ଲକ୍ଷ୍ନୌ ୨୩/୦୫: ଉତ୍ତରପ୍ରଦେଶରେ ବୁଧବାର ରାତିରେ କାଳବୈଶାଖୀ ତାଣ୍ଡବ ରଚିଛି । ସନ୍ଧ୍ୟାରୁ ଜୋର୍ରେ ବର୍ଷା, ଝଡ଼ତୋଫାନ ଲାଗି ରହିଥିଲା । ଭିନ୍ନ ଭିନ୍ନ ଘଟଣାରେ ଜଣେ ଆପ୍ ନେତା, ଡାକ୍ତର, ସୁରକ୍ଷାକର୍ମୀଙ୍କ ସମେତ ୨୮ ଜିଲ୍ଲାରେ ୫୮ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଆପ୍ ନେତା ମନିଷ ବର୍ଷାରୁ ସୁରକ୍ଷିତ ରହିବା ଲାଗି ଏକ କୋଠା ତଳେ ଛିଡ଼ା ହୋଇଥିବାବେଳେ ସେଠାରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଭଗ୍ନାବଶେଷ ତଳେ ଚାପି ହୋଇ ତାଙ୍କର ମୃତ୍ୟୁ ଘଟିଥିଲା । ୨୧ ଦିନ ତଳେ ତାଙ୍କର ବିବାହ ହୋଇଥିବା ବୋଲି ଜଣାପଡ଼ିଛି ।
ସେହିପରି କାସଗଞ୍ଜରେ ୫, ଫତେପୁରରେ ୫, ମିରଟରେ ୪, ବୁଲନ୍ଦସହର, ଗାଜିଆବାଦ, ଲଖିମପୁର, ଇଟାୱାରେ ୩ ଜଣ ଲେଖାଏଙ୍କ ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟାରେ ଲକ୍ଷ୍ନୌ, ଗାଜିଆବାଦ, ନୋଏଡା ସମେତ ୨୫ ଜିଲ୍ଲାରେ ମୂଷଳ ଧାରା ବର୍ଷା ହୋଇଛି । ମିରଟ-ବାଗପତରେ କୁଆପଥର ବର୍ଷା ହୋଇଥିଲା । ଗୋରଖପୁରରେ ସର୍ବାଧିକ ୭୪ ମିମି ବର୍ଷା ରେକର୍ଡ କରାଯାଇଛି । ରାସ୍ତାଘାଟରେ ପାଣି ଜମିଛି । ନୋଏଡାରେ ଘଣ୍ଟାପ୍ରତି ୮୦ କିମି ବେଗରେ ପବନ ବହିଥିଲା । ଗଛ, ହୋର୍ଡିଂ, ବିଦ୍ୟୁତ୍ ଖୁଣ୍ଟ ଆଦି ଉପୁଡ଼ି ରାସ୍ତାରେ ପଡ଼ିଛି । ମିରଟରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ନୋଏଡାରେ ଜଣେ ଆଈମା’ ଏବଂ ତାଙ୍କ ନାତୁଣୀ ଉପରେ ଗ୍ରୀଲ୍ ପଡ଼ିଥିଲା । ଏଥିରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ଗ୍ରୀଲ ଏତେ ଜୋରରେ ପଡ଼ିଥିଲା ଯେ ବୃଦ୍ଧାଙ୍କ ବେକ କଟି ଅଲଗା ହୋଇଯାଇଥିଲା । ତେବେ ୟୁପି ରିଲିଫ୍ କମିଶନରଙ୍କ ସୂଚନା ଅନୁସାରେ ୪୯ ଜଣଙ୍କ ମୃତ୍ୟୁ ଘଟିଛି । ୭୧ ପଶୁଙ୍କ ଜୀବନ ଯାଇଛି ।