥିତି ବିଷୟରେ ସୂଚନା ନେଇଛନ୍ତି। କେନ୍ଦ୍ର ପକ୍ଷରୁ ସବୁ ପ୍ରକାର ସାହାଯ୍ୟର ଭରସା ଦିଆଯାଇଛି।
ସ୍ଥିତିକୁ ସମ୍ଭାଳିବା ପାଇଁ କେନ୍ଦ୍ର ସୀମା ସୁରକ୍ଷା ବଳ(ବିଏସ୍ଏଫ୍)ର ୯ କମ୍ପାନୀ ମୁର୍ସିଦାବାଦରେ ମୁତୟନ କରିଛି। ଯାହା ଭିତରେ ୯୦୦ ରୁ ଅଧିକ ଯବାନ ରହିଛନ୍ତି। ତାଙ୍କ ଭିତରୁ ୩୦୦ ଯବାନ ପୂର୍ବରୁ ଜିଲ୍ଲାରେ ଥିଲେ, ସେଭଳି ଅତିରିକ୍ତ କମ୍ପାନୀ ରାଜ୍ୟ ସରକାରଙ୍କ ଦାବି ପରେ ପଠାଯାଇଛି। ରାଜ୍ୟ ପୋଲିସ ମହାନିର୍ଦେଶକ(ଡିଜିପି) କହିଛନ୍ତି, ମୁର୍ସିଦାବାଦର ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି, କିନ୍ତୁ ସ୍ଥିତି ଏବେ ବି ଉତ୍ତେଜନାମୂଳକ ରହିଛି। ଏପର୍ଯ୍ୟନ୍ତ ୧୫୦ ରୁ ଅଧିକ ଲୋକଙ୍କୁ ଗିରଫ କରି ନିଆଯାଇଛି। ଡିଜିପିଙ୍କ କହିବା ଅନୁସାରେ, ବିଏସ୍ଏଫ୍ର ସ୍ଥାନୀୟ ୟୁନିଟ୍ ସାହାଯ୍ୟରେ ସ୍ଥିତି ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରାଯାଉଛି।