ନୂଆଦିଲ୍ଲୀ,୨୯।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି। ଏହାକୁ ନେଇ ଜମ୍ମୁ-କାଶ୍ମୀରର ପୂର୍ବତନ ଡିଜିପି ଏସ୍ ପି ବୈଦ୍ୟ ଦେଇଛନ୍ତି ବଡ଼ ବୟାନ । ସେ କହିଛନ୍ତି , ପିଓକେ ଉପରେ ଦାବି କରିବା ପାଇଁ ଏହାଠାରୁ ଭଲ ସମୟ ଆଉ କିଛି ହୋଇପାରିବନି।
ଏସ୍ ପି ବୈଦ୍ୟ କହିଛନ୍ତି, ପିଓକେକୁ ଫେରାଇ ନେବା ପାଇଁ ଆମ ସଂସଦରେ ଏକ ସଂକଳ୍ପ ମଧ୍ୟ ଅଛି। ଆଜି ପାକିସ୍ତାନର ଆଭ୍ୟନ୍ତରୀଣ ପରିସ୍ଥିତି ଯେପରି ଅଛି, ସେଥିରୁ ସ୍ପଷ୍ଟ ଯେ ପାକିସ୍ତାନ ଖଣ୍ଡଖଣ୍ଡ ହେବା ସୁନିଶ୍ଚିତ। ପାକିସ୍ତାନୀ ସେନାର ଅବସ୍ଥା ଏତେ ଖରାପ ଯେ ସେମାନେ ବେଲୁଚିସ୍ତାନରେ ମଧ୍ୟ ପ୍ରବେଶ କରିପାରିବେ ନାହିଁ। ସେ ଆହୁରି କହିଛନ୍ତି, ଖୈବର ପଖତୁନଖ୍ୱା (କେପିକେ)ର ପ୍ରାୟ ୬୦ ପ୍ରତିଶତ ଅଞ୍ଚଳରୁ ପୋଲିସ ଏବଂ ସେନା ପଳାଇ ଯାଇଛନ୍ତି, ପାକିସ୍ତାନ ନିଜେ ଏହି ପରିସ୍ଥିତିକୁ ସ୍ୱୀକାର କରୁଛି। ବାଲୁଚ୍ ଲିବରେସନ ଆର୍ମି (ବିଏଲଏ) ସହିତ ସିନ୍ଧ ଚୁକ୍ତି କରିଛି। ଭାରତ ସହିତ ଯୁଦ୍ଧ ହେବା ମାତ୍ରେ ଏହି ତିନି ଖଣ୍ଡକୁ ସ୍ୱାଧୀନ ଘୋଷଣା କରିବେ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲରେ ରଖାଯାଇଛି। ସେଠାକାର ଲୋକମାନେ ଏହି ପ୍ରକାରର ଏକଛତ୍ରବାଦରେ ଅସନ୍ତୁଷ୍ଟ ଅଛନ୍ତି।
ଏସ୍ ପି ବୈଦ୍ୟ କହିଛନ୍ତି,ପାକିସ୍ତାନର ଜଣେ ବି ସେନା ମୁଖ୍ୟ ପାକିସ୍ତାନରେ ରୁହନ୍ତି ନାହିଁ। ସେମାନଙ୍କର ନିଜ ଦେଶ ପ୍ରତି କୌଣସି ଆନୁଗତ୍ୟ ନାହିଁ। ପାକିସ୍ତାନରେ ଏକ ଚିଠି ଘୁରି ବୁଲୁଛି, ଯେଉଁଥିରେ କୁହାଯାଇଛି ଯେ ଆମେ ତୁମର ଯୁଦ୍ଧ କାହିଁକି ଲଢ଼ିବୁ। ଏପରି ପରିସ୍ଥିତିରେ, ପାକିସ୍ତାନ ଚାରି ଖଣ୍ଡ ହେବା ସୁନିଶ୍ଚିତ। ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିର ଯାହା କହୁଛନ୍ତି ତାହା ସେଠାରେ ପ୍ରଧାନମନ୍ତ୍ରୀ ଶୁଣୁଛନ୍ତି। ଏହା ସ୍ପଷ୍ଟ ଯେ ପ୍ରଧାନମନ୍ତ୍ରୀଙ୍କର ସେଠାରେ କୌଣସି କ୍ଷମତା ନାହିଁ। କଥାରେ କୁହାଯାଏ ଯେ, ଦେଶର ସେନା ଅଛି, କିନ୍ତୁ ପାକିସ୍ତାନକୁ ସେନା ଚଲାଏ। ଯେଉଁଦିନ ପାକିସ୍ତାନରେ ଆକ୍ରମଣ ହେବ,ସେଠାକାର ଲୋକମାନେ ଭାରତୀୟ ସେନାକୁ ସ୍ୱାଗତ କରିବେ। କାରଣ ପାକିସ୍ତାନୀ ସେନା ମୁଖ୍ୟଙ୍କୁ ଗତ କିଛି ଦିନ ହେଲା ଦେଖିବାକୁ ମିଳୁନି, ସେ ଖୁବ୍ ଭୟଭୀତ।