ନୂଆଦିଲ୍ଲୀ, ୨୯/୦୪ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ପକ୍ଷରୁ ମେ’ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଏଟିଏମ୍ ଟ୍ରାଞ୍ଜାକ୍ସନ ନିୟମ । ନୂଆ ନିୟମ ଲାଗୁ ହେବା ଦ୍ୱାରା ଏଟିଏମ୍ରୁ ନଗଦ ଉଠାଣ ମହଙ୍ଗା ହୋଇଯିବ । ମାଗଣା ଟ୍ରାଞ୍ଜାକ୍ସନ ପରେ ଅତିରିକ୍ତ ଦେୟ ଦେବାକୁ ପଡ଼ିବ ।
ନୂଆ ନିୟମ ଅନୁସାରେ, ଗ୍ରାହକ ପ୍ରତି ମାସରେ ନିର୍ଦ୍ଦିଷ୍ଟ ସଂଖ୍ୟକ ମାଗଣା ଏଟିଏମ୍ ଟ୍ରାଞ୍ଜାକ୍ସନ ସୁବିଧା ପାଇବେ । ସମସ୍ତ ସଞ୍ଚୟ ଖାତାଧାରୀଙ୍କୁ ପ୍ରତିମାସ ନିଜ ବ୍ୟାଙ୍କ ଏଟିଏମ୍ରୁ ୫ଟି ମାଗଣା ଟ୍ରାଞ୍ଜାକ୍ସନ ସୁବିଧା ମିଳିବ । ଏହା ଉଭୟ ମେଟ୍ରୋ ଏବଂ ଅଣ-ମେଟ୍ରୋ ସହରଗୁଡ଼ିକ ପାଇଁ ଉଦ୍ଦିଷ୍ଟ । ଏଥିରେ ବିତ୍ତୀୟ ଏବଂ ଅଣବିତ୍ତୀୟ କାରବାର ଯେପରି ନଗଦ ଉଠାଣ, ବାଲାନ୍ସ ଚେକ୍ କରିବା, ପିନ୍ ବଦଳାଇବା, ମିନି ଷ୍ଟେଟ୍ମେଣ୍ଟ ବାହାର କରିବା ଆଦି ଅନ୍ତର୍ଭୁକ୍ତ । ଅନ୍ୟ ବ୍ୟାଙ୍କ ଏଟିଏମ୍ରୁ ଟ୍ରାଞ୍ଜାକ୍ସନ କରିବାବେଳେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ହାଇଦ୍ରାବାଦ, ବେଙ୍ଗାଲୁରୁ ଭଳି ମେଟ୍ରୋ ସହରଗୁଡ଼ିକରେ ୩ଟି ମାଗଣା ଟ୍ରାଞ୍ଜାକ୍ସନ ସୁବିଧା ମିଳିବ ।
ଅଣ-ମେଟ୍ରୋ ସହରଗୁଡ଼ିକରେ ଗ୍ରାହକ ଅନ୍ୟ ବ୍ୟାଙ୍କ ଏଟିଏମ୍ରେ ୫ଟି ମାଗଣା ଟ୍ରାଞ୍ଜାକ୍ସନ ସୁବିଧା ପାଇବେ। ପରିବର୍ତ୍ତିତ ମାର୍ଗଦର୍ଶିକା ଅନୁସାରେ, ମାଗଣା ଟ୍ରାଞ୍ଜାକ୍ସନ ପରେ ପ୍ରତି ଟ୍ରାଞ୍ଜାକ୍ସନ ପିଛା ଗ୍ରାହକ ୨୩ ଟଙ୍କାର ଶୁଳ୍କ ଗଣିବେ, ଯାହା ବର୍ତ୍ତମାନ ୨୧ ଟଙ୍କା ରହିଛି । ଏଚ୍ଡିଏଫ୍ସି ବ୍ୟାଙ୍କ, ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ, ପିଏନ୍ବି ଏବଂ କୋଟାକ ମହିନ୍ଦ୍ରା ବ୍ୟାଙ୍କ ସମେତ ବଡ଼ ବଡ଼ ବ୍ୟାଙ୍କଗୁଡ଼ିକ ନିଜ ଗ୍ରାହକଙ୍କୁ ନୂଆ ମାର୍ଗଦର୍ଶିକା ନେଇ ସୂଚିତ କରାଉଛନ୍ତି । ଏଚ୍ଡିଏଫ୍ସି ବ୍ୟାଙ୍କ ସ୍ପଷ୍ଟ କରିଛି ଯେ, ଏହାର ଏଟିଏମ୍ରେ କେବଳ ନଗଦ ଉଠାଣ କ୍ଷେତ୍ରରେ ମାଗଣା ଟ୍ରାଞ୍ଜାକ୍ସନ ସୀମା ପରେ ପ୍ରତି ଟ୍ରାଞ୍ଜାକ୍ସନ ପିଛା ଦେୟ ଦେବାକୁ ପଡ଼ିବ । ଅଣବିତ୍ତୀୟ ଟ୍ରାଞ୍ଜାକ୍ସନ ମାଗଣା ରହିବ ।