ଭୁବନେଶ୍ୱର, ୨୩/୦୩: ମାନବିକତାର ସବୁ ସୀମା ପାର କଲେ ୮ ଦୁର୍ବୃତ୍ତ । ଗୋଟିଏ କୁକୁରକୁ ଧାରୁଆ ଅସ୍ତ୍ରରେ ଜଣକ ପରେ ଜଣେ କରି ଚାଲିଲେ ଆକ୍ରମଣ । ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଜୀବନ ହାରିଲା କୁକୁର । ସିସିଟିଭିରେ କଏଦ ହେଲା ଦୃଶ୍ୟ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଗାନ୍ଧୀନଗର ସପ୍ତମ ଲାଇନ ରାସ୍ତାରେ ଏଭଳି ନାରକୀୟ କାଣ୍ଡ ଦେଖିବାକୁ ମିଳିଛି ।
ଏହି ଖବରଟିକୁ ପଢନ୍ତୁ- ଶ୍ୱେତଗଙ୍ଗାରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ସୂଚନା ମୁତାବକ, ରତ୍ନ ସାହିର ଜନୈକ ବ୍ୟକ୍ତିକ ଘର ବାହାରେ ପଡିଛି ରକ୍ତ ଛିଟା । ହେଲେ ଏହା କୌଣଷି ମଣିଷର ରକ୍ତ ନୁହଁ, ବରଂ ଏହା ହେଉଛି ଏକ ବୁଲା କୁକୁରର ରକ୍ତ । ଶନିବାର ଭୋର ସମୟରେ ଅର୍ଥାତ ପ୍ରାୟ ୪ଟା ୨୧ମିନିଟ ସମୟର ଘଟଣା । ପ୍ରଥମେ ଗୋଟିଏ ସ୍କୁଟିରେ ୩ ଜଣ ଯୁବକ ଆସିଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୋଟିଏ ବୁଲା କୁକୁରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ଏବଂ ସେହି ସ୍କୁଟିରେ ଚମ୍ପଟ ମାରିଥିଲେ । ପରେ ଆଉ ଏକ ଯୁବକ ଆସି ଆକ୍ରମଣ କରିଥିଲେ । ଆଉ ଏକ ସ୍କୁଟିରେ ଦୁଇଜଣଙ୍କ ପଛରେ ବସି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ପୁଣି କିଛି ସମୟ ପରେ ଅନ୍ୟ ଜଣେ ଯୁବକ ଦୌଡ଼ି ଆସି ଜୁଡୁବୁଡୁ କୁକୁରକୁ ଆକ୍ରମଣ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଘଟଣା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ନିକଟରେ ଲାଗିଥବା ଏକ ସିସିଟିଭି କ୍ୟାମେରାରେ ସମ୍ପୂର୍ଣ୍ଣ ଭାବେ କଏଦ ହୋଇଛି । ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଅନ୍ୟପକ୍ଷରେ ଶନିବାର ଭୋର ସମୟରେ ୩ଟି ସ୍କୁଟିରେ ୮ଜଣ ଯୁବକ ଗାନ୍ଧୀନଗର କଣ ପାଇଁ ଆସିଥିଲେ, ତାକୁ ନେଇ ପ୍ରଶ୍ନ ଉଠିିଛି । ଏଭଳି ଘଟଣା ଲୋକଲୋଚନକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ପଶୁପ୍ରେମୀମାନେ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି । ପୋଲିସ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।