ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ଵାଜା ମହମ୍ମଦ ଆସିଫ ଦାବି କରିଛନ୍ତି ଯେ ଭାରତ ପାକିସ୍ତାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଜନା କରୁଛି। ସେ କହିଛନ୍ତି, "ଯଦି ଭାରତ ଆମର ନାଗରିକଙ୍କୁ କ୍ଷତି ପହଞ୍ଚାଏ, ତେବେ ଭାରତୀୟ ନାଗରିକମାନେ ମଧ୍ୟ ସୁରକ୍ଷିତ ରହିବେ ନାହିଁ। ଏହା ହେବ ଆମର ପ୍ରତିଶୋଧମୂଳକ କାର୍ଯ୍ୟ।" ଏହି ବିବାଦୀୟ ବୟାନ ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି।
ଏପ୍ରିଲ ୨୨ ତାରିଖରେ ଜାମ୍ମୁ ଓ କାଶ୍ମୀରର ପହଲଗାମର ବୈସରଣ ମେଡୋରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ। ଯେଉଁଥିରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଆକ୍ରମଣର ଦାୟିତ୍ଵ ପାକିସ୍ତାନ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବାର ଏକ ସହଯୋଗୀ ସଂଗଠନ ‘ଦି ରେସିଷ୍ଟାନ୍ସ ଫ୍ରଣ୍ଟ’ (TRF) ନେଇଥିଲା। ଭାରତ ଏହି ଆକ୍ରମଣକୁ ପାକିସ୍ତାନ ସମର୍ଥିତ ବୋଲି ଅଭିଯୋଗ କରି କୂଟନୈତିକ ଓ ରଣନୀତିକ ପଦକ୍ଷେପ ଗ୍ରହଣ କରିଛି। ଏହା ମଧ୍ୟରେ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା, ଅଟାରୀ-ବାଘା ସୀମାକୁ ବନ୍ଦ କରିବା ଏବଂ ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ସେବା ବାତିଲ କରିବା ଆଦି ସାମିଲ ରହିଛି।
ପାକିସ୍ତାନ ଏହି ଅଭିଯୋଗକୁ ଖଣ୍ଡନ କରି ଦାବି କରିଛି ଯେ ପହଲଗାମ ଆକ୍ରମଣ ଭାରତର ଏକ ‘ମିଛ ଅପରେସନ’ ହୋଇପାରେ। ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ ଦାର ଆକ୍ରମଣକାରୀଙ୍କୁ ‘ସ୍ଵାଧୀନତା ସଂଗ୍ରାମୀ’ ବୋଲି ଅଭିହିତ କରି ବିବାଦ ସୃଷ୍ଟି କରିଛନ୍ତି। ସେ ଆହୁରି କହିଛନ୍ତି ଯେ ପାକିସ୍ତାନ ୨୪ କୋଟି ଲୋକଙ୍କ ଜଳ ଆବଶ୍ୟକତା ପାଇଁ ସିନ୍ଧୁ ଜଳ ଚୁକ୍ତିକୁ ବଜାୟ ରଖିବାକୁ ଚାହୁଁଛି। ଯଦି ଭାରତ ଏହି ଚୁକ୍ତିକୁ ଉଲଘଂନ କରେ ତେବେ ପାକିସ୍ତାନ ଏହା ବିପକ୍ଷରେ ପରମାଣୁ ବମର ବ୍ୟବହାର କରିବ।
ଏପ୍ରିଲ ୨୫ ତାରିଖରୁ ପାକିସ୍ତାନ ନିୟନ୍ତ୍ରଣ ରେଖା (ଏଲଓସି)ରେ ଗୁଳିଚାଳନା ଆରମ୍ଭ କରିଦେଇଛି। ଯାହା ଆଜିଯାଏ ମଧ୍ୟ ଜାରି ରହିଛି। ଭାରତୀୟ ସେନା ମଧ୍ୟ ଏହାର ଉପଯୁକ୍ତ ଜବାବ ଦେଉଛି। ପାକିସ୍ତାନ ନିଜ ସେନାକୁ ଏଲଓସି ନିକଟରେ ହାଇ ଆଲର୍ଟରେ ରଖିଛି। ଯାହା ଭାରତର ସମ୍ଭାବ୍ୟ ପ୍ରତିଶୋଧମୂଳକ କାର୍ଯ୍ୟକୁ ନେଇ ପାକିସ୍ତାନର ଥିବା ଆଶଙ୍କାକୁ ସୂଚାଉଛି।
ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୁରକ୍ଷା ପ୍ରସ୍ତୁତି ସମ୍ପର୍କରେ ଅବଗତ କରିଛନ୍ତି। ସେ କହିଛନ୍ତି ଯେ ଆକ୍ରମଣକାରୀଙ୍କୁ ନିଶ୍ଚିତ ଭାବେ ଦଣ୍ଡିତ କରାଯିବ। ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀମାନଙ୍କୁ କାବୁ କରିବା ପାଇଁ ସୁରକ୍ଷା ବାହିନୀ ଅପରେସନ ଜାରି ରଖିଛି। ଯେଉଁଥିରେ ଅନେକ ସନ୍ଦିଗ୍ଧଙ୍କ ଘର ନଷ୍ଟ ମଧ୍ୟ କରାଯାଇଛି।