ନୂଆଦିଲ୍ଲୀ,୨୯।୪: ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନର ସମ୍ପର୍କ ଆହୁରି ବିବାଦୀୟ ହୋଇପଡିଛି। ୨୬ ଜଣଙ୍କ ମୃତ୍ୟୁର ଗୋଟି ଗୋଟି କରି ପ୍ରତିଶୋଧ ନେବ ଭାରତ। ପ୍ରଥମେ ସିନ୍ଧୁ ଜଳ ଚୁକ୍ତି ରଦ୍ଦ, ଅଟାରୀ ଚେକ୍ ପୋଷ୍ଟ ବନ୍ଦ, ପାକିସ୍ତାନୀ ଦୂତାବାସ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ଓ ପାକ୍ ନାଗରିକଙ୍କୁ ତୁରନ୍ତ ଦେଶ ଖାଲିକରିବାକୁ ନିର୍ଦେଶ ଦେଇଥିଲା ଭାରତ। ଏବେ ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କେନ୍ଦ୍ର ସରକାର। ବିବାଦୀୟ ସମ୍ପର୍କ ପରେ ବି ପାକିସ୍ତାନକୁ ଭାରତ ଜୀବନରକ୍ଷାକାରୀ ଔଷଧ ଯୋଗାଉଥିଲା। କିନ୍ତୁ ପହଲଗାମ୍ ଆତଙ୍କୀ ଆକ୍ରମଣରେ ପରେ ଆକ୍ସନରେ ଆସିଛି ଭାରତ। ଏବେ ଫାର୍ମାସ୍ୟୁଟିକାଲ୍ସ ଉତ୍ପାଦ ଉପରେ କଟକଣା ଲଗାଇବାର ଆରମ୍ଭ କରିଛି ପ୍ରସ୍ତୁତି ।
ଫାର୍ମାସ୍ୟୁଟିକାଲ୍ସ ଏକ୍ସପର୍ଟ ପ୍ରମୋଶନ୍ କାଉନସିଲକୁ ପାକିସ୍ତାନକୁ ରପ୍ତାନୀ ହେଉଥିବା ସବୁ ଔଷଧ ଓ ଫାର୍ମା ଉତ୍ପାଦର ବିସ୍ତୃତ ସୂଚୀ ତିଆରି କରିବାକୁ ନିର୍ଦେଶ ଦେଇଛନ୍ତି ଭାରତ ସରକାର । ଏହା ସହ ଫାର୍ମାସ୍ୟୁଟିକାଲ୍ସ ବିଭାଗ ଗତ ଦୁଇ ବର୍ଷର ରପ୍ତାନୀ ବିଷୟରେ ଏକ ବିସ୍ତୃତ ରିପୋର୍ଟ ମାଗିଛି। କାରଣ ଭାରତ ଦ୍ବିପାକ୍ଷିକ ବ୍ୟାପାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବାର ସମ୍ଭାବନା ଉପରେ ବିଚାର କରୁଛି। ଏହି ପଦକ୍ଷେପ ପାକିସ୍ତାନର ଭାରତ ସହ ବାଣିଜ୍ୟ ବନ୍ଦ କରିବାର ଘୋଷଣା ପରେ ଗ୍ରହଣ କରାଯାଇଛି। ଏହି ପଦକ୍ଷେପ ପରେ ପାକିସ୍ତାନର ଚିନ୍ତା ବଢିଯାଇଛି। କାରଣ ନିଜର ଔଷଧ ଆବଶ୍ୟକତାର ପ୍ରାୟ ୪୦% ଅଂଶ ଭାରତରୁ ପୁରା କରୁଥିଲା ପାକିସ୍ତାନ।
ପାକିସ୍ତାନ ନିଜର ଔଷଧ ଯୋଗାଇବା ପାଇଁ ଭାରତ ଉପରେ ନିର୍ଭର କରେ। ଡ୍ରଗ୍ସ ରେଗୁଲେଟରୀ ଅଥରିଟି ଅଫ୍ ପାକିସ୍ତାନ ଅନୁସାରେ, ଭାରତ ନିଜର ଆଗାମୀ ଔଷଧ ଓ କଞ୍ଚାମାଲ୍(ଏପିଆଇ) ପାକିସ୍ତାନର ୫୦-୬୦% ଔଷଧ ଆବଶ୍ୟକତାକୁ ପୂରଣ କରିଥାଏ। ତା ଭିତରେ ରହିଛି କ୍ୟାନସର ଚିକିତ୍ସା ପାଇଁ ଆବଶ୍ୟକୀୟ ଔଷଧ। ଆଣ୍ଟି ରାବିଜ୍ ଟୀକା ଓ ଆଣ୍ଟି ସ୍ନେକ୍ ଭେନମ୍। ସେଭଳି ମେନୋକ୍ଳୋନୋଲ ଆଣ୍ଟିବଡି ଓ ଅନ୍ୟ ଜୈବିକ ଉତ୍ପାଦ। ଏହା ସହ ଔଷଧ ତିଆରି କରିବାକୁ ବ୍ୟବହାର ହେଉଥିବା କଞ୍ଚାମାଲ ରହିଛି। ଏବେ ତା’ର ରପ୍ତାନୀ ଉପରେ ଭାରତ ଲଗାଇବାକୁ ଯାଉଛି ଅଙ୍କୁଶ।