ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ଏଥର ବାଦାମବାଡ଼ିରେ ହେବନି ଦଶହରା ତୋରଣ, ଉଚ୍ଛେଦକୁ ନେଇ ଅଞ୍ଚଳବାସୀଙ୍କ କ୍ଷୋଭ

କଟକ,୧୦/୦୯: ଚାନ୍ଦିମେଢ଼ ପରେ ଯଦି କଟକ ଦଶହରାକୁ କିଏ ଅଧିକ ଆକର୍ଷଣୀୟ ଓ  ସ୍ୱତନ୍ତ୍ର ପରିଚୟ ଦେଇଥାଏ ତାହାଲେ ପ୍ରଥମେ ନାଁ ଆସିବ ବାଦାମବାଡ଼ିରେ ନିର୍ମାଣ କରାଯାଉଥିବା କପଡ଼ା ତୋରଣ । ହେଲେ ଚଳିତ ବର୍ଷ ଶାରଦୀୟ ଦଶହରାରେ ବାଦାମବାଡ଼ିରେ ଦେଖିବାକୁ ମିଳିବିନ  ସୁଉଚ୍ଚ ତଥା ମନୋଲୋଭା ତୋରଣ । ଦୀର୍ଘ  ୪୦ ବର୍ଷରୁ ଅଧିକ ସମୟ ହେବ ଦଶହରାରେ  ନିର୍ମାଣ କରାଯାଉଥିବା ତୋରଣ ଏବର୍ଷ ନହେବା ପଛରେ ରହିଛି ଅଞ୍ଚଳବାସୀଙ୍କ ମନରେ ଥିବା ଦୁଃଖ ଓ କୋହ । ଦଶହରାର ଠିକ୍‌ ପୂର୍ବରୁ  ମୂର୍ତ୍ତି ପୂଜା ପାଇବାକୁ ଥିବା ମଣ୍ଡପକୁ ପ୍ରଶାସନ ଭାଙ୍ଗିଦେବା ପରେ ହଠାତ୍‌ ଯେମିତି ଅଞ୍ଚଳବାସୀ  ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ନିଷ୍ପତ୍ତି ନେଇଛନ୍ତି  ଏ ବର୍ଷ ଆଉ ତୋରଣ ନିର୍ମାଣ କରିବେନି । 

ଅଶି ଦଶକରୁ ଶଙ୍କରପୁର-ବାଦାମବାଡ଼ି  ପୂଜା କମିଟି ପକ୍ଷରୁ ସୁଉଚ୍ଚ ତୋରଣ ନିର୍ମାଣ  କରାଯାଇ ଆସୁଛି । ବାଦାମବାଡ଼ିର ପୁରୁଣା  ବସ୍‌ ଷ୍ଟାଣ୍ଡ୍‌ ପାଖରେ ବାଉଁଶ ଆସି ଗଦା  ହେବାମାତ୍ରେ ସାଧାରଣ ଲୋକ ଅନୁଭବ କରନ୍ତି  ଦଶହରା ଆଉ ଅଳ୍ପଦିନ । ଦେଶ ତଥା ଦେଶ  ବାହାରର ବହୁ କୀର୍ତ୍ତିରାଜିକୁ ଏଠାରେ କପଡ଼ା  ଓ ଅନ୍ୟାନ୍ୟ ଜିନିଷରେ ତୋରଣ ଆକାରରେ  ପ୍ରସ୍ତୁତ କରାଯାଏ । ଚର୍ଚ୍ଚିତ ଫିଲ୍ମ ‘ଟାଇଟାନିକ୍‌’  ଆସିବା ପରେ ଠିକ୍‌ ସେହି ଢଙ୍ଗରେ ଏକ ଶହେ  ଫୁଟ୍‌ ଲମ୍ବର ଜାହାଜକୁ ମଧ୍ୟ ତୋରଣ ଭାବେ  ଏଠାରେ ନିର୍ମାଣ କରାଯାଇ ପୁରା ରାଜ୍ୟର  ଫୋକସ୍‌ ପାଲଟିଥିଲା ବାଦାମବାଡ଼ି ଅଞ୍ଚଳ । ଏହି  ଗେଟ୍‌କୁ ଦେଖିବା ପାଇଁ ପ୍ରତିବର୍ଷ ଲକ୍ଷଲକ୍ଷ ଲୋକ  କଟକ ଆସନ୍ତି । ମାତ୍ର ଚଳିତ ବର୍ଷ ବାଦାମବାଡ଼ି  ଛକ ପାଖରେ ଏଭଳି ସୁଉଚ୍ଚ ତୋରଣ ନିର୍ମାଣ  ନକରିବାକୁ କମିଟି ନିଷ୍ପତ୍ତି ନେଇଛି । ଗତ ୧୫  ଦିନ ପୂର୍ବେ ହଠାତ୍‌ ପ୍ରଶାସନ ଆସି ମହାଦେବ  ପୂଜା ପାଉଥିବା ମଣ୍ଡପର ସମ୍ମୁଖରେ ଥବା ଏକ  ବଡ଼ ଅଂଶ ଭାଙ୍ଗିଦେଲା । ଜବରଦଖଲ କହି  ମଣ୍ଡପକୁ ଭାଙ୍ଗି ଏକପ୍ରକାର ଶ୍ରୀହିନ କରିଦେଲା ।  ପ୍ରଶାସନର ଏହି ନିଷ୍ପତ୍ତି ଅଞ୍ଚଳବାସୀଙ୍କ ମନକୁ  କୁଠାରଘାତ କରିଛି । ମଣ୍ଡପରେ ଚଳିତ  ବର୍ଷ ମହାଦେବଙ୍କ ପ୍ରତିମା ପରିବର୍ତ୍ତେ ମା’  ଦୁର୍ଗାଙ୍କ ପ୍ରତିମୂର୍ତ୍ତି ପୂଜା ଆରମ୍ଭ ହୋଇଥାନ୍ତା ।  ହେଲେ ତାହା ଚଳିତ ବର୍ଷ ସମ୍ଭବ ନୁହେଁ ।  

ଏପରିକି ମହାଦେବଙ୍କ ମୂର୍ତ୍ତି ରଖିବା ପରେ ମଣ୍ଡପରେ ପୂଜା କରିବାକୁ ବି ଜାଗା  ନାହିଁ । ମଣ୍ଡପରେ ଗେଟ୍‌ ନଥିବାରୁ କୁଇଣ୍ଟାଲ୍‌  କୁଇଣ୍ଟାଲ୍‌ ଓଜନର ରୂପାର ମେଢ଼ ବି ସେଠାରେ କେମିତି ଲାଗିବ ତାହାକୁ ନେଇ ଚିନ୍ତାରେ  କମିଟି । ତେଣୁ ଏଭଳି ଅସୁବିଧା ସମୟରେ  ତୋରଣ କରିବା ସମ୍ଭବ ନୁହେଁ ବୋଲି କମିଟି ସଦସ୍ୟ ମତ ଦେଇଛନ୍ତି । ଏହା ପରେ ତୋରଣ  ହେବନି ବୋଲି ନିଷ୍ପତ୍ତି ହୋଇଛି । ପରମ୍ପରା  ପାଇଁ ମଣ୍ଡପରେ ପୂଜା ହେବ ଓ ପ୍ରତିମୂର୍ତ୍ତିକୁ  ଶୋଭାଯାତ୍ରାରେ ମେଲାଣି ବି ଦିଆଯିବ ।  ଯଦି କମିଟି ଅନୁଭବ କରେ ସାଂସ୍କୃତିକ  କାର୍ଯ୍ୟକ୍ରମ ହେବା ଦରକାର ବୋଲି କିଛି ଦିନ ମଧ୍ୟରେ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ । ତେବେ ଏ ବର୍ଷ ବାଦାମବାଡ଼ିରେ ତୋରଣ ନିର୍ମାଣ  ନହେବାକୁ କେହିକେହି ପ୍ରଶାସନକୁ ବିରୋଧ ବୋଲି କହୁଛନ୍ତି । ଅଞ୍ଚଳବାସୀଙ୍କ ମନରେ ଥିବା  କୋହ ଓ ରାଗ ପାଇଁ ତୋରଣ ହେଉନି ବୋଲି  ମଧ୍ୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଯାହାବି ହେଉ ଏବର୍ଷ ଦଶହରାରେ ଆଉ ବାଦାମବାଡ଼ିରେ  ସେ’ ତୋରଣ ଦେଖିବାକୁ ମିଳିବନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.