ନୂଆଦିଲ୍ଲୀ: ମଙ୍ଗଳବାର ଗୃହ ମନ୍ତ୍ରଣାଳୟରେ ଏକ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଯେଉଁଥିରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଜମ୍ମୁକାଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ଏହି ବୈଠକ ଡକାଯାଇଥିଲା । ଯେଉଁ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିଲେ । ପ୍ରାଣ ହରାଇଥିବା ଅଧିକାଂଶ ଲୋକ ପର୍ଯ୍ୟଟକ ଥିଲେ। ତେବେ ଏହି ଉଚ୍ଚସ୍ତରୀୟ ବୈଠକରେ ଗୃହ ସଚିବ ଗୋବିନ୍ଦ ମୋହନ ଅଧ୍ୟକ୍ଷତା କରିଥିଲେ ।
ବୈଠକରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ଏବଂ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ଫୋର୍ସ (CISF)ର ବରିଷ୍ଠ ଅଧିକାରୀ ମାନଙ୍କ ବ୍ୟତୀତ ସୀମା ସୁରକ୍ଷା ବାହିନୀ (BSF), ଆସାମ ରାଇଫଲ୍ସ ଏବଂ ଜାତୀୟ ସୁରକ୍ଷା ଗାର୍ଡ (NSG)ର ମହାନିର୍ଦ୍ଦେଶକ ମାନେ ଉପସ୍ଥିତ ଥିଲେ। ସୂଚନାଥାଉକି, ଜମ୍ମୁ-କାଶ୍ମୀରର ଅନେକ ସ୍ଥାନରେ ଆତଙ୍କବାଦ ବିରୋଧୀ ଅଭିଯାନ ଚାଲିଛି।
ଜମ୍ମୁ ଓ କାଶ୍ମୀର ପୋଲିସ ସୋମବାର ଦିନ ଡୋଡା ଜିଲ୍ଲାର ୧୩ ଟି ସ୍ଥାନରେ ଆତଙ୍କବାଦୀ ଆଡ୍ଡା ଗୁଡ଼ିକୁ ଧ୍ୱଂସ କରିବା ଏବଂ ଆତଙ୍କବାଦ ସହିତ ଜଡିତ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚଢାଉ କରିଛି । ସେହି ସମୟରେ, ଶ୍ରୀନଗର ପୋଲିସ ନିଷିଦ୍ଧ ଆତଙ୍କବାଦୀ ସଂଗଠନର ଓଭର ଗ୍ରାଉଣ୍ଡ ଓ୍ବାର୍କର (OGW) ଏବଂ ସହଯୋଗୀଙ୍କ ଆଡ୍ଡା ଉପରେ ମଧ୍ୟ ଚଢାଉ କରିଥିଲା।
ପୋଲିସର ସୂଚନା ଅନୁଯାୟୀ, ଶ୍ରୀନଗରରେ ମୋଟ ୬୩ ଜଣଙ୍କ ଘର ତଲାସି କରାଯାଇଥିଲା। ଏହି କାର୍ଯ୍ୟାନୁଷ୍ଠାନର ଉଦ୍ଦେଶ୍ୟ ହେଉଛି ଅସ୍ତ୍ରଶସ୍ତ୍ର, ଡକ୍ୟୁମେଣ୍ଟ, ଡିଜିଟାଲ୍ ଉପକରଣ ଇତ୍ୟାଦି ଉଦ୍ଧାର କରି ପ୍ରମାଣ ଏବଂ ଗୁପ୍ତ ସୂଚନା ସଂଗ୍ରହ କରିବା ।