ମୁମ୍ବାଇ,୦୪/୦୩: କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାଏ ମହାରାଷ୍ଟ୍ର ରାଜନୀତି । ଏବେ ପୁଣି ଥରେ ମହାରାଷ୍ଟ୍ର ରାଜନୀତିରେ ବଡ ଧରଣର ହଲଚଲ ଦେଖିବାକୁ ମିଳିଛି । ରାଜ୍ୟ ଯୋଗାଣ ମନ୍ତ୍ରୀ ତଥା ଏନସିପି ନେତା ଧନଞ୍ଜୟ ମୁଣ୍ଡେଙ୍କ ଇସ୍ତଫା ଚର୍ଚ୍ଚାକୁ ନେଇ ବୋବାଲ ଦେଖିବାକୁ ମିଳିଛି । ସରପଞ୍ଚ ସନ୍ତୋଷ ଦେଶମୁଖଙ୍କ ହତ୍ୟାକାଣ୍ଡ ଲିଙ୍କରେ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହିଛନ୍ତି ସିଏମ୍ ଦେବେନ୍ଦ୍ର ଫଡ଼ନାବିସ । ଏହା ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧନଞ୍ଜୟ ମୁଣ୍ଡେ ।
ଗତକାଲି (ସୋମବାର) ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଓ ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ମଧ୍ୟରେ ରୁଦ୍ଧଦ୍ବାର ବୈଠକ ହୋଇଥିଲା । ଏହା ପରେ ଧନଞ୍ଜୟ ମୁଣ୍ଡେ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଥିଲା । ଅନୁମାନ ସତ ହେଲା । କ୍ୟାବିନେଟ୍ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ଧନଞ୍ଜୟ ମୁଣ୍ଡେ । ସେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି ।
ଏ ନେଇ ସିଏମ୍ ଦେବେନ୍ଦ୍ର ଫଡ଼ନାବିସ କହିଛନ୍ତି, ''ମହାରାଷ୍ଟ୍ର ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ମୋତେ ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ଏହାକୁ ମୁଁ ସ୍ବୀକାର କରିଛି । ଆଗାମୀ କାର୍ଯ୍ୟାନୁଷ୍ଠାନ ପାଇଁ ଇସ୍ତଫା ପତ୍ରକୁ ମୁଁ ରାଜ୍ୟପାଳଙ୍କ ପାଖକୁ ପଠାଇଛି । ''
#WATCH | Maharashtra CM Devendra Fadnavis says, "Maharashtra Minister Dhananjay Munde has tendered his resignation today. I have accepted the resignation and sent it to the Governor for further course of action." https://t.co/S8YYzZxr7D pic.twitter.com/DpxcIUWsrZ
— ANI (@ANI) March 4, 2025
ଫଟୋ ଭାଇରାଲ ହେବା ପରେ ବୋବାଲ- ସରପଞ୍ଚ ସନ୍ତୋଷ ଦେଶମୁଖ୍ ହତ୍ୟାକାଣ୍ଡକୁ ନେଇ ମହାରାଷ୍ଟ୍ରରେ ରାଜନୀତି ଜୋର ଧରିଥିଲା । ହତ୍ୟା ମାମଲାରେ ଏକ ପ୍ରକାର ଛନ୍ଦି ହୋଇ ପଡିଥିଲା ମହାରାଷ୍ଟ୍ର ସରକାର । ହତ୍ୟାକାଣ୍ଡର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ୮ ଫଟୋ ପାଇଁ ଚାଲିଗଲା ମନ୍ତ୍ରୀ ପଦ । ହତ୍ୟା ମାମଲାର ଅଭିଯୁକ୍ତ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ଘନିଷ୍ଠ ହୋଇଥିବା ଜଣାପଡିଥିଲା । ଶାସକ ଦଳର ଜଣେ ବିଧାୟକ ତଥା ମନ୍ତ୍ରୀ ହତ୍ୟା ଅପରାଧୀଙ୍କ ଘନିଷ୍ଠ ହେବା ପରେ ବିରୋଧୀଙ୍କୁ ଶାସକ ଦଳକୁ ଘେରିବାକୁ ମଉକା ମିଳିଥିଲା । ଏ ମାମଲାରେ ସରକାର କାହିଁକି ଚୁପ ବୋଲି ପ୍ରଶ୍ନ ଉଠାଇଥିଲେ ବିରୋଧୀ । ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ଇସ୍ତଫା ଦାବି କରିଥିଲେ ।
କେମିତି ରାଜି ହେଲେ ଅଜିତ୍ ପାୱାର ? ଆରମ୍ଭରୁ ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ତାଙ୍କ ଘନିଷ୍ଠ ସହଯୋଗୀ ଧନଞ୍ଜୟ ମୁଣ୍ଡେଙ୍କୁ ସମର୍ଥନ କରିଥିଲେ । ସେ କହିଥିଲେ କି, ଯେ ପର୍ଯ୍ୟନ୍ତ ତଦନ୍ତରୁ କୌଣସି ପ୍ରମାଣ ନ ମିଳୁଛି ସେବେ ଯାଏଁ ଇସ୍ତଫା ଦେବାର କୌଣସି ଆବଶ୍ୟକତା ନାହିଁ ।'' ସିଏମ୍ ଦେବେନ୍ଦ୍ର ଫଡ଼ନାବିସଙ୍କ ଚାପ ସହ ସରକାରକୁ ଏକଜୁଟ କରି ରଖିବାକୁ ଅଜିତ୍ ପାୱାର ତାଙ୍କ ମନ ବଦଳାଇ ଦେଇଥିବା ଚର୍ଚ୍ଚା ହେଉଛି ।
ବିରୋଧୀଙ୍କ ଆକ୍ରମଣ- ଅନ୍ୟପଟେ ବିରୋଧୀ ଏହି ମୁଦ୍ଦାକୁ ନେଇ ଲଗାତାର ଶାସକ ଦଳ ଉପରେ ଆଟାକ୍ କରିଥିଲେ । ଏହି ଇସ୍ତଫା ସରକାରଙ୍କ ଉପରେ ଚପା ପଡିବାରୁ ହୋଇଛି ବୋଲି କହିଛନ୍ତି ବିରୋଧୀ । ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ଇସ୍ତଫା ଖବର ପରେ ଶିବସେନା ସାଂସଦ (ୟୁବିଟି) ସଞ୍ଜୟ ରାୱତ କହିଛନ୍ତି,'' ଘଟଣାର ୨୪ ଘଣ୍ଟା ପରେ ହିଁ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ହଟାଇ ଦେବାର ଥିଲା । ସନ୍ତୋଷ ଦେଶମୁଖ ହତ୍ୟା ମାମଲାରେ ସଞ୍ଜୟ ମୁଣ୍ଡେଙ୍କ ବିରୋଧରେ ମାମଲା ରୁଜ୍ଜୁ ହେବା ଦରକାର ।''
କଣ ପୂରା ମାମଲା- ଘଟଣା ୨୦୨୪ ଡିସେମ୍ବର ୯ ତାରିଖର । ଜମି ଅଧିଗ୍ରହଣକୁ ନେଇ ୨ କୋଟି ଟଙ୍କାରେ ଲାଞ୍ଚ କାରବାର ହୋଇଥିଲା ।ବିଡ୍ ଜିଲ୍ଲାର ଜଣେ ସରପଞ୍ଚ ସନ୍ତୋଷ ଦେଶମୁଖଙ୍କୁ ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡର ଅପରାଧୀ ଧନଞ୍ଜୟ ମୁଣ୍ଡେଙ୍କ ଘନିଷ୍ଠ ହୋଇଥିବା ଜଣାପଡିଥିଲା । ଏହି ଘଟଣାକୁ ନେଇ ବିରୋଧୀ ଦେବେନ୍ଦ୍ର ସରକାରଙ୍କୁ ଘେରିଥିଲେ । ହତ୍ୟା ମାମଲାରେ ଏସଆଇଟି ଦ୍ବାରା ଦାଖଲ ହୋଇଥିବା ଚାର୍ଜସିଟରେ ଧନଞ୍ଜୟଙ୍କ ଘନିଷ୍ଠ ସହଯୋଗୀ ବାଲ୍ମିକୀ କରାଡ ମାଷ୍ଟରମାଇଣ୍ଡ ଥିବା ଜଣାପଡିଥିଲା । ଏହାପରେ ତାଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ । ଫେବୃଆରୀ ୨୨ ତାରିଖରେ ସିଆଇଡି ୧୨୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା । ମାମଲାରେ ପୋଲିସ ୭ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଥିଲା ।