ପ୍ରମୂଖ ଖବର
  • କୋରାପୁଟ : ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ
  • ||
  • ସମ୍ବଲପୁର: ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳସ୍ତର, ସକାଳ ୯ଟା ସୁଦ୍ଧା ୬୩୦ ଫୁଟ୍ ଜଳସ୍ତର
  • ||
  • କଟକ : ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର
  • ||
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ

ପୁରୀ,୨୧/୦୯: ଶନିବାର ପୁଣି ରତ୍ନଭଣ୍ଡାରରେ ଗୁପ୍ତ ଧନ ଓ ଗୁପ୍ତ ସୁଡ଼ଙ୍ଗ ଖୋଜାଯିବ ।  ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଶନିବାର ଠାରୁ ତିନି ଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ  ସର୍ଭେ କରିବ । ପ୍ରତ୍ୟେକ ଦିନ ୨ଟାରୁ ସନ୍ଧ୍ୟା  ୬ଟା ଯାଏ ଏହି ସର୍ଭେ ହେବ । ୨୪ ତାରିଖ  ସୁଦ୍ଧା ଶ୍ରୀମନ୍ଦିର ରତ୍ନଭଣ୍ଡାରର ବାକି ଥିବା  ବୈଷୟିକ ସର୍ଭେ ଶେଷ ପାଇଁ ଏଏସ୍‌ଆଇ  ମହାନିର୍ଦ୍ଦେଶକଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  ଡ. ଅରବିନ୍ଦ ପାଢୀ ପତ୍ର ଲେଖି ଅନୁରୋଧ  କରିଥିଲେ । ପରେ ଏଏସ୍‌ଆଇ ପକ୍ଷରୁ  ତତ୍ପରତା ପ୍ରକାଶ ପାଇଛି । ଏନେଇ ଶ୍ରୀମନ୍ଦିର  ପ୍ରଶାସନ ପକ୍ଷରୁ ଶୁକ୍ରବାର ଗଣମାଧ୍ୟମକୁ  ସୂଚନା ଦିଆଯାଇଛି । ଗତ ଯାଞ୍ଚରେ କୌଣସି  ଚୂଡ଼ାନ୍ତ ନିଷ୍ପତ୍ତିରେ ଟିମ୍‌ ପହଞ୍ଚି ପାରିନଥିଲା ।

ରାଜ୍ୟ ସରକାରଙ୍କ ଅନୁମୋଦିତ  ମାର୍ଗଦର୍ଶିକା ଅନୁସାରେ ଏହି ସର୍ଭେ କରାଯିବ ।  ତେଣୁ ଏହି ତିନି ଦିନ ପାଇଁ ଶ୍ରୀଜିଉଙ୍କ  ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ  ନକରି ନିରୀକ୍ଷଣ ପ୍ରକ୍ରିୟା ପାଇଁ ଆବଶ୍ୟକ  ସମୟ ଦେବା ଲାଗି ବିଶେଷ ନୀତି ନିର୍ଘଣ୍ଟ  ପ୍ରସ୍ତୁତ କରାଯାଇଛି । ଏହି ତିନିଦିନ ଦିନ  ୧ଟାଠାରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା  ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।  ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଶ୍ରଦ୍ଧାଳୁ  ସିଂହଦ୍ୱାର ପଟେ ବାଇଶି ପାହାଚ ଦେଇ ଆନନ୍ଦ  ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର  ପଟେ ଉକ୍ତ ସମୟରେ ପ୍ରସ୍ଥାନ କରିପାରିବେ । 

ପୂର୍ବରୁ ଗତ ୧୮ ତାରିଖରେ ଶ୍ରୀମନ୍ଦିର  ରତ୍ନଭଣ୍ଡାରର ବୈଷୟିକ ସର୍ଭେ ଏଏସ୍‌ଆଇ  ପକ୍ଷରୁ ହୋଇଥିଲା । ସେହିଦିନ ସର୍ଭେ ସମୟରେ ଏଏସ୍‌ଆଇର ବୈଷୟିକ ଟିମ୍‌ର ମୁଖ୍ୟ ଏବଂ  ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇର ମୁଖ୍ୟ  ବୈଜ୍ଞାନିକ ଆଉ ଏକ ରାଉଣ୍ଡ୍‌ ସର୍ଭେ କରିବାକୁ  ମତାମତ ଦେଇଥିଲେ । ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ତଥା ଅନ୍ୟ ବୈଷୟିକ ଉପକରଣ  ବ୍ୟବହାର କରାଯାଇ ସର୍ଭେ ପରେ ହିଁ ଚୂଡ଼ାନ୍ତ  ରିପୋର୍ଟ ଦାଖଲ କରିବାକୁ ବୈଷୟିକ ଟିମ୍‌  ପ୍ରସ୍ତାବ ଦେଇଥିଲେ । ଚଳିତ ମାସ ୨୪  ତାରିଖଠାରୁ ଦଶହରା (ଷୋଳ ପୂଜା) ନୀତିକାନ୍ତି  ଶ୍ରୀମନ୍ଦିରରେ ଆରମ୍ଭ ପୂର୍ବରୁ ବାକି ଥିବା ସର୍ଭେ  ଶେଷ କରି ଚୂଡ଼ାନ୍ତ ରିପୋର୍ଟ ଦାଖଲ ପାଇଁ  ମୁଖ୍ୟ ପ୍ରଶାସକ ଚିଠିରେ ଉଲ୍ଲେଖ କରିଥିଲେ ।  ଯାହା ପରେ ଏଏସ୍‌ଆଇ ରତ୍ନଭଣ୍ଡାରର  ତୁରନ୍ତ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛି । 

ଶ୍ରୀମନ୍ଦିର ରତ୍ନଭଣ୍ଡାର ତଳେ ସୁଡ଼ଙ୍ଗ ଓ  ଗୁପ୍ତ ଧନ ଥିବା ଚର୍ଚ୍ଚା ଜୋର ଧରିଥିବା ବେଳେ ସରକାର ଏହାର ସତ୍ୟାସତ୍ୟ ଜାଣିବାକୁ ଅତ୍ୟାଧୁନିକ ବୈଷୟିକ ଯାଞ୍ଚ କରିବାକୁ  ନିଷ୍ପତ୍ତି ନେଇଛନ୍ତି । ଯାହାର ଚୂଡ଼ାନ୍ତ ରିପୋର୍ଟ ସମ୍ପର୍କରେ ଜାଣିବାକୁ ଶ୍ରଦ୍ଧାଳୁଙ୍କ ମହଲରେ  ଉତ୍କଣ୍ଠା ବଢ଼ିଛି । ସେପଟେ ୨୧ ଓ ୨୨ ତାରିଖ  ଶନିବାର ଏବଂ ରବିବାର ପଡ଼ୁଥିବାରୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଶ୍ରୀମନ୍ଦିରରେ ବଢ଼ିବା ଆଶଙ୍କା ରହିଛି । ଦିନ ୧ଟା ପରଠାରୁ ଅନିର୍ଦ୍ଦିଷ୍ଟ ସମୟ ସାଧାରଣ  ଦର୍ଶନ ବନ୍ଦ ରହିବାକୁ ଥିବାରୁ ଶ୍ରଦ୍ଧାଳୁ  ଆସିଲେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନରୁ ବଞ୍ଚିତ  ହେବେ । ସେମାନେ ପତିତପାବନଙ୍କୁ ଦର୍ଶନ  କରିପାରିବେ ଓ ମହାପ୍ରସାଦ ନେଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.