ନୂଆଦିଲ୍ଲୀ: ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ସମ୍ଭାଳିବାପରେ ଟ୍ରମ୍ପ ମେକ୍ସିକୋ, ଚୀନ ଓ କାନାଡା ଉପରେ ନୂଆ ଟାରିଫ କଷିଛନ୍ତି। ଏହି ନୂଆ ଟ୍ରେଡୱାରକୁ ନେଇ ଜୋରଦାର ବିରୋଧ ଆରମ୍ଭ ହେବାପରେ ଟ୍ରମ୍ପ ସରକାର ଧିରେଧିରେ ନରମ ପଡୁଥିବା ନଜରକୁ ଆସୁଛନ୍ତି। ଏହି ପରିପ୍ରେକ୍ଷିରେ ଆମେରିକା ମେକ୍ସିକୋ ଉପରେ ଲଗାଇବାକୁଥିବା ଟାରିଫକୁ ଏକ ମାସ ପାଇଁ ରଦ୍ଧ କରିଛନ୍ତି ବୋଲି ସୋମବାର ମେକ୍ସିକାନ ରାଷ୍ଟ୍ରପତି କ୍ଲାଉଦିଆ ସେନବାଉମ ଘୋଷଣା କରିଛନ୍ତି। ରିପବ୍ଲିକ ଦଳ ସହ କଥାବାର୍ତ୍ତା କରିବା ପରେ ଏହି ରହିତାଦେଶ ଲାଗୁ କାରାଯାଇଛି ବୋଲି କ୍ଲାଉଦିଆ ଘୋଷଣା କରିଛନ୍ତି।
ଏନେଇ କ୍ଲାଉଦିଆ ସୋଶିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ଜାରି କରିଛନ୍ତି। ସେ ଏହି ଟାରିଫ ସମ୍ପର୍କରେ ଟ୍ରମ୍ପଙ୍କ ସହ କଥା ହୋଇଥିବା ନେଇ ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଏହା ସହ ମେକ୍ସିକୋ ଦେଇ ଆମେରିକାକୁ ହେଉଥିବା ବେଆଇନ ଡ୍ରଗ କାରବାରକୁ ରୋକିବା ପାଇଁ ମେକ୍ସିକୋ ତୁରନ୍ତ ୧୦ ହଜାର ଜାତୀୟ ସୁରକ୍ଷାକର୍ମୀଙ୍କୁ ନିଜର ଉତ୍ତର ସୀମାରେ ମୃତୟନ କରିବ ବୋଲି ସେ ସୂଚନା ଦେଇଛନ୍ତି।
ଏହା ସହ ଆମେରିକାରୁ ମେକ୍ସିକୋକୁ ହେଉଥିବା ମାରଣାସ୍ତ୍ରର ଚୋରା କାରବାର ପାଇଁ ଦେଶରେ ହିଂସା ଓ ସଂଗଠିତ ଆକ୍ରମଣ ବଢିବାରେ ଲାଗିଛି। ତେବେ ଏହା ଉପରେ ଆମେରିକା ଆକ୍ସନ ନେବ ବୋଲି ଟ୍ରମ୍ପ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସେ ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହାକୁ ନେଇ ଏକ୍ସରେ ଏକ ପୋଷ୍ଟ ଜାରି କରିଛନ୍ତି। ଏହି ପୋଷ୍ଟରେ ଦୁଇ ପଡୋଶୀ ଦେଶ ମଧ୍ୟରେ କଥାବର୍ତ୍ତା ଜାରି ରହିଛି ବୋଲି ସେ ଲେଖିଛନ୍ତି।
ଶପଥ ନେବା ପରେ ଟ୍ରମ୍ପ ଶନିବାର କାନାଡ଼ା ସହ ମେକ୍ସିକୋ ଉପରେ ୨୫ ଏବଂ ଚୀନ ଉପରେ ୧୦ ପ୍ରତିଶତ ଟାରିଫ୍ କଷିଛନ୍ତି। ଏହା ସହ କାନାଡାରୁ ଆସୁଥିବା ତୈଳ ଉପରେ ୧୦ ପ୍ରତିଶତ ଟାରିଫ୍ ଲଗାଇଛନ୍ତି। ଏହି ନୀତି ଦ୍ଵାରା ଅବୈଧ ପ୍ରବାସୀ, ଟ୍ରେଡ୍ ଡେଫିସିଟ୍ ଏବଂ ଅବୈଧ ଡ୍ରଗ୍ସ ସମସ୍ୟା ଉପରେ ଲଗାମ ଲାଗିବ ବୋଲି ଟ୍ରମ୍ପ ଦାବି କରିଛନ୍ତି। ହେଲେ ଅର୍ଥନୀତିଜ୍ଞମାନେ ଏହି ନିଷ୍ପତ୍ତିକୁ ଆତ୍ମଘାତୀ ପଦକ୍ଷେପ ବୋଲି କହିଛନ୍ତି। ସେପଟେ ଟ୍ରମ୍ପ ୨.୧ ଟ୍ରିଲିୟନ ଡଲାର ମୂଲ୍ୟର ଆମଦାନୀ ସାମଗ୍ରୀ ଉପରେ ଶୁଳ୍କ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି।
ଏହାର ଜବାବରେ କାନାଡାର ମୁଖ୍ୟମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଆମେରିକାରୁ ଆସୁଥିବା ୧୦୬.୫ ବିଲିୟନର ସାମଗ୍ରି ଉପରେ ୨୫ ପ୍ରତିଶତ ଟାରିଫ ଜାରି କରିଛନ୍ତି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପାଇଁ ଦେଶ ପ୍ରସ୍ତୁତ ନାହିଁ ତେବେ ଆମ ମାନଙ୍କୁ ଏହାର ସାମ୍ନା କରିବାକୁ ପଡିବ ବୋଲି ଟ୍ରୁଡୋ ନିଜ ସମ୍ପୋଧନରେ କହିଛନ୍ତି।