ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଥଣ୍ଡା ବିତଣ୍ଡା...

ଭୁବନେଶ୍ୱର: ଏଥରର ଖରା ସଭିଙ୍କୁ ବାଧିଥିବ ନିଶ୍ଚୟ ପ୍ରଦେଶ ନିର୍ବିଶେଷରେ । ଲଗାତାର ଏତେଦିନର ସୀମା ବାହାର ତାତିବା! ଉତ୍ତର ପ୍ରଦେଶ କୁହ କି ଓଡ଼ିଶା କୁହ କି ରାଜସ୍ଥାନ କି ବିହାର, ସବୁଠି ଏ ସୂରୁଜର ତାଣ୍ଡବଲୀଳା, ଦିଲ୍ଲୀ କଥା ତ ନକହିଲେ ଭଲ । ବାବାରେ! କେଉଁ କାଳର ରେକର୍ଡ ଭାଙ୍ଗି ପକାଇଲା ପରି ଲାଗୁଛି । ସିଏ ପୁଣି ଏମିତି ଯେ ଏଇ ମାର୍ଚ୍ଚରୁ ଜୁନ ମାସ ଭିତରେ ସରକାରୀ ଭାବରେ ଚାଳିଶ ହଜାରରୁ ବେଶୀ ଅଂଶୁଘାତ, ତା’ ସାଙ୍ଗକୁ ଶହେରୁ ଅଧିକ ଲୋକଙ୍କ ଖରାଯୋଗୁଁ ମରିବା ବିଷୟ ଚିନ୍ତା ତ ବଢ଼ାଇବ ହିଁ ବଢ଼ାଇବ, ଯେତେ ମନରୁ ନିକାଲି ଦେଲେ ବି । ଅନେକ ଜାଗାରେ ମୌସୁମୀ ଠିକ୍‌ ସମୟରେ ଆସି ବି ନଆସିଲା ପରି, କୁଆଡ଼େ ହଜିଲାଣି ତାର ପତ୍ତା ନାହିଁ, କେଉଁଠି ମୁନ୍ଦିଏ ତ ଆଉ କେଉଁଠି ଆଞ୍ଜୁଳାଏ ଛିଞ୍ଚାଡ଼ି ଦେଇ । ସଦ୍ୟ ଏଇ କିଛିଦିନ ତଳେ ଦିନ ଦିପହରେ କଳା ମସମସ ପିଚୁର ମରୀଚିକା ପଛରେ ଗୋଡ଼ାଇ ଗୋଡ଼ାଇ ପ୍ରାଣ ବିକଳରେ ଘରକୁ ଧାଉଁ ଧାଉଁ କ୍ରିଂ କ୍ରିଂ ଶବ୍ଦରେ ଅଟକିବାକୁ ହୁଏ ବାଧ୍ୟ ହୋଇ ଲଣ୍ଡା ରାଜରାସ୍ତା ଧାରର ଏକ ଏପାର୍ଟମେଣ୍ଟ ପାଖରେ । ଘରଣୀଙ୍କ ଫୋନ୍‌ କଲ୍‌ ରିସିଭ୍‌ କରୁକରୁ ଆଖି ମୋର ଲାଖିଯାଏ ସେଇ ବଡ଼ ଘରଟିର ଗୋଟିଏ ପାଶ୍ୱର୍ରେ ଥିବା ଝରକା ଆଚ୍ଛାଦିତ ସୁଉଚ୍ଚ କାନ୍ଥରେ । ଆଉ ଏକ ଦୁଇ ତିନି କରି ମନ ମୋର ଗଣିଚାଲେ ରହି ରହି ବିକଟ ଗରଜୁଥିବା ଅଗଣିତ ଚକିଲଗା ଆୟତ ଘନାକାର ବାକ୍ସଗୁଡ଼ିକୁ । ହେଲେ ମନଟି ପଛକୁ ଫେରିଚାଲେ ମୋ ଶୈଶବ-ଯୌବନର ସନ୍ଧି ସମୟକୁ, ମାନେ ଅଶି ଦଶକକୁ । 

ଏହି ଛୋଟିଆ ସହରରେ ସେତେବେଳକୁ ହାତ ଗଣତି ଏ.ସି., ସିଏ ପୁଣି ବଡ଼ ଝରକା ସଂଲଗ୍ନ ଯନ୍ତ୍ରଗୁଡ଼ା । ପଙ୍ଖାସର୍ବସ୍ୱ ସହର, କିଛିଟା ଥିଲାବାଲା ଲୋକେ କୁଲର ରଖିଥାନ୍ତି ନିଶ୍ଚୟ । ଖପରଲି ଘର ଯାହାକୁ ଯେତେ । ଉଭୟ ଖରା ଓ ଶୀତ ନିର୍ଧୁମ ହୁଏ ଆମ ସହରରେ, ବେଳସୁ ତାହାର ଚରମ ଜଳବାୟୁ ପାଇଁ । ହେଲେ ସେ ଖରା ଏମିତି ବାଧେନାଇଁ, ହୁଏତ କଂକ୍ରିଟର ଅଭାବ ଅବା ଗଛଲତାର ବହୁଳତା, ଢାଲ ଭଳି ଛିଡ଼ା ହୋଇଥାଏ ଅହରହ ଜଳୁଥିବା ଦିବାକର ଆଉ ଆମ ମଝିରେ । ମଉସୁମୀ ବି ଏତେଟା ହଇରାଣ କରେନାଇଁ କଥା କଥାକେ, ଅତିକମ୍‌ରେ ଦୁଇ ତିନୋଟି ଝଡିଆ ପରଷିଦେଇ ଯାଉଥାଏ ତା’ ଆସିବା-ଯିବା ସମୟ ଭିତରେ । ଯାହାବି ମୁଁ କହୁଛି ସେଦିନର ଉପର ମହଲାର ଖପରଲି ଘରେ ମୁଁ ବିତାଇଥିବା କୋଡ଼ିଏଟି ବସନ୍ତ ତାର ସାକ୍ଷୀ ଅଛନ୍ତି । ଆରେ ହେ! ମୁଁ କହୁଥିଲି ଏସି କଥା, ଯାହାକୁ ଆମେ ପୁଣି ଆରମ୍ଭ କରିବା ୟୁଏନ୍‌ଇପିର ଶକ୍ତି ଏବଂ ଜଳବାୟୁ ବିଭାଗର ମୁଖ୍ୟ ମାର୍କ ରାଡ୍‌କାଙ୍କ ୨୦୨୩ ମସିହାରେ ଆସିଥିବା କିଛି ପ୍ରଶ୍ନୋତ୍ତରରୁ । ତାଙ୍କ ମତରେ ପୃଥିବୀ ଏତେଶୀଘ୍ର ଏତେ ବେଶୀ ତାତିବାର ଅନ୍ୟତମ ମୁଖ୍ୟ କାରଣ ହେଉଛି ଫ୍ରିଜ୍‌, ଏସି ଭଳି ଆମର ଏ ଶୀତଳୀକରଣ ଉପକରଣ ଯେତେକ । କାରଣ, ଗୋଟିଏ ଦୃଷ୍ଟିରୁ ହାଇଡ୍ରୋଫ୍ଲୋରୋକାର୍ବନ ଏବେବି ଏହାର ମୁଖ୍ୟ ଶୀତଳୀକରଣର କାରକ ହୋଇଥିବା ବେଳେ ଅନ୍ୟ ଦୃଷ୍ଟିରୁ ଏଥିପାଇଁ ଶକ୍ତିର ଅପଚୟ ବି କିଛି କମ୍‌ ନୁହେଁ । ଏଥିସହ, ୨୦୩୦ ମସିହା ବେଳକୁ ଏ ଧରଣର ଉପକରଣଗୁଡିକରୁ ନିର୍ଗମନ ଦୁଇଗୁଣ ତଥା ୨୦୫୦ ବେଳକୁ ତିନିଗୁଣ ହୋଇସାରିଥିବାର ଅନୁମାନ ବି ସେ ବ୍ୟକ୍ତ କରିଛନ୍ତି ସେଇ ଲେଖାଟିରେ । ସେହିପରି ୨୦୨୧ ମସିହାରେ ‘ସାଇଣ୍ଟିଫିକ୍‌ ଆମେରିକାନ୍‌'ରେ ପ୍ରକାଶିତ ଏମିଲି ଅଣ୍ଡର୍‌ଉଡ୍‌ଙ୍କ ଲେଖାରୁ ଜଣାଯାଏ ଯେ ୨୦୫୦ ମସିହା ବେଳକୁ ଏସି ସବୁ ମୋବାଇଲ ଫୋନ୍‌ ପରି ଅତି ସଧାରଣ ଜିନିଷରେ ପରିଣତ ହୋଇସାରିଥିବେ ଏବଂ ତାଙ୍କ ସଂଖ୍ୟା ଚାରିଗୁଣ ହୋଇ ପ୍ରାୟ ୪.୫ ବିଲିୟନ ଛୁଇଁସାରିଥିବ ସେତେବେଳକୁ । 

ଏଣେ ଯଦି ଏଭଳିଆ ଯନ୍ତ୍ରରୁ ନିର୍ଗତ ହୋଇ ଧରଣୀକୁ ଉତ୍ତପ୍ତ କରୁଥିବା ସବୁଜ-କୋଠରୀ ବାଷ୍ପ କଥା ମନକୁ ଆଣିବା ତେବେ ଚଳିତ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ଏହି ନିର୍ଗମନ ପୃଥିବୀକୁ ହୁଏତ ୦.୫ ଡିଗ୍ରୀ ସେଲସିଅସ ବେଶୀ ତତାଇ ସାରିଥିବ ବୋଲି ବିଶ୍ୱର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ‘ୱାର୍ଲଡ ଇକୋନୋମିକ ଫୋରମ' ଆକଳନ କରେ, ଯାହାକି ବହୁ ପରିବେଶଗତ ବିଭ୍ରାଟର ସୂତ୍ରଧର ହେବ ବୋଲି ନିଃସନ୍ଦେହରେ କୁହାଯାଇପାରେ । ସେଇଭଳି ‘ଜୁଲ୍‌' ନାମକ ପତ୍ରିକାରେ ୨୦୨୨ ମସିହାରେ ପ୍ରକାଶିତ ଗବେଷକ ଜେସନ୍‌ ଉଡ୍‌ ଏବଂ ସାଥୀଙ୍କର ଏକ ଆଲେଖ୍ୟ ଏ ଦିଗରେ ଆହୁରି ସାଂଘାତିକ କଥା ଯେତେ ଆମକୁ ଜଣାଇଦିଏ ବେଳହୁଁ ସତର୍କ ହେବାପାଇଁ । ସେମାନଙ୍କ ମତରେ ଏୟାରକଣ୍ଡିସନିଂ ଦ୍ୱାରା ପାଖାପାଖି ବାର୍ଷିକ ୧୯୫୦ ମିଲିଅନ ଟନ ଅଙ୍ଗାରକାମ୍ଳ ବାୟୁମଣ୍ଡଳରେ ମିଶିଥାଏ ଯାହାକି ସବୁ ଦିଗରୁ ସବୁଜ-କୋଠରୀ ବାଷ୍ପ ନିର୍ଗମନର ପ୍ରାୟ ୪ ପ୍ରତିଶତ । 

ଏବେ କଥାଟିର ଚେରଯାଏଁ ଯିବାର ସମୟ ଆସିଛି, ଅବଶ୍ୟ ଏସବୁ ଥଣ୍ଡାକାରୀ ଯନ୍ତ୍ରର ପେଟ ଭିତରକୁ ଟିକିଏ ଚାହିଁସାରିବା ପରେ । ଗଠନ ତଥା ସେବା ପ୍ରଦାନରେ ଅନେକ ଭିନ୍ନତା ପରିଲକ୍ଷିତ ହେଲେହେଁ, ଏ ଧରଣର ଉପକରଣଗୁଡ଼ିକର ମୂଳ କାର୍ଯ୍ୟଧାରା ପ୍ରାୟତଃ ସମାନ ହୋଇଥାଏ । ‘ଥର୍ମୋଡାଇନାମିକ୍ସ' ନାମରେ ନାମିତ ବିଭାଗ ଭାଷାରେ ଏହା ‘ହିଟ୍‌ ସିଙ୍କ୍‌ ତତ୍ତ୍ୱ' ରୂପରେ ପରିଚିତ, ଯାହାକି ଏକ ଶୀତଳୀକରଣ ଚକ୍ର ମାଧ୍ୟମରେ ଏ କାର୍ଯ୍ୟକୁ ସଂପାଦନ କରିଥାଏ । ୧୯୦୨ ମସିହାରେ ଆମେରିକାର ଜଣେ ଇଞ୍ଜିନିୟର ୱିଲିସ୍‌ କେରିଅରଙ୍କ ମଗଜରୁ ବାହାରିଥିବା ଏସି-ରୂପକ ଉପକରଣଟି ଥର୍ମୋଷ୍ଟାଟ୍‌, କମ୍ପ୍ରେସର୍‌, କଣ୍ଡେନ୍‌ସର, ଇଭାପୋରେଟର୍‌ ଭଳି ଆଠଟି ମୁଖ୍ୟ ଉପାଦାନର ସାହାଯ୍ୟ ନେଇ ଘର ଭିତର ତାପକୁ ଏକ ପାଇପ ମଧ୍ୟରେ ଧାଉଁଥିବା ତରଳ-ଗ୍ୟାସୀୟ ରେଫ୍ରିଜରେଣ୍ଟ (ହାଇଡ୍ରୋ-ଫ୍ଲୋରୋ-କାର୍ବନ ଆଦି) ମାଧ୍ୟମରେ ଶୋଷିନେଇ ବାହାରେ ଛାଡିଦେଇଥାଏ । ଫଳତଃ, ଘର ଭିତରଟି ଥଣ୍ଡା ଲାଗେ ଆମ ମନ ମୁତାବକ ଥର୍ମୋଷ୍ଟାଟ୍‌ର ଦୟାରୁ । ଏହି ପ୍ରକ୍ରିୟା ବେଳେ ଯହିଁ ଅତି ଶୀତଳ ରେଫ୍ରିଜରେଣ୍ଟର ପ୍ରବାହକୁ ଘର ଭିତରେ ସୁନିଶ୍ଚିତ କରାଯାଏ ତାପ ଅବଶୋଷଣ ପାଇଁ, ଭଲ ତାତିଥିବା ସେହି ରାସାୟନିକ ପଦାର୍ଥକୁ ଘର ବାହାରେ ପଙ୍ଖା ପବନ ମଧ୍ୟରେ ପ୍ରବାହିତ କରାଯାଇଥାଏ ସେଇ ଶୋଷିତ ତାପର ସୁବିକିରଣ ପାଇଁ । ଟିକିଏ ବୁଝିଲେ, କେତେ ସରଳ ଲାଗେ ଏ ବିଷୟଟି ସତରେ!

ଏବେ କଥାଟିକୁ ଆଉ ଟିକିଏ ଘାଣ୍ଟିକି ଦେଖିବା । ଏତେସବୁ ଉପାୟ ହେତୁ ଘର ଭିତରେ ଜାତ ହେଉଥିବା ଆର୍ଦ୍ରତାକୁ ଅକ୍ତିଆରକୁ ନନେଲେ ପରିସ୍ଥିତି ଏପରି ବିଷମ ହୋଇପଡ଼େ ଯେ, ଗୋଟିଏ ପଟେ ଅସହ୍ୟ ଗୁଳୁଗୁଳି ବ୍ୟଥିତ କରି ପକାଇବା ସହିତ ଘର ମଧ୍ୟରେ କବକ ପରି ଅଣୁଜୀବମାନଙ୍କୁ ନିଉତା ପଠାଇବା ପରି ହୁଏ । ମାତ୍ର ବିଡ଼ମ୍ବନାର ବିଷୟ, ଏନେଇ ବ୍ୟବହାରରେ ଥିବା ଆର୍ଦ୍ରତା-ନିୟନ୍ତ୍ରଣ-ଉପକରଣଗୁଡିକ ମଧ୍ୟ ବିଭିନ୍ନ ସ୍ତରରେ ପରିବେଶକୁ ନଷ୍ଟ କରିଥାନ୍ତି, ବେଶୀ ବିଦ୍ୟୁତଶକ୍ତି ଉପଯୋଗ ତଥା କ୍ଲୋରୋ-ଫ୍ଲୋରୋ-କାର୍ବନ (ସିଏଫ୍‌ସି)ର ବ୍ୟବହାର ବା ନିର୍ଗମନ ମାଧ୍ୟମରେ । ଏଠାରେ ସୂଚନା ଦିଆଯାଇପାରେ ଯେ, ତାପକୁ ଧରି ରଖିବାରେ ସିଏଫ୍‌ସି ପରି ରସାୟନ ଅଙ୍ଗାରକାମ୍ଳ ଠାରୁ ପ୍ରାୟ ୨୦୦୦ ଗୁଣ ଅଧିକ ଶକ୍ତିଶାଳୀ ହୋଇଥାନ୍ତି । ଏଣୁ ବାୟୁମଣ୍ଡଳରେ ଏହାର ପ୍ରବେଶ ଧରଣୀର ତାପକୁ ବଢାଇବା ସହ ଜଳବାୟୁ ପରିବର୍ତ୍ତନ ପ୍ରକ୍ରିୟାକୁ ମଧ୍ୟ ବଳ ଦେଇଥାଏ ।

ସୁଇଚ ଟିପିଲା ମାତ୍ରେ ମରୁ ରାଇଜର ପଞ୍ଝାରୁ ମୁକୁଳି ଆସି ହିମାଳୟର ଶୀତଳ ବାହୁରେ ବାନ୍ଧି ହୋଇ ଉଠୁଥିବା କଥା ଉପରକୁ ଏତେ ସହଜ ଜଣାଯାଉଥିଲେ ହେଁ, ତା’ ଭିତରେ ଥିବା ପରିବେଶ ନଷ୍ଟକାରୀ ବିଷୟଟି ଟିକିଏ ଜାଣିଥିବା ଲୋକ କପାଳରେ ରେଖା ସୃଷ୍ଟି କରିବା ନିହାତି ସ୍ୱାଭାବିକ । କାହିଁକିନା ଜେସନ ଉଡ୍‌ଙ୍କ ସେଇ ଲେଖାଟିରେ ଏହା ମଧ୍ୟ ଆକଳନ କରାଯାଇଅଛି ଯେ ଯହିଁ ଗରମ ଜଳବାୟୁ (ଭାରତର ଚେନ୍ନାଇ) ଅଞ୍ଚଳରେ ଏସିଜନିତ ଶକ୍ତି ଖର୍ଚ୍ଚ ୨୦୫୦ ସୁଦ୍ଧା ୧୪ ପ୍ରତିଶତ ବଢିଯିବ, ଥଣ୍ଡାଞ୍ଚଳ (ଇଟାଲୀର ମିଲାନ)ରେ ଏହା ୪୧ ପ୍ରତିଶତରୁ ଅଧିକ ହେବ । ଏଣୁ ଏ ଦିଗରେ ଗଭୀର ଭାବରେ ଚିନ୍ତା କରିବାର ସମୟ ଆସିଯାଇଛି । ତେଣେ ଗବେଷକମାନେ ଏ ଦିଗରେ ନିରନ୍ତର ଚେଷ୍ଟା ମଧ୍ୟ କରିଆସୁଛନ୍ତି । ୧୮୫୦ ମସିହା ବେଳର ଏମୋନିଆ, ଅଙ୍ଗାରକାମ୍ଳ ପରି ପ୍ରଥମ ପିଢିଠୁ ଆରମ୍ଭକରି ଏବେକାର ହାଇଡ୍ରୋଫ୍ଲୋରୋଓଲିଫିନ୍‌ ଭଳି ଚତୁର୍ଥ ପିଢିର ରେଫ୍ରିଜରେଣ୍ଟ ଏବଂ ଶକ୍ତି ସଂଚୟକାରୀ ଶୀତଳୀକରଣ ପ୍ରକ୍ରିୟାର ପ୍ରୟୋଗ ଏହାର ସୁନ୍ଦର ଉଦାହରଣ ସମୂହ । କିନ୍ତୁ ଆମେ ଏ ଦିଗରେ କିଛିଟା ସଚେତନ ହୋଇ ଏସି ଆଦିର ବ୍ୟବହାର ସମ୍ପର୍କିତ କେତୋଟି ସରଳ ନିୟମ ପାଳନ କରିପାରିଲେ ଆମ ପରିବେଶ ପାଇଁ ଯେ ଅନୁକୂଳ ହେବ, ଏଥିରେ କୌଣସି ସନ୍ଦେହ ନାହିଁ । କେବଳ ନିହାତି ଆବଶ୍ୟକ ହେଲେ ଏସି ଲଗାଇବା, ଥର୍ମୋଷ୍ଟାଟ୍‌କୁ ମଧ୍ୟମ ତାପ (୨୭-୨୯ ଡିଗ୍ରୀ ସେ.)ରେ ରଖିବା, ଉପକରଣଟିର ନିୟମିତ ଅନୁଧ୍ୟାନ କରାଇବା, ଘରଟି ସମ୍ପୂର୍ଣ୍ଣରୂପେ ବନ୍ଦ ହେବାର ସୁନିଶ୍ଚିତ କରିବା ଆଦି ପ୍ରଧାନ । ଏଥିସହ ମୁକ୍ତବାୟୁ ଚଳାଚଳ ବ୍ୟବସ୍ଥା ସହ ସୌରଶକ୍ତିଯୁକ୍ତ ସବୁଜ ଘର ଡିଜାଇନ ଏବଂ ଯଥାସମ୍ଭବ କୁଲରର ବ୍ୟବହାର ଏ ଦିଗରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ଏକରକମ ନିଶ୍ଚିତ । ଏସବୁ ବିଷୟ ହେତୁ କଲାବେଳେ କିଛି ବର୍ଷ ଆଗରୁ ମୁଁ ଯାଇଥିବା ବେଙ୍ଗାଲୁରୁର ନାକ୍‌ ଅଫିସ୍‌ ଗୃହଟି ଏବେ ମୋ ମନ ଭିତରକୁ ଚାଲିଆସୁଛି ।

ହଠାତ୍‌ କରି ପେଁ ପେଁ ଶବ୍ଦରେ ପ୍ରକୃତିସ୍ଥ ହୋଇ ଉଠିଲି ମୁଁ, ଠିକ୍‌ ଏପାର୍ଟମେଣ୍ଟ ରାସ୍ତା ମଝିମଝିରେ ଆବିଷ୍କାର କଲି ମୋ ବାଇକ୍‌ ଓ ଭାବନାରତ ଏ ଶରୀରଟିକୁ, ତେଣେ କାର୍‌ଟିଏ ଭିତରୁ ବାହାରି ଆସିବାକୁ ବ୍ୟଗ୍ର ହେଉଥିବା ବି ପୃଥୁଳ ଡ୍ରାଇଭରଟିର ଚଉଡା ମୁହଁଟିରୁ ସ୍ପଷ୍ଟ ଜଣାପଡୁଥାଏ । କାଳ ବିଳମ୍ବ ନକରି ଗାଡ଼ି ଷ୍ଟାର୍ଟ କରି ଆସି ପନ୍ଦର ମିନିଟ ପରେ ଘର ଗେଟ୍‌ ମୁହଁରେ ହାଜର ହେଉ ହେଉ ପାଇଲି ଘରଣୀଙ୍କୁ, ସିଧା ସିଧା ବେଡରୁମ ଭିତରକୁ ଯାଇ ପ୍ରଥମେ ଦଶ ମିନିଟିଏ ବସିବା ତାଗିଦ ସହ । ମୁଁ ଏଇମାତ୍ର ଶୁଣିଆସିଥିବା ସେଇ ରହି ରହି ଗମ୍ଭୀର ଆବାଜ ଏଠି ବି ଚାଲିଥାଏ ଅନବରତ । କିଛି ନକହି ବେଡରୁମ ଭିତରକୁ ପଶିଲି । କାନ୍ଥ ଘଣ୍ଟାରେ ସମୟ ଦୁଇଟା ପଇଁଚାଳିଶ । ତିରିଶି ଡିଗ୍ରୀରେ ସେଟ୍‌ ହୋଇଥିବା ଏସି ମୋ ଶରୀରକୁ ହିମାଳୟର ଆଭାସ ଦେଉଥିବା ବେଳେ ମନ କିନ୍ତୁ ଭିତରେ ଭିତରେ କୁହୁଳୁଥାଏ ଯନ୍ତ୍ର ନିର୍ଗତ ତାପର ସ୍ମରଣ ଜ୍ୱାଳାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.