ନୂଆଦିଲ୍ଲୀ ୨୩/୦୫: ଅପରେସନ୍ ସିନ୍ଦୂର ପରେ ପାକିସ୍ତାନର ଆର୍ମି ଚିଫ୍ରୁ ଫିଲ୍ଡ ମାର୍ଶଲକୁ ପଦୋନ୍ନତି ପାଇଛନ୍ତି ଆସିମ ମୁନିର । ତାଙ୍କ ପରିବାର ୧୯୪୭ ମସିହା ବିଭାଜନ ପୂର୍ବରୁ ପଞ୍ଜାବର ଜଳନ୍ଧର ସ୍ଥିତ ମୋହଲ୍ଲା କାଜୀ ମଣ୍ଡୀରେ ରହୁଥିଲା । ସେଠାରେ ଆଜି ବି ତାଙ୍କ ଘର ଅଛି । ସେତେବେଳେ ଏହି ଅଞ୍ଚଳ ମୁସ୍ଲିମବହୁଳ ଥିଲା ।
ବିଭାଜନ ସମୟରେ ଦଙ୍ଗାରେ ମୁନିରଙ୍କ ପରିବାର ପାକିସ୍ତାନକୁ ଚାଲିଯାଇଥିଲା । ବିଜେପିର ପୂର୍ବ କ୍ୟାବିନେଟ୍ ମନ୍ତ୍ରୀ ମନୋରଞ୍ଜନ କାଲିଆ ଏ ବିଷୟରେ ସ୍ପଷ୍ଟ କରି କହିଛନ୍ତି, ପାକିସ୍ତାନର ମୂଳଦୁଆ ହିଁ ଭାରତ ବିରୋଧୀ ବିଚାର ଉପରେ ପଡ଼ିଛି । ଏହାର ଫଳସ୍ୱରୂପ ଆସୀମ ମୁନିର ସେହି ବିଚାରକୁ ପ୍ରତିନିଧିତ୍ୱ କରୁଛନ୍ତି । କାଲିଆ ଦାବି କରିଛନ୍ତି, ମୁନିରଙ୍କ ପୂର୍ବପୁରୁଷ ହିନ୍ଦୁ ଥିଲେ । ପରେ ସେମାନେ ଇସ୍ଲାମ ଧର୍ମ ଗ୍ରହଣ କଲେ । ପହଲଗାମ ଆକ୍ରମଣ ପଛରେ ମୁନିରଙ୍କ ଭୂମିକା କଥା ମଧ୍ୟ ସେ ଦାବି କରିଛନ୍ତି । ମନ୍ତ୍ରୀ କାଲିଆ କହିଛନ୍ତି, ସ୍ୱାଧୀନତା ପରେ ଭାରତ ଓ ପାକିସ୍ତାନ ହେଲା । ଜଳନ୍ଧର ସିଟିର ଅନେକ ଅଞ୍ଚଳ ସେତେବେଳେ ମୁସ୍ଲିମ ବହୁଳ ଥିଲା । ଏଥିରେ କାଜୀ ମୋହଲ୍ଲା, ଅଲି ମୋହଲ୍ଲା, ଚାହର ବାଗ ଓ ଇସ୍ଲାମବାଦ ଭଳି ମୋହଲ୍ଲା ମୁସ୍ଲିମଙ୍କ ଗଡ଼ ଥିଲା । ଆସିମ ମୁନିରଙ୍କ ପରିବାର କାଜୀ ମୋହଲ୍ଲାରେ ରହୁଥିଲା । ସେମାନେ ବାହାରୁ ଆସିନଥିଲେ । ସେମାନଙ୍କ ୮ରୁ ୧୦ ପିଢ଼ି ହିନ୍ଦୁ ଥିଲେ ।
ଜଳନ୍ଧରର ବରିଷ୍ଠ ନାଗରିକ ଓ ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ, ୧୯୪୭ ପୂର୍ବରୁ ସହରରେ ପ୍ରାୟ ୮୫ ପ୍ରତିଶତ ମୁସ୍ଲିମ ଥିଲେ । ତନ୍ମଧ୍ୟରୁ ଅଧିକାଂଶ ବିଭାଜନ ପରେ ପାକିସ୍ତାନ ଚାଲିଗଲେ । ତନ୍ମଧ୍ୟରେ ମୁନିରଙ୍କ ପରିବାର ବି ଥିଲା । ମୁସ୍ଲିମ ସମୁଦାୟର ଲୋକେ ଏଠାରେ ତାଙ୍ଗା ଚଲାଉଥିଲେ ଏବଂ ପୁରୁଣା ବଜାରରେ ପରିବା ବିକୁଥିଲେ । ବିଭାଜନ ସମୟରେ କାଜି ଅଞ୍ଚଳ ସମ୍ପୂର୍ଣ୍ଣ ଖାଲି ହୋଇଯାଇଥିଲା ବୋଲି ସ୍ଥାନୀୟ ଲୋକେ କହନ୍ତି । ମୁନିରଙ୍କ ବାପା ରାଓଲପିଣ୍ଡିରେ ସ୍କୁଲ ପ୍ରିନ୍ସିପାଲ ଓ ସ୍ଥାନୀୟ ମସ୍ଜିଦର ଇମାମ ଥିଲେ । ତାଙ୍କର ଧାର୍ମିକ ଓ ଅନୁଶାସିତ ପ୍ରତିପାଳନର ପ୍ରଭାବ ମୁନିରଙ୍କ ଉପରେ ପଡ଼ିଲା । ତାଙ୍କର ପ୍ରାରମ୍ଭିକ ଶିକ୍ଷା ରାଓଲପିଣ୍ଡିର ଇସ୍ଲାମିକ ମଦରାସା ଦାର ଉଲ-ତଜଦୀବରେ ହୋଇଥିଲା । ସେଠାରେ କୁରାନ ଓ ଧାର୍ମିକ ଅଧ୍ୟୟନ ଉପରେ ପ୍ରାଧାନ୍ୟ ଦିଆଯାଉଥିଲା । ପରେ ମୁନିର ପାକ୍ ସେନାରେ ଭର୍ତ୍ତି ହେଲେ ଏବଂ ଶୀର୍ଷରେ ପହଞ୍ଚିଲେ ।