ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ସାଥୀ ପାଇଁ ପାଗଳ ମହାରାଷ୍ଟ୍ରର ମହାବଳ, ୨୦୦୦ କି.ମି ଅତିକ୍ରମ କରି ଗଜପତି ସୀମାରେ ଘୂରି ବୁଲୁଛି..

ବ୍ରହ୍ମପୁର,୨୫/୧୧: ସାଥୀ ପାଇଁ ପାଗଳ ମହାରାଷ୍ଟ୍ରର ମହାବଳ । ପ୍ରେମ ବାଡ଼ ବତା ମାନେନି । ଖାସ୍‌ ସେଇଥିପାଇଁ  ସୁଦୂର ମହାରାଷ୍ଟ୍ରରୁ ପାହାଡ଼ ଝରଣା ଡେଇଁ ସାଥୀକୁ ଖୋଜିଖୋଜି ଗଜପତିରେ ପହଞ୍ଚିଛି ମହାରାଷ୍ଟ୍ରର ବାଘ । ଓଡ଼ିଶା-ଆନ୍ଧ୍ର ସୀମା ଗଜପତି ଜିଲ୍ଲା ରାୟଗଡ଼ ଅଞ୍ଚଳରେ ଘୂରି ବୁଲୁଥିବା ପୁରୁଷ ମହାବାଳ ବାଘଟି ମହାରାଷ୍ଟ୍ର ରାଜ୍ୟ ବ୍ରହ୍ମପୁରୀ ବନାଞ୍ଚଳରୁ ଚାଲି ଆସିଥିବା ଅନୁମାନ କରାଯାଉଛି । ମହାରାଷ୍ଟ୍ରରୁ ଓଡ଼ିଶା ପ୍ରାୟ ୨୦୦୦ କିମି ଅତିକ୍ରମ କରି ବାଘଟି ଆସିଥିବା କୁହାଯାଉଛି । ଓଡ଼ିଶା ବନବିଭାଗ ପୋଷ୍ଟ୍‌ କରିଥିବା ଫଟୋକୁ ଯାଞ୍ଚ୍‌ କରି ଏହି ନିଷ୍କର୍ଷରେ ପହଞ୍ଚିଛି ୱାଇଲ୍ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ । 

ବିଭାଗୀୟ ଅଧିକାରୀଙ୍କଠାରୁ ଏନେଇ କୌଣସି ବିଧିବଦ୍ଧ ଭାବେ ସୂଚନା ମିଳିପାରିନି । ନିରାପଦ ରହଣି ସ୍ଥାନ ଏବଂ ସାଥୀ (ବାଘୁଣୀ) ସନ୍ଧାନରେ ଏହି ପୁରୁଷ ମହାବଳଟି ଯାତ୍ରା ସମୟରେ ୪ଟି ରାଜ୍ୟ ଅତିକ୍ରମ କରି ଆସିଥିବା ଜଣାଯାଇଛି । ସାଧାରଣତଃ ବାଘର ଗତିପଥ ଚିହ୍ନଟ କରିବାକୁ ବେକରେ ରେଡିଓ କଲାର୍‌ ବନ୍ଧାଯାଇଥାଏ । କିନ୍ତୁ ମହାରାଷ୍ଟ୍ର ବନ ବିଭାଗ ଏହି ମହାବଳର ରେଡିଓ କଲାର୍‌ କରି ନ ଥିବା ଯୋଗୁଁ ବିଦର୍ଭ-ବ୍ରହ୍ମପୁରୀ ବନାଞ୍ଚଳରୁ ଆସିଥିବା ବାଘର ଏତେ ଦୂର ଯାତ୍ରା ସମ୍ପର୍କରେ ତଥା ଏହାର ଗତିପଥ ହଠାତ୍‌ ଜାଣିବା ସମ୍ଭବ ହୋଇପାରି ନାହିଁ । ତଥାପି ବାଘ ଏଭଳି ଗୋଟିଏ ସ୍ଥାନରୁ ଅନ୍ୟ ଦୂରବର୍ତ୍ତୀ ଜାଗାକୁ ସ୍ଥାନାନ୍ତର ହେବା ଦେଶରେ ବିରଳ ତଥା ହାତଗଣତି ଘଟଣା ବୋଲି କୁହାଯାଇଛି । 

ପୁରୁଷ ମହାବଳଟି ତା’ର ଯାତ୍ରା ସମୟରେ ବହୁ ପ୍ରତିବନ୍ଧକ ଅତିକ୍ରମ କରିଛି । ନଦୀ, ଚାଷଜମି, ରାସ୍ତା ଓ ଜନବସତି ଡେଇଁ ସେ ଏଠାରେ ପହଞ୍ଚିଛି । କିନ୍ତୁ ଏତେ ବଡ଼ ଯାତ୍ରାରେ ସେ କୌଣସି ମଣିଷକୁ ଆକ୍ରମଣ କରିଥିବା ସୂଚନା ମିଳି ନାହିଁ । ପୂର୍ବରୁ ପଡ଼ୋଶୀ ଛତିଶଗଡ଼ରୁ ବାଘ ସ୍ୱତଃ ସ୍ଥାନାନ୍ତରଣ ଘଟଣା ଘଟିଥିଲେ ମଧ୍ୟ ପଶ୍ଚିମ ବିଦର୍ଭରୁ ଭାରତର ପୂର୍ବାଞ୍ଚଳ ରାଜ୍ୟରେ ପହଞ୍ଚିବା ପ୍ରଥମ ଘଟଣା । ସର୍ବଭାରତୀୟ ବାଘ ଗଣନା ରିପୋର୍ଟ ଅନୁସାରେ, ୨୦୨୨ ଜୁଲାଇ ସୁଦ୍ଧା ଓଡ଼ିଶାରେ ମୋଟ ୨୦ଟି ବାଘ ରହିଛି । 

ଓଡ଼ିଶା ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜୁନ୍‌ ଓ ଜୁଲାଇ ମଧ୍ୟରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଭିତରେ ବାଘ ସ୍ଥାନାନ୍ତର ହେଉଛନ୍ତି । ପୁଣି ସେପ୍ଟେମ୍ବରରେ ସେମାନେ ନିଜ ସ୍ଥାନକୁ ଫେରି ଯାଆନ୍ତି । ବିଶେଷକରି ମହେନ୍ଦ୍ରଗିରି ରେଞ୍ଜ୍‌ରେ ଏହା ଦେଖାଯାଏ । କିନ୍ତୁ ଗତ କିଛିବର୍ଷ ମଧ୍ୟରେ ଆନ୍ଧ୍ର ସୀମା ଓଡ଼ିଶା ଇଲାକାରେ ବାଘ ଦେଖିବାକୁ ମିଳି ନ ଥିଲା । ତେଣୁ ଏହି ମହାବଳ ହୁଏତ ଆନ୍ଧ୍ର ସୀମାରୁ ଆସିଥାଇପାରେ ବୋଲି ଅନୁମାନ କରାଯାଉଥିଲା ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.