ନୂଆଦିଲ୍ଲୀ: ଭାରତ ସୀମା ମଧ୍ୟରେ ଅନଧିକୃତ ପ୍ରବେଶ କରି ଡ୍ରଗ୍ସ ଫିଙ୍ଗୁଛନ୍ତି ପାକିସ୍ତାନୀ ଡ୍ରୋନ। ଏମିତି ଘଟଣା ପ୍ରାୟ ସମୟରେ ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷିରେ ଶୁକ୍ରବାର ସୀମା ସୁରକ୍ଷା ବଳ(ବିଏସଏଫ) ପାକିସ୍ତାନ ପଟୁ ଆସୁଥିବା ଏକ ଡ୍ରୋନକୁ ମାରି ଖସାଇବା ସହ ୫ କୋଟି ଟଙ୍କା ମୁଲ୍ୟର ଡ୍ରଗ୍ସ ଜବତ କରିଛି।
ସୂଚନା ମୁତାବକ, ରାଜସ୍ଥାନର ଶ୍ରୀ ଗଙ୍ଗାନଗର ଅଞ୍ଚଳରେ ଥିବା ଆନ୍ତର୍ଜାତୀୟ ସୀମାରେ ପାକିସ୍ତାନ ପଟୁ ଏକ ଡ୍ରୋନ ଭାରତୀୟ ସୀମାରେ ଅନଧିକୃତ ପ୍ରବେଶ କରୁଥିବା ସମୟରେ ବିଏସଏଫ ଏହାକୁ ମାରି ଖସାଇ ଦେଇଥିଲା। ଶ୍ରୀ ଗଙ୍ଗାନଗର ଅଞ୍ଚଳରେ ପୁଲିସ ସୁପରିଟେଣ୍ଡ ଗୌରବ ଯାଦବ ଏନେଇ ସୂଚନା ଦେଇ କହିଛନ୍ତି ଯେ “ଅନୁପଗଡ ସେକ୍ଟର ନିକଟ କୈଳାସ ପୋଷ୍ଟ ଓ ସେରପୁରା ପୋଷ୍ଟ ନିକଟରେ ଏହି ସନ୍ଦିଗ୍ଧ ଡ୍ରୋନଟି ଦେଖାଯାଇଥିଲା। ଏହାକୁ ଜଣେ ନିକଟସ୍ଥ ଗ୍ରାମବାସୀ ଠାବ କରିବା ସହ ଏନେଇ ପୁଲିସକୁ ସୂଚନା ଦେଇଥିଲେ। ତେବେ ପୁଲିସ ଏନେଇ ବିଏସଏଫକୁ ସୂଚନା ଦେବା ପରେ ବିଏସଏଫ ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିଥିଲା।”
ଏହି ସନ୍ଦିଗ୍ଧ ଡ୍ରୋନଟି ସୀମା ସେପଟରୁ ଆସିଥିବାରୁ ଏହା ପାକିସ୍ତାନର ଚକ୍ରାନ୍ତ ବୋଲି ଅମୁମାନ କରାଯାଉଛି। ତେବେ ଏହି ଡ୍ରୋନ ଖସାଇବା ପରେ ଏଥିରେ ୫ କୋଟି ଟଙ୍କା ମୁଲ୍ୟରୁ ଅଧିକ ପରିମାଣର ଡ୍ରଗ୍ସ ମିଳିଥିବା ନେଇ ସୂଚନା ଦେଇଛନ୍ତି ଗୌରବ ଯାଦବ। ଏହି ଡ୍ରଗ୍ସ ମିଳିବା ପରେ ବିଏସଏଫ ଏହାକୁ ଜବତ କରିବା ସହ ସ୍ଥାନୀୟ ପୋଲିସକୁ ଏହି ମାମଲା ହସ୍ତାନ୍ତର କରିଛି।
ଏହି ଘଟଣା ଘଟିବା ପରେ ବିଏସଏଫ ହାଇ ଆଲର୍ଟ ଜାରି କରିବା ସହ ସୀମାନ୍ତ ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ ଜାରି କରିଛି। ଭାରତର ବିଭିନ୍ନ ସୁରକ୍ଷା ଏଜେନ୍ସି ମାନେ ମଧ୍ୟ ଏନେଇ ସତର୍କ ହେବା ସହ ଏହି ଘଟଣା ଉପରେ କଡା ନଜର ରଖିଛନ୍ତି। ଚଳିତ ବର୍ଷ ଏହିଭଳି ସମାନ ଅନେକ ଘଟଣା ଦେଖିବାକୁ ମିଳିଲାଣି। ଯାହା ଦେଶ ପାଇଁ ଅତ୍ୟନ୍ତ ଚିନ୍ତାର ବିଷୟ ହୋଇପଡିଛି।
ଆପଣଙ୍କୁ ଜଣାଇରଖୁ ଯେ ଗତ ମାର୍ଚ୍ଚ ୧୩ ତାରିଖ ଦିନ ଗଜସିଂପୁର ଥାନା ଅଧିନରେ ଥିବା ଚେକ ପୋଷ୍ଟରେ ଯାଞ୍ଚ ସମୟରେ ବିଏସଏଫ ୧.୬ କିଗ୍ରା ଡ୍ରଗ୍ସ ଜବତ କରିଥିଲା। ସେହିଭଳି ଗତ ମାର୍ଚ୍ଚ ୨୦ ତାରିଖରେ ମଧ୍ୟ ରାୱଲା ଅଞ୍ଚଳରେ ଦେଖାଦେଇଥିବା ଅନ୍ୟଏକ ଡ୍ରୋନରୁ ତିନି କିଲୋ ଓଜନର ଡ୍ରଗ୍ସ ଜବତ ହୋଇଥିଲା। ସେହିଭଲି ଏପ୍ରିଲ ୨ ତାରିଖରେ ସୀମା ନିକଟରେ ଗଳିପଡିଥିବା ଏକ ଡ୍ରୋନରୁ ବିଏସଏଫ ୫୦୦ ଗ୍ରାମ ଏଜନର ହିରୋଇନ ଜବତ କରିଥିଲା। ଯାହାର ଆନୁମାନିକ ମୁଲ୍ୟ ୨୫ କୋଟି ଟଙ୍କା ହେବ ବୋଲି ଜଣାପଡିଥିଲା।