ପୁରୀ, ୧୮/୦୭ : ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର। ଶ୍ରୀମନ୍ଦିର ଭିତରକୁ ଗଲେ ୧୧ ଜଣିଆ ଅଧିକୃତ ଟିମ୍।ରଥାରୁଢ଼ ଠାକୁରଙ୍କୁ ଦର୍ଶନ କରି ଶ୍ରୀମନ୍ଦିର ଭିତରକୁ ଗଲେ NDRF ସହ ଓଡ୍ରାଫ୍ ଟିମ୍। ସ୍ନେକ୍ ହେଲଫ୍ ଲାଇନ୍ ସଦସ୍ୟ ମଧ୍ୟ ଭିତରକୁ ଯାଇଛନ୍ତି। ଶୁଭେନ୍ଦୁ ମଲ୍ଲିକଙ୍କ ନେତୃତ୍ବରେ ଟିମ୍ ଅତ୍ୟାଧୁନିକ ସରଞ୍ଜାମ ସହ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି।
ସୂଚନାନୁଯାୟୀ, ସକାଳ ୯ଟା ୫୧ ରୁ ୧୨ଟା ୧୫ ମଧ୍ୟରେ ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର। ଭିତର ଭଣ୍ଡାରରେ ସିନ୍ଦୁକ ଓ ଆଲମିରାରେ ଗଛିତ ଥିବା ମହଣମହଣ ସୁନା ଅଳଙ୍କାର ସମେତ ହୀରା, ନୀଳା, ମୋତି, ମାଣିକ୍ୟକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍(ଖଟଶେଜ ଘର)କୁ ସ୍ଥାନାନ୍ତର କରାଯିବ। ସୁନା ଅଳଙ୍କାର ବୋହିବା ନିମନ୍ତେ ପ୍ରଶାସନ ପକ୍ଷରୁ କର୍ମଚାରୀଙ୍କୁ ନିୟୋଜିତ କରାଯିବ। କେଉଁ ସିନ୍ଦୁକ ଓ ଆଲମିରାରେ ତାଲା ପଡ଼ିଛି, କେଉଁଗୁଡ଼ିକ ଖୋଲା ରହିଛି ତାହାର ଭିଡ଼ିଓଗ୍ରାଫି କରାଯିବ। ସିନ୍ଦୁକ ଓ ଆଲମିରାର ତାଲା ବା ଲକ୍ ମହଜୁଦ୍ ଚାବିରେ ନଖୋଲିଲେ ଏହାକୁ ଭାଙ୍ଗି ଦିଆଯିବ। ସମସ୍ତ ରତ୍ନଅଳଙ୍କାକୁ ନୂଆ ସିନ୍ଦୁକ ଓ ଅଲମିରାରେ ପୂରାଇ ଷ୍ଟ୍ରଙ୍ଗରୁମ୍କୁ ସ୍ଥାନାନ୍ତର କରିବା ପରେ ସମୟ ହେଲେ କିଛି ସମୟ ଏଏସ୍ଆଇ ବୈଷୟିକ ଦଳକୁ ସ୍ଥିତି ଯାଞ୍ଚ ନିମନ୍ତେ ସମୟ ଦିଆଯିବ। ଏଏସ୍ଆଇ ଓ ଶ୍ରୀମନ୍ଦିର କୋର କମିଟି ସଦସ୍ୟ ସ୍ଥିତି ଦେଖିବେ।